ମିଛ କହି ଆମେରିକା ରାଷ୍ଟ୍ରପତିଙ୍କ ଅଲୋଡା ରେକର୍ଡ, ୪ ବର୍ଷରେ କହିଛନ୍ତି ୩୦ରୁ ଅଧିକ ମିଛ

Published By : Prameya-News7 Bureau | May 17, 2025 IST

ନୂଆଦିଲ୍ଲୀ ୧୭/୦୫: ଡୋନାଲ୍ଡ ଟ୍ରମ୍ପ୍‌ ଗତ ଜାନୁଆରୀ ୨୦ରେ ଆମେରିକା ରାଷ୍ଟ୍ରପତି ପଦର ଶପଥ ନେଇଥିଲେ । କାର୍ଯ୍ୟକାଳର ୧୦୦ ଦିନ ପୂରଣ ହେବା ପରେ ଟ୍ରମ୍ପ୍‌ ଟାଇମ୍ସ ପତ୍ରିକାକୁ ଏକ ସାକ୍ଷାତକାର ଦେଇଥିଲେ । ଏହା  ପରେ ରିପୋର୍ଟ ଆସିଲା, ଟ୍ରମ୍ପ୍‌ ସାକ୍ଷାତକାରରେ ୩୨ ଏଭଳି ଦାବି କରିଥିଲେ, ଯାହା ସମ୍ପୂର୍ଣ୍ଣ ମିଛ ଥିଲା । 

ରାଷ୍ଟ୍ରପତି ଭାବେ ଟ୍ରମ୍ପ୍‌ଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟ ମିଥ୍ୟାପୂର୍ଣ୍ଣ ଥିଲା । ଏହାକୁ ନେଇ ୱାଶିଂଟନ୍‌ ପୋଷ୍ଟ୍‌ ଏକ ରିପୋର୍ଟ ଜାରି କରିଥିଲା । ଏଥିରେ ସ୍ପଷ୍ଟ କରିଥିଲା ଯେ  ଟ୍ରମ୍ପ୍‌ ନିଜ କାର୍ଯ୍ୟକାଳ ସମୟରେ ଡିସେମ୍ବର ୨୦୧୭ରୁ ଜାନୁଆରୀ  ୨୦୨୧ ମଧ୍ୟରେ ୩୦,୫୭୩ ମିଛ କହିଥିଲେ । ଏହି କ୍ରମରେ ସେ  ପ୍ରତିଦିନ ହାରାହାରି ୨୧ଟି ମିଛ ଦାବି କରିଥିଲେ । 

ରିପୋର୍ଟ ଅନୁସାରେ, ଟ୍ରମ୍ପ୍‌ ନିଜର ପ୍ରଥମ କାର୍ଯ୍ୟକାଳର ପ୍ରଥମ  ବର୍ଷ ପ୍ରତିଦିନ ହାରାହାରି ୬ ମିଛ ବା ଭ୍ରମାତ୍ମକ ଦାବି କରିଥିଲେ ।  ୨ୟ ବର୍ଷ ପ୍ରତିଦିନ ୧୬ ମିଛ, ୩ୟ ବର୍ଷ ପ୍ରତିଦିନ ୨୨ ଏବଂ ୪ର୍ଥ  ବର୍ଷ ପ୍ରତିଦିନ ୩୯ ମିଛ ଦାବି କରିଥିଲେ । କାର୍ଯ୍ୟକାଳ ଶେଷ  ହେବା ସହିତ ଟ୍ରମ୍ପ୍‌ଙ୍କ ମିଛ ଓ ଭ୍ରମାତ୍ମକ ଦାବି ବଢ଼ିଥିବା ଏହି  ରିପୋର୍ଟ ଦର୍ଶାଇଛି ।  

୨୦୨୦ର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ୍‌ଙ୍କ ମିଛ କହିବାର  ହାର ବଢ଼ିଥିଲା । ଅକ୍ଟୋବର ୨୦୨୦ରେ ଟ୍ରମ୍ପ୍‌ ଗୋଟିଏ ମାସରେ  ୩,୯୧୭ ମିଛ ବା ଭ୍ରମାତ୍ମକ ଦାବି କରିଥିଲେ । ଏହା ପୂର୍ବରୁ  ସେପ୍ଟେମ୍ବରରେ ସେ ୨,୨୩୯ ମିଛ ଦାବି କରିଥିଲେ । ରାଷ୍ଟ୍ରପତି  ନିର୍ବାଚନ ପାଇଁ ଭୋଟିଂର ଦିନକ ପୂର୍ବରୁ ନଭେମ୍ବର ୨ ତାରିଖରେ  ଟ୍ରମ୍ପ୍‌ ୫୩୯ ମିଛ ଓ ଭ୍ରମାତ୍ମକ ଦାବି କରିଥିଲେ । 

