ବେଙ୍ଗାଲୁରୁ : ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଆଉ ଏକ ଦୁର୍ଘଟଣା ହେବାରୁ ଟଳି ଯାଇଛି। ଇଣ୍ଡିଗୋର ଗୌହାଟୀ-ଚେନ୍ନାଇ ଫ୍ଲାଇଟ୍ର ବେଙ୍ଗାଲୁରୁରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ହୋଇଛି। ଏନଡିଟିଭିର ସୂତ୍ରାନୁସାରେ , ଇନ୍ଧନ କମ୍ ହେବା କାରଣରୁ ଫ୍ଲାଇଟ୍ର ପାଇଲଟ Maydayର ମେସେଜ୍ ମଧ୍ୟ ପଠାଇ ଥିଲେ। ହେଲେ , ଆଶ୍ୱସ୍ତିର କଥା ଏହା ଯେ, ବିମାନ ବେଙ୍ଗାଲୁରୁରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା। ଏହି ପୂରା ଘଟଣା ଗୁରୁବାରର , କିନ୍ତୁ ଶନିବାର ଏହି ବିଷୟରେ ସୂଚନା ମିଳିଛି। ୧୨ଜୁନରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ କ୍ରାଶ୍ ହୋଇଥିଲା। ଏହି ସମୟରେ ମଧ୍ୟ ପାଇଲଟ୍ Mayday ମେସେଜ୍ ପଠାଇ ଥିଲେ।
ଇଣ୍ଡିଗୋ ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ ଓ ମେଡେ ମେସେଜ୍ ପରେ ପାଇଲଟଙ୍କୁ ପଦରୁ ହଟାଇ ଦିଆଯାଇଛି। ମେଡେ ମେସେଜ୍ ବିମାନର ପାଇଲଟ ସେହି ସମୟରେ ପଠାଇ ଥାନ୍ତି , ଯେବେ ସଂପୂର୍ଣ୍ଣ ରୂପେ ଏମର୍ଜେନ୍ସି ହୋଇଥାଏ।ତାଙ୍କ ପାଖରେ କୌଣସି ଦ୍ୱିତୀୟ ରାସ୍ତା ନଥାଏ। ଏହି ସ୍ଥିତିରେ ଏଟିସିକୁ ମେଡେର ମେସେଜ ପଠାଇ ତାଙ୍କୁ ବିମାନ ପାଇଁ ଆସିଥିବା ଏମର୍ଜେନ୍ସି ବିଷୟରେ ଅବଗତ କରାଯାଏ। ୧୨ ଜୁନରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ସମୟ ମଧ୍ୟ ପାଇଲଟ୍ ଏଟିସିକୁ ମେଡେର ମେସେଜ ପଠାଇ ଥିଲେ। ଏହି ମେସେଜ୍ ଠିକ୍ ୧.୩୮ଟା ସମୟରେ ଦିଆଯାଇ ଥିଲା। ଏହାପରେ ଯେବେ ଏଟିସି ବିମାନ ସହ ସଂପର୍କ କରିବାକୁ ଚେଷ୍ଟା କଲା ତ କୌଣସି ଜବାବ ମିଳି ନଥିଲା। ସେତେବେଳେ ବିମାନ ମେଘାନିନଗରର ଆବାସିକ ଅଞ୍ଚଳରେ ଯାଇ କ୍ରାସ୍ ହୋଇ ଗଲା। ଏହି ବିମାନରେ ୨୪୨ ଲୋକ ବସିଥିଲେ ଏବଂ ଜଣେ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ମୃତ୍ୟୁ ହୋଇଥିଲା।
ଏହି ମଧ୍ୟରେ, ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ବେସାମରିକ ବିମାନ ଚଳାଚଳ ନିୟାମକ ଏୟାର ଇଣ୍ଡିଆକୁ ‘ବ୍ୟବସ୍ଥିତ ବିଫଳତା’ ପାଇଁ ତିନି ଜଣ ଅଧିକାରୀଙ୍କୁ ତାଙ୍କର ଭୂମିକାରୁ ହଟାଇବାର ଆଦେଶ ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ର ନିର୍ଦ୍ଦେଶରେ ଏହା ବିସ୍ତୃତ ରୂପେ କୁହାଯାଇ ନାହିଁ, ଯେ ଏହା ଅହମ୍ମଦାବାଦରେ ୧୨ ଜୁନରେ ହୋଇଥିବା ଘଟଣା ସହ ଜଡ଼ିତ ନା ନାହିଁ। ଡିଜିସିଏର ନିର୍ଦ୍ଦେଶରେ କୁହାଯାଇଛି ଯେ, ଏୟାରଲାଇନର ସ୍ୱେଚ୍ଛାକୃକ ଖୁଲାସା ଚାଳକ ଦଳର ସିଡ୍ୟୁଲିଂ, ଅନୁପାଳନ ତଦାରଖ ଓ ଆଭ୍ୟନ୍ତରୀଣ ଦାୟିତ୍ୱରେ ବ୍ୟବସ୍ଥିତ ବିଫଳତା ଆଡ଼କୁ ସଙ୍କେତ କରୁଛି।
ନିୟାମକ ଏୟାର ଇଣ୍ଡିଆକୁ ଆଦେଶରେ ନାମିତ ତିନି ଅଧିକାରୀଙ୍କୁ ଚାଳକ ଦଳର ସମୟ ସୂଚୀ ସହ ସମ୍ୱନ୍ଧିତ ସବୁ ଭୂମିକା ଓ ଦାୟିତ୍ୱରୁ ହଟାଇବା, ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ କରିବା ଓ ୧୦ ଦିନ ଭିତରେ ନିଆଯାଇ ଥିବା ପଦକ୍ଷେପର ରିପୋର୍ଟ ଦେବାର ନିର୍ଦ୍ଦେଶ ଦେଇଛି। ଭବିଷ୍ୟତରେ ଉଲ୍ଲଂଘନର ପରିଣାମସ୍ୱରୂପ ଲାଇସେନ୍ସ ନିଲମ୍ୱନ ମଧ୍ୟ ହୋଇ ପାରେ। ଏୟାରଲାଇନ ଶନିବାର କହିଛି ଯେ, ସେ ଆଦେଶକୁ ଲାଗୁ କରି ଦେଇଛି। ସୁରକ୍ଷା ପ୍ରୋଟୋକଲ ଓ ମାନକ ଅଭ୍ୟାସ ଗୁଡ଼ିକୁ ସଂପୂର୍ଣ୍ଣ ପାଳନ କରିବା ପାଇଁ ଏୟାର ଇଣ୍ଡିଆ ପ୍ରତିବଦ୍ଧ , ଏକ ବିବୃତ୍ତିରେ ଏୟାର ଇଣ୍ଡିଆ କହିଛି।