ନୂଆଦିଲ୍ଲୀ ୨୬।୬: ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ହିନ୍ଦୀ ବିରୋଧରେ କରୁଥିବା ବୟାନବାଜୀରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଗୁରୁବାର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଭାଷା ଦେଶକୁ ଭାଙ୍ଗିବାକୁ ନୁହେଁ ବରଂ ଗଢିବାକୁ ଏକ ସଶକ୍ତ ମାଧ୍ୟମ ହେବା ଉଚିତ। କେନ୍ଦ୍ର ଗୃହମନ୍ତ୍ରାଳୟ ରାଜଭାଷା ବିଭାଗର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରି ଶାହ କହିଛନ୍ତି ଯେ କୌଣସି ଦେଶ ନିଜର ଚେତନା ଓ ସଂସ୍କୃତି ଆଧାରରେ ଆଗକୁ ବଢିବା ଲାଗି ତା ପ୍ରଶାସନର ସଞ୍ଚାଳନ ମାତୃଭାଷାରେ ହେବା ଜରୁରି।
ଅମିତ ଶାହ କହିଛନ୍ତି ଯେ ରାଜଭାଷା ବିଭାଗ ସ୍ଥାପନାର ଉଦ୍ଦେଶ୍ୟ ଦେଶର ଶାସନ ନାଗରିକଙ୍କ ଭାଷାରେ ଚଳାଇବାକୁ ଓ ପ୍ରଶାସନରେ ଭାରତୀୟ ଭାଷାଗୁଡିକର ଉପଯୋଗ କରି ଦେଶର ଆତ୍ମସମ୍ମାନକୁ ଜାଗୃତ କରିବା ଲାଗି କରାଯାଇଥିଲା। କୌଣସି ଦେଶ ନିଜ ଭାଷା ବିନା ସଂସ୍କୃତି, ସାହିତ୍ୟ, ଇତିହାସ ଓ ସାମାଜିକ ସଂସ୍କାର ଚିରଞ୍ଜିବୀ ରଖି ପାରିବ ନାହିଁ। ନିଜ ସଂସ୍କୃତି ଆଧାରରେ ଆତ୍ମ ସମ୍ମାନ ସହିତ ଆଗକୁ ବଢିବା ଲାଗି ଦେଶର ଶାସନ ତାଙ୍କ ନିଜ ଭାଷାରେ ହେବା ଦରକାର।
ଶାହ କହିଛନ୍ତି ଯେ ୫୦ ବର୍ଷର ଦୀର୍ଘ ଯାତ୍ରା ସଂଘର୍ଷ, ସାଧାନା ଓ ସଂକଳ୍ପ ଆଧାରରେ ଆମେ ସବୁ ମିଳିମିଶି ପୂରା କରିଛେ। ଅମିତ ଶାହ ସ୍ପଷ୍ଟ ରୂପେ କହିଛନ୍ତି ଯେ ହିନ୍ଦୀ କୌଣସି ଭାରତୀୟ ଭାଷାର ବିରୋଧୀ ହୋଇ ନପାରେ। ଏହା ସବୁ ଭାରତୀୟ ଭାଷାର ସଖୀ। ହିନ୍ଦୀ ଓ ଭାରତୀୟ ଭାଷା ମିଳିତ ଆମର ଆତ୍ମଗୌରବ ଉତ୍ଥାନ କାର୍ଯ୍ୟକ୍ରମକୁ ଶେଷ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚାଇ ପାରିବ। ସେ ରାଜ୍ୟ ଓ ଭାରତ ସରକାରଙ୍କ ପ୍ରଶାସନ ଭାରତୀୟ ଭାଷା ଆଧାରରେ ଚଳାଇବା ଲାଗି ସହଯୋଗର ଭରସା ମଧ୍ୟ ଦେଇଛନ୍ତି।