ଫୋର୍ଦୋରେ ଏବେ ଇସ୍ରାଏଲର ଆକ୍ରମଣ, ଇରାନୀ ପରମାଣୁ କେନ୍ଦ୍ରରେ ଏହା ଦ୍ୱିତୀୟ ହମଲା

Published By : Prameya-News7 Bureau | June 23, 2025 IST

ନୂଆଦିଲ୍ଲୀ : ଆମେରିକା ରବିବାର ବିପଜ୍ଜନକ ବି-୨ ବୋମା ବ୍ୟବହାର କରି ଇରାନର ପରମାଣୁ କେନ୍ଦ୍ରକୁ ଟାର୍ଗେଟ୍‌ କରିଥିଲା। ଏବେ ଇରାନୀ ମିଡିଆ ଦାବି କରିଛି ଯେ, ଆମେରିକା ଦ୍ୱାରା ଟାର୍ଗେଟ୍‌ କରାଯାଇ ଥିବା ଫୋର୍ଦୋ ପରମାଣୁ କେନ୍ଦ୍ରରେ ପୁଣି ଥରେ ହମଲା କରାଯାଇଛି। ହେଲେ ମିଡ଼ିଆ ପକ୍ଷରୁ ଇସ୍ରାଏଲ କିମ୍ୱା ଆମେରିକା କାହାର ହିଁ ନାଁ ନିଆଯାଇ ନାହିଁ ଏବଂ ଏହି ଦ୍ୱିତୀୟ ହମଲାରେ ସେଠାରେ କେତେ କ୍ଷତି ହୋଇଛି ତାହା ବି କୁହାଯାଇନି। ହେଲେ ଏହି କେନ୍ଦ୍ରକୁ ନେଇ ଇସ୍ରାଏଲ ପୂର୍ବରୁ ହିଁ କହି ସାରିଛି ଯେ ,ସେ ଇରାନ ଉପରେ ଏୟାର ଷ୍ଟ୍ରାଇକ୍‌କୁ ଜାରି ରଖିବ।

ଇରାନୀ ମିଡ଼ିଆ ମୁତାବିକ , ଏହି ହମଲା ଠିକ୍‌ ସେହି ସ୍ଥାନରେ କରାଯାଇଛି, ଯେଉଁଠି ପ୍ରଥମେ ଆମେରିକା ହମଲା କରିଥିଲା। ସେଠାରେ ଅଲଜଜିରାର ରିପୋର୍ଟ ମୁତାବିକ , ଏହି ହମଲାରେ ସେହି ସ୍ଥାନର ଆଖପାଖରେ ରହୁଥିବା ଲୋକଙ୍କର କିଛି କ୍ଷତି ହୋଇ ନାହିଁ। ଅନ୍ୟପଟେ ନିଜର ପରମାଣୁ କେନ୍ଦ୍ରରେ ଲଗାତାର ହୋଇଥିବା ହମଲା ମଧ୍ୟରେ ଇରାନ କହିଛି ଯେ , ସେ ନିଜର ପରମାଣୁ କାର୍ଯ୍ୟକ୍ରମକୁ ରୋକିବ ନାହିଁ।

ଉପ-ବିଦେଶ ମନ୍ତ୍ରୀ ରଭାଞ୍ଚି ଆମେରିକା ଦ୍ୱାରା କରାଯାଇ ଥିବା ହମଲାର ସମାଲୋଚନା କରି ଏହାକୁ ଗୁରୁତର ଅପରାଧ କହିଛନ୍ତି। ଏହାସହ ଇରାନ ଆମେରିକା ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇ କହିଛି - ଆମ ଦେଶରେ କରାଯାଇ ଥିବା ହମଲାରେ ଏବେ ଆମ ସେନାକୁ ଖୋଲାଖୋଲି ମୁକ୍ତି ମିଳି ଯାଇଛି। ଏହି ଅଞ୍ଚଳରେ କେହି ବି ଆମେରିକା ନାଗରିକ ବା ଆମେରିକୀୟ ସଂପତ୍ତି ଆମର ଟାର୍ଗେଟ୍‌ରେ। ସୋମବାର ମଧ୍ୟ ଇସ୍ରାଏଲୀୟ ହମଲାର ଜବାବ ଦେଇ ଇରାନ ଏହାର ଶକ୍ତି କେନ୍ଦ୍ରଗୁଡ଼ିକ ଉପରେ ଟାର୍ଗେଟ୍ କରିଥିଲା।

ନ୍ୟୁକ୍ଲିୟର କେନ୍ଦ୍ରଗୁଡ଼ିକ ଉପରେ ନଜର ରଖୁଥିବା ସଂଯୁକ୍ତ ରାଷ୍ଟ୍ର ସଂଘର ଏଜେନ୍ସି ଭିଏନାରେ ଆମେରିକା ଦ୍ୱାରା କରାଯାଇଥିବା ହମଲାକୁ ନେଇ କହିଛି  ଯେ, ଏହି ହମଲାରେ ଖୁବ୍ କ୍ଷତି ଘଟିଛି। ଏଜେନ୍ସିର ପ୍ରମୁଖ ମାରିଆନୋ ଗ୍ରାସି କହିଛନ୍ତି ଯେ, ଆମେରିକା ଦ୍ୱାରା ଯେଉଁ ପ୍ରକାରର ବଙ୍କର ବଷ୍ଟର ବୋମାର ବ୍ୟବହାର କରାଯାଇଛି, ଏଥିରେ ଇରାନର ଏହି ପରମାଣୁ ସ୍ଥଳ ଗୁ଼ଡ଼ିକରେ ଖୁବ୍‌ କ୍ଷତି ହେବାର ଆଶଙ୍କା ରହିଛି। 

ଗ୍ରାସି କହିଛନ୍ତି , ଆମେରିକା ଦ୍ୱାରା ବ୍ୟବହାର କରାଯାଇ ଥିବା ବିସ୍ଫୋରକ ପେଲୋଡ ଓ ସେଣ୍ଟ୍ରିଫ୍ୟୁଜ୍‌ର ପ୍ରକୃତିକୁ ଦେଖି ଏହା ନିଶ୍ଚିତ ଯେ ସେଠାରେ ବହୁତ ଅଧିକ କ୍ଷତି ହୋଇଛି। ହେଲେ ଏବେ କୌଣସି ବି ବ୍ୟକ୍ତି କିମ୍ୱା ସଂଗଠନ ଗୁଡ଼ିକ ଏହି ସ୍ଥାନ ଗୁଡ଼ିକରେ ହୋଇଥିବା କ୍ଷତିର ସଠିକ୍‌ ଅନ୍ଦାଜ ଲଗେଇବା ସ୍ଥିତିରେ ନାହାନ୍ତି।

ଏହା ପୂର୍ବରୁ ରବିବାର ଆମେରିକା ‘ଅପରେସନ ମିଡ୍‌ ନାଇଟ୍‌ ହ୍ୟାମର’ ମାଧ୍ୟମରେ ନିଜର ବିପଜ୍ଜନକ ବୋମା ବର୍ଷକ ବିମାନକୁ ଇରାନର ତିନୋଟି ପରମାଣୁ ସ୍ଥାନରେ ବୋମା ବର୍ଷା କରିଥିଲା । ଏହି ହମଲା ସହ ହିଁ ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲୁଥିବା ଏହି ଯୁଦ୍ଧରେ ଆମେରିକା ସାମିଲ ହୋଇ ଯାଇ ଥିଲା। ହେଲେ ଆମରିକା ପକ୍ଷରୁ କୁହାଯାଇଛି ଯେ, ଆମେ ଇରାନ ସହ ଯୁଦ୍ଧ କରିବାକୁ ଚାହୁଁ ନାହୁଁ। କିନ୍ତୁ ଯଦି ଇରାନ ଏହି ହମଲାର ପାଲଟା ଆକ୍ରମଣ କରେ ତ ତାକୁ ଖୁବ୍‌ ଭୟଙ୍କର ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.