ବଢିବ ଏକ୍ସାଇଜ ଡ୍ୟୁଟି, ଫେବୃଆରୀ ୧ରୁ ମହଙ୍ଗା ହୋଇଯିବ ସିଗାରେଟ୍, ସେୟାର ବଜାରରେ ଦେଖାଗଲା ପ୍ରଭାବ

NEWS7
another-one-of-baba-vangas-prophecies-might-come-true-in-2025

ନୂଆଦିଲ୍ଲୀ ୧।୧: କେନ୍ଦ୍ର ସରକାର ତମାଖୁ ଉତ୍ପାଦ ଉପରେ ଅଂକୁଶ ଲଗାଇବାକୁ ଯାଇ ୧ ଫେବୃଆରୀ ୨୦୨୫ରୁ ଅତିରିକ୍ତ ଏକ୍ସାଇଜ ଡ୍ୟୁଟି ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଯୋଗୁ ଦେଶରେ ସିଗାରେଟ ଓ ଅନ୍ୟ ତମାଖୁ ଉତ୍ପାଦ ମହଙ୍ଗା ହେବ। ବିଶ୍ୱର ବୃହତ୍ତ ଜନସଂଖ୍ୟାର ଦେଶ ଭାରତରେ ପାଖାପାଖି ୧୦ କୋଟି ଲୋକେ ଧୂମପାନ କରନ୍ତି, ଯେଉଁମାନଙ୍କ ଉପରେ ଏହି ଶୁଳ୍କ ବୃଦ୍ଧିର ସିଧା ପ୍ରଭାବ ପଡିବ।

କେନ୍ଦ୍ର ଅର୍ଥମନ୍ତ୍ରାଳୟ ୩୧ ଡିସେମ୍ବର ୨୦୨୫ ମଧ୍ୟରାତ୍ରରେ ଟବାକୋ, ସେଣ୍ଟେଡ ଟବାକୋ, ଗୁଟଖା ପ୍ୟାକିଂ ମେସିନ (କ୍ୟାପାସିଟି ଡିଟରମିନେସନ ଆଣ୍ଡ କଲେକ୍ସନ ଅଫ ଡ୍ୟୁଟି) ରୁଲ ୨୦୨୬ ଜାରି କରିଛନ୍ତି। ଏହି ନିୟମ ଅନୁସାରେ ସିଗାରେଟର ଆକାର ଅନୁସାରେ ପ୍ରତି ୧ହଜାର ସିଗାରେଟ୍ ନିମନ୍ତେ ୨,୦୫୦ ଟଙ୍କାରୁ ୮,୫୦୦ ଟଙ୍କା ଏକ୍ସାଇଜ ଡ୍ୟୁଟି ଧାର୍ଯ୍ୟ କରିଛନ୍ତି। ଏହି ନୀତି ଦେଶରେ ୧ ଫେବୃଆରୀ ୨୦୨୬ରୁ ଲାଗୁ ହେବ।

ସରକାରଙ୍କ ଏହି ନିଷ୍ପତ୍ତିର ପ୍ରଭାବ ୧ଜାନୁୟାରୀ ଗୁରୁବାର ସେୟାର ବଜାରରେ ଦେଖା ଯାଇଛି। ଦେଶର ସବୁଠୁ ବଡ଼ ସିଗାରେଟ ନିର୍ମାତା ଆଇଟିସି ଲିମିଟେଡ ସେୟାରରେ ପାଖାପାଖି ୨% ପର୍ଯ୍ୟନ୍ତ ହ୍ରାସ ଦେଖା ଯାଇଛି। ସେହିପରି ଭାରତରେ ମାର୍ଲବୋରୋ ସିଗାରେଟ ବିତରଣ କରୁଥିବା ଗୁଡଫ୍ରେ ଫିଲିପସ୍ ଇଣ୍ଡିଆ ଲିମିଟେଡ ସେୟାର ମୂଲ୍ୟରେ ୪.୧% ପର୍ଯ୍ୟନ୍ତ ହ୍ରାସ ହୋଇଛି। ସେହିପରି ଗୋଲ୍ଡ ଫ୍ଲେକ୍ ଓ କ୍ଲାସିକ୍ ଭଳି ଲୋକପ୍ରିୟା ବ୍ରାଣ୍ଡ ସିଗାରେଟର ନିର୍ମାତା ଆଇଟିସି ନିଫ୍ଟି ୫୦ ଇଣ୍ଡେକ୍ସରେ ଗୁରୁବାର ସବୁଠୁ ବଡ଼ ଲୁଜର ଭାବେ ଉଭା ହୋଇଛି।

ଏହା ଛଡା ସେୟାର ବଜାରରେ ଏଫଏମସିଜି ଇଣ୍ଡେକ୍ସ ମଧ୍ୟ ଦୁର୍ବଳ ହୋଇଛି ଓ ଏହା ୦.୬% ହ୍ରାସରେ କାରବାର କରୁଥିବା ଦେଖା ଯାଇଛି। ଭାରତରେ ତମାଖୁ ଉତ୍ପାଦ ଉପରେ ପ୍ରଥମରୁ ଶୁଳ୍କହାର ଉଚ୍ଚା ରହିଛି। ସିଗାରେଟ, ପାନମସଲା ଓ ଅନ୍ୟ ତମାଖୁ ଉତ୍ପାଦ ଉପରେ ୪୦ % ଜିଏସଟି ଲାଗୁହେଉଛି। ଏହା ଛଡା ସରକାର ଯେଉଁ ନୂଆ ଏକ୍ସାଇଜ ଡ୍ୟୁଟି ଲଗାଇବାକୁ ଯାଉଛନ୍ତି ତାହା ଜିଏସଟି ଉପରେ ଲାଗୁ ହେବ। ଏହି ନୂଆ ବ୍ୟବସ୍ଥା ଜିଏସଟି କମ୍ପେନସେସନ ସେସ୍ ସ୍ଥାନରେ ଲାଗୁ ହେବ।

ଫେବୃଆରୀ ୧ ତାରିଖରୁ ସିଗାରେଟ ଓ ପାନ ମସଲା ଉପରେ ୪୦% ଜିଏସଟି ଜାରି ରହିବ। ତେବେ ବିଡି ଉପରେ ୧୮% ଜିଏସଟି ଲାଗିବ। ଉଲ୍ଲେଖଯୋଗ୍ୟ ଯେ ଗତ ଡିସେମ୍ବର ମାସରେ ସଂସଦରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ମଞ୍ଜୁରୀ ମିଳିଥିଲା। ଏଥିରେ ତମାଖୁ ଓ ପାନମସଲା ଉପରେ ନୂଆ ଏକ୍ସାଇଜ ଡ୍ୟୁଟି ଲାଗୁ କରିବାର ରାସ୍ତା ସଫା ହୋଇଯାଇଥିଲା।