ରିଲିଜ୍ ହୋଇପାରୁନି ‘ଜନ ନାୟଗନ୍’: ଅଭିନେତା ବିଜୟଙ୍କ ସପକ୍ଷରେ ବାହାରିଲେ ରାହୁଲ ଗାନ୍ଧୀ

NEWS7
another-person-died-in-cracker-blast-at-jagatsinghpur

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାମିଲ ସିନେମା ସୁପରଷ୍ଟାର ଏବଂ ତାମିଲଗା ଭେଟ୍ରି କାଝଗମ (ଟିଭିକେ) ମୁଖ୍ୟ ବିଜୟଙ୍କ ସମର୍ଥନରେ ବାହାରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ମୋଦୀ ତାମିଲ ଲୋକଙ୍କ ସ୍ୱରକୁ ଦମନ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ‘ଜନ ନାୟଗନ’ ଚଳଚ୍ଚିତ୍ରକୁ ଅବରୋଧ କରିବାର ପ୍ରୟାସକୁ ତାମିଲ ସଂସ୍କୃତି ଉପରେ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି।

ରାହୁଲ ଗାନ୍ଧୀ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ‘ମୋଦି ଜୀ, ଆପଣ ତାମିଲ ଲୋକଙ୍କ ସ୍ୱରକୁ ଦମନ କରିବାରେ କେବେ ସଫଳ ହେବେ ନାହିଁ। 'ଜନ ନାୟଗନ'କୁ ବନ୍ଦ କରିବାର ପ୍ରୟାସ ତାମିଲ ସଂସ୍କୃତି ଉପରେ ସିଧାସଳଖ ଆକ୍ରମଣ।’ କଂଗ୍ରେସ ନେତା ତାମିଲନାଡୁ ଗସ୍ତ ସମୟରେ ଏହି ପୋଷ୍ଟ କରିଛନ୍ତି, ଏହା ରାଜ୍ୟରେ ରାଜନୈତିକ ହଇଚଇ ସୃଷ୍ଟି କରିଛି।

ଟିଭିକେ ମୁଖ୍ୟ ଏବଂ ଅଭିନେତା ବିଜୟଙ୍କ ଅଭିନୀତ ଫିଲ୍ମ ‘ଜନ ନାୟଗନ’କୁ ସେନ୍ସର ବୋର୍ଡର ଅନୁମୋଦନ ମିଳିନାହିଁ ବୋଲି କୁହାଯାଇଛି । ଫଳରେ ଫିଲ୍ମ ମୁକ୍ତିଲାଭ କରିପାରି ନାହିଁ । ଏହି ମାମଲା ଏବେ କୋର୍ଟରେ ମଧ୍ୟ ପହଞ୍ଚିଛି । ଫିଲ୍ମର ପ୍ରଯୋଜକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ବିଜୟ ରାଜନୀତିରେ ପାଦ ଥାପିଥିବା ବେଳେ ଏହା ତାଙ୍କର ଶେଷ ଫିଲ୍ମ ।। କିନ୍ତୁ ଏହା ନିଜ ରାଜନୀତି କ୍ୟାରିୟରକୁ ଦୃଷ୍ଟିରେ ରଖି ବିଜୟ ତିଆରି କରିଛନ୍ତି ବୋଲି ଅଭିଯୋଗ ହୋଇଛି ।

 

ତାମିଲନାଡୁରେ ସିନେମା ଏବଂ ରାଜନୀତି ମଧ୍ୟରେ ସମ୍ପର୍କ ନୂଆ ନୁହେଁ। ସିଏନ ଆନ୍ନାଦୁରାଇ, ଏମଜି ରାମଚନ୍ଦ୍ରନ ଏବଂ ଜୟଲଳିତାଙ୍କ ପରି ନେତାମାନେ ସେମାନଙ୍କର ଚଳଚ୍ଚିତ୍ର ଲୋକପ୍ରିୟତାକୁ ରାଜନୈତିକ ଶକ୍ତିରେ ପରିଣତ କରିଥିଲେ। ବିଶେଷକରି ଏମଜିଆର ତାଙ୍କର ପରଦା ଉପରେ ଥିବା ପ୍ରତିଛବିକୁ ଏକ ଜନନେତାରେ ପରିଣତ କରିଥିଲେ । ଜୟଲଳିତା ଚଳଚ୍ଚିତ୍ର ଏବଂ ରାଜନୀତି ଉଭୟରେ ଐତିହାସିକ ସଫଳତା ହାସଲ କରିଥିଲେ। ଏବେ ବିଜୟ ରାଜନୀତିରେ ପ୍ରବେଶ କରିଥିବାରୁ, ତାଙ୍କ ଚଳଚ୍ଚିତ୍ରଗୁଡ଼ିକୁ ମଧ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଉଛି।