କେବଳ ଥରେ ଚାପୁଡ଼ା ମାରି ନିଷ୍ଠୁରତା ନୁହେଁ, ବ୍ୟକ୍ତିଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି

NEWS7
another-one-covod-19-positive-in-jajapur

ନୂଆଦିଲ୍ଲୀ: ଯଦି କେହି ମହିଳା ନିଜ ବାପା ଘରେ ରହିବାକୁ ଚାହୁଛନ୍ତି... ଆଉ ଏହାକୁ ବିରୋଧ କରି ଯଦି ତାଙ୍କ ସ୍ବାମୀ ତାଙ୍କୁ ଥରେ ଚାପୁଡ଼ା ମାରୁଛନ୍ତି । ତେବେ ଏହା ନିଷ୍ଠୁରତା ନୁହେଁ । ଏକ ମାମଲାର ଶୁଣାଣି କରି ଏହି ଐତିହାସିକ ରାୟ ଦେଇଛନ୍ତି ଗୁଜରାଟ ହାଇକୋର୍ଟ। ଏହା ସହ କୋର୍ଟ, ପତ୍ନୀଙ୍କୁ ଆତ୍ମହତ୍ୟା ପାଇଁ ଉସ୍କେଇବା ଏବଂ ବୈବାହିକ କ୍ରୁରତା ମାମଲାରେ ବ୍ୟକ୍ତିଙ୍କୁ ଦୋଷ ମୁକ୍ତ କରିଛନ୍ତି। ଏହି ମାମଲାରେ ନିମ୍ନ ଅଦାଲତ ମହିଳାଙ୍କ ସ୍ବାମୀଙ୍କୁ ୧ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ।

ସୂଚନା ଅନୁସାରେ, ଏହି ମାମଲା ୧୯୯୬ର। ବିବାହର ଗୋଟିଏ ବର୍ଷ ପରେ ଜଣେ ମହିଳା ଆତ୍ମହତ୍ୟା କରିଥିଲେ। ମହିଳାଙ୍କ ପରିବାର ଲୋକେ ତାଙ୍କ ସ୍ବାମୀଙ୍କ ଉପରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଆଉ ପୋଲିସ ଏକ ମାମଲା ରୁଜୁ କରି ସ୍ୱାମୀଙ୍କୁ ଗିରଫ କରିଥିଲା। ଏହା ପରେ ୨୦୦୩ ମସିହାରେ ଭାଲସାଡର ଏକ ନିମ୍ନ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ସାତ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

ତେବେ ପରବର୍ତ୍ତୀ ସମୟରେ ମାମଲା ହାଇକୋର୍ଟ ଯାଇଥିଲା। ବିଚାରପତି ଗୀତା ଗୋପୀ ରାୟ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ, ପ୍ରମାଣରେ ଅନେକ ତ୍ରୁଟି ରହିଛି। ସରକାରୀ ଓକିଲଙ୍କ ମୁଖ୍ୟ ଅଭିଯୋଗ ଥିଲା ଯେ, ଅଭିଯୁକ୍ତ ଥରେ ତାଙ୍କ ପତ୍ନୀଙ୍କୁ ତାଙ୍କ ବାପ ଘରେ ଚାପୁଡ଼ା ମାରିଥିଲେ। କାରଣ ପତ୍ନୀ ତାଙ୍କୁ ନ ଜଣାଇ ସେଠାରେ ରହିଥିଲେ। ଏହା ଛଡ଼ା ସ୍ୱାମୀ ଜଣ ଏକ ବ୍ୟାଣ୍ଡ ପାର୍ଟିରେ ସଦସ୍ୟ ଭାବରେ କାମ କରୁଥିଲେ। ତେଣୁ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା।

ତେବେ କୋର୍ଟ କହିଛନ୍ତି ଯେ, ଜଣେ ମହିଳାଙ୍କୁ ଥରେ ଚାପୁଡ଼ା ମାରିବା ନିଷ୍ଠୁରତା ବୋଲି ବିବେଚନା କରାଯାଇପାରିବ ନାହିଁ। ବାପା-ମାଆଙ୍କ ବୟାନ ମଧ୍ୟ ସଠିକ୍ ନଥିଲା। ମହିଳାଙ୍କ ମାଆ, ଚାପୁଡ଼ା ମାରିବା କଥା ସ୍ୱୀକାର କରିଥିଲେ। କିନ୍ତୁ ବାପା ଏହା ଦେଖିନଥିବା କହିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମହିଳା ଜଣକ ବିବାହ ସମୟରେ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ କେବେ ବି ଆନୁଷ୍ଠାନିକ ଅଭିଯୋଗ କରିନଥିଲେ।

ଏମିତିରେ ଜଷ୍ଟିସ୍ ଗୋପୀ ତାଙ୍କ ଆଦେଶରେ ଲେଖିଛନ୍ତି, "ସ୍ତ୍ରୀଙ୍କୁ ଚାପୁଡ଼ା ମାରିବାର ଗୋଟିଏ ଘଟଣା ନିଷ୍ଠୁରତା ବୋଲି ବିବେଚନା କରାଯାଇପାରିବ ନାହିଁ। ଏହା ଆତ୍ମହତ୍ୟାର କାରଣ ବୋଲି ପ୍ରମାଣିତ ହୋଇନାହିଁ।" କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ ମାମଲାରେ, ନିଷ୍ଠୁରତା ସ୍ଥାୟୀ ଏବଂ ଅସହ୍ୟ ଥିଲା ବୋଲି ପ୍ରମାଣିତ ହେବା ଆବଶ୍ୟକ। କେବଳ ପ୍ରତିଦିନ ବୈବାହିକ କଳହକୁ ଅପରାଧ ବୋଲି ବିବେଚନା କରାଯାଇପାରିବ ନାହିଁ। ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ବାତିଲ କରି ସ୍ୱାମୀଙ୍କୁ ଦୋଷମୁକ୍ତ କରିଛନ୍ତି।