SIR କାଳରେ CAA ଆବେଦନକାରୀଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ଜାଣନ୍ତୁ କହିଲେ କ’ଣ?

NEWS7
amit-shah-may-be-appoint-as-cabinet-minister

ନୂଆଦିଲ୍ଲୀ ୧୦।୧୨: ସୁପ୍ରିମକୋର୍ଟ ସେହି ଲୋକଙ୍କ ନାମ ଭୋଟର ଲିଷ୍ଟରେ ସାମିଲ କରିବା ଲାଗି ଆଦେଶ ଦେବାକୁ ମନା କରିଦେଇଛନ୍ତି ଯେଉଁମାନେ ନାଗରିକତା ସଂଶୋଧନ ନିୟମ (ସିଏଏ) ୨୦୧୯ରେ ଭାରତୀୟ ନାଗରିକତା ପାଇବା ପାଇଁ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ସକ୍ଷମ ପ୍ରାଧିକର୍ତ୍ତା ନାଗରିକତା ନେଇ ନିଷ୍ପତ୍ତି ନେଇ ନାହାନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କୁ ଭୋଟର ଲିଷ୍ଟରେ ସାମିଲ କିପରି କରାଯାଇ ପାରିବ?

ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ବିଚାରପତି ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ପୀଠ ମୌଖିକ ଭାବେ କହିଛନ୍ତି ଯେ ପ୍ରଥମେ ନାଗରିକତା ପ୍ରାପ୍ତ କରନ୍ତୁ, ତା ପରେ ନାମ ଭୋଟର ଲିଷ୍ଟରେ ସାମିଲ ହୋଇଯିବ। ପୀଠ ‘ଆତ୍ମ ଦୀପ’ ନାମକ ଏକ ଏନଜିଓ ଦ୍ୱାରା ଆଗତ ପିଟିସନର ଶୁଣାଣି କରି ଏହି ଟିପ୍ପଣୀ କରିଛନ୍ତି। ଆବେଦନରେ ବାଂଲାଦେଶରୁ ଭାରତ ଆସିଥିବା ଓ ସିଏଏରେ ଭାରତୀୟ ନାଗରିକତା ପାଇବା ପାଇଁ ହକଦାର ଲୋକଙ୍କୁ ପଶ୍ଚିମବଙ୍ଗ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ପରେ ଭୋଟର ଲିଷ୍ଟରେ ସାମିଲ କରିବା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି।

ଆବେଦନରେ କୁହାଯାଇଛି ଯେ ଅନେକ ଶରଣାର୍ଥୀଙ୍କ ଦ୍ୱାରା ନାଗରିକତା ନିମନ୍ତେ ଦାଖଲ କରାଯାଇଥିବା ଆବେଦନ ଉପରେ ଏପର୍ଯ୍ୟନ୍ତ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ କଋଣା ନନ୍ଦୀ ପୀଠଙ୍କ ଇଜଲାସରେ କହିଛନ୍ତି ଯେ ନାଗରିକତା ଅଧିକାର ଆବେଦନ କରିବା ଦିନ ହିଁ ମିଳିବା କଥା। ତେବେ ପୀଠ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ନାଗରିକତା ନେଇ ନିଷ୍ପତ୍ତି ହୋଇ ନାହିଁ ସେ ପର୍ଯ୍ୟନ୍ତ କୋର୍ଟ ଏଥିରେ ଆଶ୍ୱସ୍ତି କିପରି ଦେଇ ପାରିବେ? ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଆପଣଙ୍କୁ ଏବେ ନାଗରିକତା ଦିଆଯାଇ ନାହିଁ। ପରିବର୍ତ୍ତିତ ଆଇନରେ ଆପଣଙ୍କୁ ନାଗରିକତା ମିଳିବ ବୋଲି କିଛି ଅଧିକାର ଦିଆଯାଇଥିବ। ସେହି ଆକ୍ଟ ଅନୁସାରେ ସବୁ ଦାବି ନିର୍ଦ୍ଧାରିତ ହେବ, ହୁଏତ ଆପଣ ଖାସ ସଂଖ୍ୟାଲଘୁ ହୁଅନ୍ତୁ ଅଥବା ଖାସ ଦେଶରୁ ଆସିଥାନ୍ତୁ।

ଭାରତ ସରକାର ଏହା ନିର୍ଦ୍ଧାରିତ କରିବା ପାଇଁ କିଛି ପ୍ରାଧିକାର ନିର୍ଦ୍ଧାରଣ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ସେହି ଦାବି ନିର୍ଦ୍ଧାରିତ ନ ହୋଇଛି ସେ ପର୍ଯ୍ୟନ୍ତ ଆପଣ ଘୋଡ଼ାକୁ ଗାଡ଼ି ଆଗରେ ଲଗାଇ ପାରିବେନି। ଏନଜିଓ ପକ୍ଷରୁ ଓକିଲ ନନ୍ଦି କହିଛନ୍ତି ଯେ ଏଥି ପାଇଁ ଏକ ସମୟସୀମା ରହିବା ଦରକାର, ଯେଉଁ ସମୟରେ ନାଗରିକତା ନିବେଦନ ଉପରେ ନିଷ୍ପତ୍ତି ହୋଇ ପାରିବ। ଏଥିରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓକିଲ ରାକେଶ ଦ୍ୱିବେଦୀ ପୀଠକୁ କହିଛନ୍ତି ଯେ ସିଏଏରେ ନାଗରିକତା ପ୍ରଦାନ ନିମନ୍ତେ ନିଷ୍ପତ୍ତି କେନ୍ଦ୍ର ସରକାର ନେବେ। ଏଥିରେ ଇସିଆଇଙ୍କ କୌଣସି ନେଣଦେଣ ନାହିଁ। ଏହା ପରେ ପୀଠ ଆବେଦନ ଉପରେ ନୋଟିସ୍ ଜାରି କରି ମାମଲାର ପରବର୍ତ୍ତି ଶୁଣାଣି ଆଗାମୀ ସପ୍ତାହରେ କରିବେ ବୋଲି ଘୋଷଣା କରିଛନ୍ତି।