ଟ୍ରମ୍ପ୍‌ ଗତ ମେ’ ୧୦ ତାରିଖରେ ସୋସିଆଲ ମିଡିଆ ପୋଷ୍ଟ୍‌ରେ  ଘୋଷଣା କଲେ ଯେ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ତାଙ୍କ ମଧ୍ୟସ୍ଥତା  ଯୋଗୁ ଉଭୟ ଦେଶ ଯୁଦ୍ଧରୁ ଓହରିଛନ୍ତି। ଏହା ଦ୍ୱାରା ଲକ୍ଷାଧିକ ଲୋକଙ୍କ ଜୀବନ ରକ୍ଷା ହୋଇଛି ।  

କିନ୍ତୁ ଗତ ୧୫ ତାରିଖ ଟ୍ରମ୍ପ୍‌ ପୁଣି ନିଜ ବୟାନରୁ ଓହରିଗଲେ  ଏବଂ କହିଲେ- ମୁଁ କଦାପି କହିନାହିଁ ଯେ ମୁଁ ଭାରତ-ପାକିସ୍ତାନ  ମଧ୍ୟରେ ମଧ୍ୟସ୍ଥତା କରିଛି । ମୁଁ କେବଳ ଉଭୟ ଦେଶକୁ ଯୁଦ୍ଧବିରତି  ପର୍ଯ୍ୟନ୍ତ ପହଞ୍ଚାଇବାରେ ସାହାଯ୍ୟ କରିଛି । ଭାରତ ଟ୍ରମ୍ପ୍‌ଙ୍କ ପୂର୍ବ  ବୟାନକୁ ଖଣ୍ଡନ କରିବା ସହିତ ସ୍ପଷ୍ଟ କଲା ଯେ ଯୁଦ୍ଧବିରତି ଦୁଇପକ୍ଷ  ମଧ୍ୟରେ ଆଲୋଚନା ଓ ଭାରତର ସୈନ୍ୟ ଶକ୍ତିର ପରିଣାମ ଥିଲା ।  କୌଣସି ୩ୟ ପକ୍ଷର ମଧ୍ୟସ୍ଥତା ଯୋଗୁ ଯୁଦ୍ଧବିରତି ହୋଇନାହିଁ ।  ଭାରତ ଏହା ସ୍ପଷ୍ଟ କରିବା ପରେ ଟ୍ରମ୍ପ୍‌ କାତାରରେ ନିଜ ବୟାନରୁ  ଓହରିଲେ ଏବଂ କେବଳ ଦୁଇ ଦେଶକୁ ସାହାଯ୍ୟ କରିଥିବା କହିଲେ । 

ଏହା ପୂର୍ବରୁ ଗତ ୧୩ ତାରିଖରେ ଟ୍ରମ୍ପ୍‌ ଦାବି କରିଥିଲେ,  ତାଙ୍କ ମଧ୍ୟସ୍ଥତା ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧକୁ  ରୋକିଛି । କିନ୍ତୁ ଭାରତ ଏହି ଦାବିକୁ ଖଣ୍ଡନ କରି କହିଲା ଯେ ତା’ର  ସୈନ୍ୟ ଅଭିଯାନ ‘ଅପରେସନ୍‌ ସିନ୍ଦୂର’ ସମ୍ପୂର୍ଣ୍ଣ ରୂପେ ପାରମ୍ପରିକ  ଥିଲା ଏବଂ ଏଥିରେ କୌଣସି ପରମାଣୁ ସ୍ଥଳକୁ ଟାର୍ଗେଟ୍‌ କରାଯାଇ  ନଥିଲା ।

 ସୂଚନାଯୋଗ୍ୟ, ଡିସେମ୍ବର ୨୦୧୮ରେ ୱାଶିଂଟନ୍‌ ପୋଷ୍ଟ୍‌  ବଟମ୍‌ଲେସ୍‌ ପିନୋଚିଓ ନାମକ ଏକ ନୂଆ ବିଭାଗ କରିଥିଲା ।  ଏଥିରେ ଟ୍ରମ୍ପ୍‌ ଏକମାତ୍ର ନେତା ଥିଲେ । ଟ୍ରମ୍ପ୍‌ଙ୍କର ଅଧିକାଂଶ ଦାବି ମିଛ  ଓ ଭ୍ରମାତ୍ମକ ହୋଇଥିବାରୁ ତାଙ୍କୁ ଏହି ତାଲିକାରେ ରଖାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.