ଆମେରିକା-ଇସ୍ରାଏଲ ବିରୋଧରେ ଯୁଦ୍ଧକୁ ଡେଇଁଲା ମିଡ଼ିଲ ଇଷ୍ଟର ଆଉ ଏକ ଦେଶ , ଇରାନକୁ କରିବ ସହଯୋଗ

Published By : Prameya-News7 Bureau | June 23, 2025 IST

ନୂଆଦିଲ୍ଲୀ : ଆମେରିକା ଓ ଇସ୍ରାଏଲ ବିରୋଧରେ ଜାରି ଯୁଦ୍ଧରେ ଏବେ ଇରାନକୁ ମିଳିଛି ଆଉ ଏକ ଦେଶର ସମର୍ଥନ। ମିଡ଼ିଲ ଇଷ୍ଟର ଏହି ଦେଶ ୟେମେନ ଇରାନକୁ ଖୋଲା ସମର୍ଥନ ମିଳିଛି। ୟେମେନ୍‌ ଅଫିସିଆଲି ଭାବେ ଏହି ଯୁଦ୍ଧରେ ସାମିଲ ହେବାକୁ ଘୋଷଣା କରି ଦେଇଛି। ୟେମେନୀ ସଶସ୍ତ୍ର ବାହିନୀର ପ୍ରବକ୍ତା ବ୍ରିଗେଡିୟର ଜେନେରାଲ ୟାହ୍ୱ ସରିଅ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଘୋଷଣା କରିଛନ୍ତି। ଏହି ଘୋଷଣା ସହ ୩ୟ ବିଶ୍ୱଯୁଦ୍ଧର ଆଶଙ୍କା ବଢି ଯାଇଛି। 

ଫୋର୍ଦୋରେ ଏବେ ଇସ୍ରାଏଲର ଆକ୍ରମଣ, ଇରାନୀ ପରମାଣୁ କେନ୍ଦ୍ରରେ ଏହା ଦ୍ୱିତୀୟ ହମଲା

ଇରାନ ଓ ଇସ୍ରାଏଲ ମଧ୍ୟରେ ୧୩ ଜୁନରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଏବେ ୟେମେନ ମଧ୍ୟ ଅଫିସିଆଲି ଭାବେ ସାମିଲ ହୋଇ ଯାଇଛି। ୟେମେନୀ ସଶସ୍ତ୍ର ବାହିନୀର ପ୍ରବକ୍ତା ବ୍ରିଗେଡିୟର ଜେନେରାଲ ୟାହ୍ୱା ସରିଅ କହିଛନ୍ତି , ୟେମେନ ଏବେ ଅଫିସିଆଲି ଭାବେ ଆମେରିକା ଓ ଇସ୍ରାଏଲ ବିରୋଧ ଯୁଦ୍ଧରେ ପ୍ରବେଶ କରି ସାରିଛି। ନିଜର ଜାହାଜ ଗୁଡ଼ିକୁ ଆମର ସାମୁଦ୍ରିକ ସୀମା ଠାରୁ ଦୂରେଇ ରଖନ୍ତୁ। 

ୟେମେନ ସେନାର ଏହି ବିବୃତ୍ତି ଇରାନ ଉପରେ ଆମେରିକୀୟ ବିମାନ ଆକ୍ରମଣ ପରେ ଆସିଛି। ଗତ ଦିନରେ ଆମେରିକୀୟ ସେନା ‘ ଅପରେସନ ମିଡ୍‌-ନାଇଟ୍‌ ହ୍ୟାମର’ ଅନୁସାରେ ଇରାନର ପରମାଣୁ କେନ୍ଦ୍ର ଫୋର୍ଦୋ , ଇସ୍ଫାନ ଓ ନତାଞ୍ଜ ଆଦିକୁ ଟାର୍ଗେଟ୍‌ କରି ଯୁଦ୍ଧକୁ ଆଉ ଏକ ନୂଆ ସ୍ତରକୁ ନେଇ ଯାଇଛି। ଏହା ବ୍ୟତୀତ ସୋମବାର ଇସ୍ରାଏଲୀୟ ସେନା ମଧ୍ୟ ଫୋର୍ଦୋ ପରମାଣୁ ସାଇଟ୍‌ରେ ବିମାନ ଆକ୍ରମଣ କରିଛି। 

ୟେମେନ ସେନା ପକ୍ଷରୁ ବିବୃତ୍ତିରେ କୁହାଯାଇଛି, ଆମେରିକୀୟ ସମର୍ଥନରେ ଇସ୍ରାଏଲ ପୂରା ଅଞ୍ଚଳକୁ ଅସ୍ଥିର କରିବାର ଷଡ଼ଯନ୍ତ୍ର କରୁଛି। ଆମେ ଏହା ବିରୋଧରେ ଠିଆ ହୋଇଛୁ ଏବଂ ଚେତାବନୀ ଦେଉଛୁ କି, ଆମର ଆଞ୍ଚଳିକ ଜଳ ସୀମାକୁ ଅଣଦେଖା କରିବା ବିପଜ୍ଜନକ ସାବ୍ୟସ୍ତ ହେବ। ଶନିବାର ୟେମେନୀ ସଶସ୍ତ୍ର ବାହିନୀ ଏକ ଅଫିସିଆଲି ସେନା ବୟାନ ଜାରି କରି ଗାଜା, ଲେବାନନ ,ସିରିଆ ଓ ଅନ୍ୟ ଆରବ ଓ ଇସଲାମୀ ଦେଶ ଗୁଡ଼ିକ ଉପରେ ହେଉଥିବା ଇସ୍ରାଏଲୀୟ ହମଲାର ନିନ୍ଦା କରିଥିଲା।

ଉକ୍ତ ଘଟଣାକ୍ରମ ପଶ୍ଚିମ ଏସିଆରେ ପୂର୍ବରୁ ଜାରି ଉତ୍ତେଜନାକୁ ଆହୁରି ତେଜି ଦେଇଛି। ୟେମେନର ଯୁଦ୍ଧରେ ଔପଚାରିକ ଭାବେ ଡେଇଁବା ଆମେରିକା ଓ ଇସ୍ରାଏଲ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇପାରେ, ବିଶେଷକରି ଏମିତି ସମୟରେ ଯେତେବେଳେ ଇସ୍ରାଏଲ ଏକାଥରେ ଗାଜା , ଲେବାନନ ଓ ଏବେ ସିଧାସଳଖ ଇରାନ ବିରୋଧରେ ମଧ୍ୟ ଲଢୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.