Live Live
LIVE

ସମ୍ବଲପୁରରେ ଖୁବ୍‌ଶୀଘ୍ର ପ୍ରତିଷ୍ଠା ହେବ ସିଜିଏଚ୍ଏସ୍ ହେଲଥ୍ ୱେଲନେସ୍ ସେଣ୍ଟର

NEWS7
another-8299-covid-patients-has-been-discharged-in-odisha-on-10-06-21

ନୂଆଦିଲ୍ଲୀ/ସମ୍ବଲପୁର ୮।୩: ସମ୍ବଲପୁରରେ ଏକ ନୂତନ କେନ୍ଦ୍ର ସରକାରୀ ସ୍ୱାସ୍ଥ୍ୟ ଯୋଜନା (CGHS) ୱେଲନେସ୍ ସେଣ୍ଟର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ସବୁପ୍ରକାର ଅନୁମୋଦନ ପ୍ରଦାନ କରି ସାରିଛନ୍ତି । ଏହା ଖୁବ୍ଶୀଘ୍ର ସମ୍ବଲପୁରରେ ସ୍ଥାପନା ହେବାକୁ ଯାଉଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ ତାଙ୍କୁ ଚିଠି ଲେଖି ଏ ସମ୍ପର୍କରେ ସୂଚିତ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ।

ଧର୍ମେନଦ୍ର ପ୍ରଧାନ ଗତ ୮ ସେପ୍ଟେମ୍ବର ୨୦୨୫ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ପତ୍ର ଲେଖି ସମ୍ବଲପୁରରେ ଏକ ସିଜିଏଚଏସ ହେଲଥ୍ ସେଣ୍ଟରର ଆବଶ୍ୟକତା ବିଷୟରେ ଜଣାଇଥିଲେ । ସେ ପତ୍ରରେ ଉଲ୍ଲେଖ କରିଥିଲେ, ସମ୍ବଲପୁରରେ ବିଏସଏନଏଲ, ଡାକ ବିଭାଗ, ଆୟକର ବିଭାଗ, ପୂର୍ବତଟ ରେଳବାଇ, କେନ୍ଦ୍ରୀୟ ଅବକାରୀ ବିଭାଗ, ସିଆରପିଏଫ ଗ୍ରୁପ୍ ସେଣ୍ଟର, ଆଇଆଇଏମ୍ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ପରି ଅନେକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ସଂସ୍ଥା ରହିଛି । ଏଠାରେ ବହୁ ସଂଖ୍ୟାରେ କାର୍ଯ୍ୟରତ କର୍ମଚାରୀ ଓ ଅବସରପ୍ରାପ୍ତ ପେନସନଭୋଗୀ ବସବାସ କରୁଛନ୍ତି । ଏହି ସୁବିଧା ନଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ପ୍ରାୟ ୩୦୦ କିଲୋମିଟର ଦୂର ଭୁବନେଶ୍ୱର, କଟକ କିମ୍ବା ବ୍ରହ୍ମପୁର ଯିବାକୁ ପଡ଼ୁଛି । ଏହାଦ୍ୱାରା ବିଶେଷ କରି ପ୍ରାପ୍ତ ବୟସ୍କ ପେନସନଭୋଗୀ ମାନେ ହଇରାଣ ହେଉଛନ୍ତି ।

ଏହାର ପ୍ରତ୍ୟୁତରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ସମ୍ବଲପୁରରେ ସିଜିଏଚଏସ ସେଣ୍ଟର ପାଇଁ ସବୁପ୍ରକାର ଅନୁମୋଦନ ମିଳିସାରିଛି । ଏହି ସେଣ୍ଟର ପାଇଁ ଆବଶ୍ୟକୀୟ ପଦବୀ ପୂରଣ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ ଦେଇସାରିଛି । ଉକ୍ତ ପଦବୀଗୁଡ଼ିକ ମଧ୍ୟରେ ମେଡିକାଲ ଅଫିସର, ନର୍ସିଂ ଅଫିସର, ଫାର୍ମାସିଷ୍ଟ ଏବଂ ଜୁନିୟର ହେଲଥ ଆଡମିନିଷ୍ଟ୍ରେଟିଭ ଆସିଷ୍ଟାଣ୍ଟ ପୋଷ୍ଟ ରହିଛି । ତେବେ ସେଣ୍ଟରଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ, ପେନସନଭୋଗୀମାନେ ନିକଟସ୍ଥ ସିଜିଏଚଏସ ସହରରୁ ସୁବିଧା ପାଇପାରିବେ ଏବଂ କାର୍ଯ୍ୟରତ କର୍ମଚାରୀମାନେ ସେଣ୍ଟରାଲ ସର୍ଭିସ୍(ମେଡିକାଲ ଆଟେନଡାନ୍ସ) ନିୟମ ଅଧୀନରେ ଚିକିତ୍ସା ସୁବିଧା ପାଇବା ଜାରି ରଖିବେ ।

ଏହି ପଦକ୍ଷେପ ପାଇଁ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଜୀବନଧାରଣକୁ ସହଜ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ କହିଛନ୍ତି ।