କେମିତି ଘଟିଲା ଇସଲାମାବାଦ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ ? ଭିଡିଓରେ ଆହୁରି ଭୟଙ୍କର ଚିତ୍ର

NEWS7
animal-actress-tripti-dimri-talks-about-shooting-with-ranbir-kapoor

ଇସଲମାବାଦ: ପାକିସ୍ତାନର ରାଜଧାନୀ ଇସଲମାବାଦରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ । ଶିଆ ମସଜିଦ୍ରେ ଆତ୍ମଘାତୀ ବିସ୍ଫୋରଣରେ ୬୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଇସଲାମାବାଦରେ ଥିବା ଏହି ମସଜିଦ୍ରେ ଶୁକ୍ରବାର ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ସେପଟେ ଶୁକ୍ରବାର ନମାଜ ସମୟରେ ଏଭଳି ବିସ୍ଫୋରଣକୁ ନେଇ କେହି କେବେ କଳ୍ପନା କରିନଥିବେ । ଇସ୍ଲାମାବାଦର ଶେହଜାଦ ଟାଉନ୍ ଅଞ୍ଚଳର ତରଲାଇ ଇମାମବାରଗାରେ ଏହି ବିସ୍ଫୋରଣ ହୋଇଛି ।

ଆକ୍ରମଣକାରୀ ନିଜ ଦେହରେ ବୋମା ଖଞ୍ଜି ମସଜିଦରେ ପହଞ୍ଚିଥିଲା । ଗେଟ୍ ନିକଟରେ ସୁରକ୍ଷାକର୍ମୀ ଅଟକାଇବାକରୁ ନିଜକୁ ଉଡ଼ାଇ ଦେଇଥିଲା ଆକ୍ରମଣକାରୀ । ଏଭଳି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଶିଆ ମୁସଲମାନଙ୍କ ବୈଠକ ହଲ୍କୁ ଟାର୍ଗେଟ କରି କରିଯାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏନେଇ ଖବର ପାଇବା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତଙ୍କ ସଂଖ୍ୟ ଖୁବ ଅଧିକ ଥିବାରୁ ରାଜଧାନୀର ସମସ୍ତ ହସ୍ପିଟାଲରେ ଜରୁରୀ ସ୍ଥିତି ଘୋଷଣା କରାଯାଇଛି ।

ଉଜବେକିସ୍ତାନ ରାଷ୍ଟ୍ରପତି ସବାକତ ମିର୍ଜିୟୁଏଭଙ୍କ ଦୁଇ ଦିନିଆ ଗସ୍ତରେ ଗୁରୁବାର ପାକିସ୍ତାନରେ ପହଞ୍ଚିଥିବା ବେଳେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରି । ନିରୀହ ଲୋକଙ୍କୁ ଆକ୍ରମଣ କରିବା, ମାନବତା ପ୍ରତି ଅପରାଧ ବୋଲି ସେ କହିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ମଧ୍ୟ ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ଆକ୍ରମଣକୁ ଦୃଢ଼ ଭାଷାରେ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପାକିସ୍ତାନର ସଂସଦୀୟ ବ୍ୟାପାର ମନ୍ତ୍ରୀ ତାରିକ୍ ଫଜଲ ଚୌଧୁରୀ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ସେପଟେ ପୋଲିସ ଆତ୍ମଘାତୀ ବିସ୍ଫୋରଣର କାରଣ ଖୋଜିବାକୁ ଚେଷ୍ଟା କରୁଛି । ବିସ୍ଫୋରଣ ଲାଗି କୌଣସି ଆତଙ୍କୀ ସଂଗଠନ ପ୍ରତିକ୍ରିୟା ଦେଇନାହାନ୍ତି । ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସିଥିବା ପାକିସ୍ତାନ ଏବେ ନିଜେ ଆତଙ୍କବାଦୀଙ୍କ ଜ୍ବାଳାରେ ଜର୍ଜରିତ । ତେବେ ଏହି ଆକ୍ରମଣ କୌଣସି ବିଦେଶୀ ନଗରିକଙ୍କ ଦ୍ବାରା କରାଯାଇଛି ବୋଲି ପୋଲିସ ସନ୍ଦେହ କରୁଛି ।

 

ଅନ୍ୟପକ୍ଷରେ ବିସ୍ଫୋରଣ ସମୟର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ବିସ୍ଫୋରଣ ପରେ ଲୋକେ ଭୟରେ ଏଣେତେଣେ ଦୌଡ଼ୁଛନ୍ତି, ଚିତ୍କାର କରୁଥିବା ଦେଖିବାକୁ ମିଳିଛି । ଜିନିଷପତ୍ର, ଲୋକଙ୍କ ଜୋତା ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଛି । ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ସବୁ ପଡ଼ିଛି। ପୋଲିସ, ସ୍ଥାନୀୟ ଲୋକେ ପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଦୌଡୁଥିବାର ଦେଖିବାକୁ ମିଳିଛି ।