ପ୍ୟାରିସ ଅଲିମ୍ପିକ୍ସ ଆଲଜେରିଆନ ବକ୍ସରଙ୍କୁ ନେଇ ବିବାଦ, ମହିଳା ପ୍ରତିଯୋଗୀଙ୍କ ସହ ଖେଳିଲେ ପୁରୁଷ

Published By : Prameya-News7 Bureau | August 02, 2024 IST

ନୂଆଦିଲ୍ଲୀ ୦୨/୦୮: ମହିଳା ବର୍ଗର ଏକ ବକ୍ସିଂର ମ୍ୟାଚ୍‌କୁ ନେଇ ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରେ ବଡ଼ ବିବାଦ ଉପୁଜିଛି । ୬୬କିଲୋ ବର୍ଗ ରାଉଣ୍ଡ-୧୬ର ଏକ ମ୍ୟାଚ୍‌ରେ ଇଟାଲୀର ଆଞ୍ଜେଲା କ୍ୟାରିନ ଆଲଜେରିଆର ଇମାନେ ଖେଲିଫଙ୍କୁ ଭେଟିଥିଲେ । ମାତ୍ର ୪୬ ସେକେଣ୍ଡ ମଧ୍ୟରେ କ୍ୟାରିନ ମ୍ୟାଚ୍‌ରୁ ଓହରି ଯାଇଥିଲେ । 

ଏହା ପଛର କାରଣ ଅଲିମ୍ପିକ୍ସକୁ କଳଙ୍କିତ କରିଛି କହିଲେ ଭୁଲ ହେବ ନାହିଁ । ଉକ୍ତ ମ୍ୟାଚ୍‌ ଆରମ୍ଭ ହେବାର ୪୬ ସେକେଣ୍ଡ ମଧ୍ୟରେ କ୍ୟାରିନ୍‌ ଓହରି ଯାଇଥିଲେ । ଖେଲିଫଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । କ୍ୟାରିନ ରିଙ୍ଗ ଭିତରେ ଆଣ୍ଠୁ ମାଡ଼ି କାନ୍ଦିଥିଲେ । ଖେଲିଫଙ୍କ ଗୋଟିଏ ପଞ୍ଚ କ୍ୟାରିନଙ୍କ ମୁହଁରେ ବାଜିଥିଲା । କ୍ୟାରିନ୍‌ ଦୁଇ ପାଦ ପଛକୁ ଫେରି ଯାଇଥିଲେ । ସେଠାରୁ ସେ ସିଧା ରିଙ୍ଗ କୋଣକୁ ଯାଇ କୋଚଙ୍କ ସହାୟତା ନେଇଥିଲେ ଓ ମ୍ୟାଚ୍‌ରୁ ଓହରି ଯାଇଥିଲେ । 


କୌଣସି ମହିଳା ଏତେ ଶକ୍ତିଶାଳୀ ପଞ୍ଚ ମାରି ପାରିବେ ନାହିଁ ବୋଲି ଦର୍ଶାଇ କ୍ୟାରିନ ମ୍ୟାଚ୍‌ରୁ ଓହରି ଯାଇଥିଲେ । ସେ କହିଥିଲେ, ଦୀର୍ଘ ଦିନର କ୍ୟାରିୟର ମଧ୍ୟରେ ସେ କେବେ ମଧ୍ୟ ଏତେ ଶକ୍ତିଶାଳୀ ମୁଥ ଖାଇ ନଥିଲେ । ଖେଲିଫଙ୍କ ମୁଥ ମାଡ଼ରେ କ୍ୟାରିନଙ୍କ ନାକରେ ଗଭୀର ଆଘାତ ଲାଗିଥିବା ଜଣା ପଡ଼ିଛି । ନିଜକୁ ମହିଳା ଭାବେ ଦାବି କରୁଥିବା ଆଲଜେରିଆ ବକ୍ସର ଖେଲିଫ ଗତ ବର୍ଷ ଲିଙ୍ଗଗତ ଯୋଗ୍ୟତା ପରୀକ୍ଷାରେ ଫେଲ ହୋଇଥିଲେ । 

ନୂଆ ଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ମୁକାବିଲା ପୂର୍ବରୁ ତାଙ୍କୁ ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍‌(ଆଇବିଏ) ନିଲମ୍ବିତ କରିଥିଲା । ତାଙ୍କ ଶରୀରରେ ପୁରୁଷ (ଏକ୍ସୱାଇ) କ୍ରୋମୋଜୋମ୍‌ ମାତ୍ରା ଅଧିକ ଥିବା ଆଇବିଏ ଘୋଷଣା କରିଥିଲା । ମାତ୍ର ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି) ତାଙ୍କୁ ପ୍ୟାରିସ୍‌ରେ ଖେଳିବାକୁ ଅନୁମତି ଦେଇଥିଲା । କାରଣ, ଆଇଓସି ବର୍ତ୍ତମାନ ଆଇବିଏକୁ ଅନ୍ତର୍ଜାତୀୟ ସଙ୍ଘର ମାନ୍ୟତା ଦେଉନାହିଁ ।


  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.