ଭାରତ ଉପରେ ୨୫% ଟାରିଫ୍‌ ଲଗାଇଲା ଆମେରିକା, ପ୍ରତିବର୍ଷ ହେବ ଏତିକି କୋଟିର କ୍ଷତି

Published By : Prameya-News7 Bureau | July 30, 2025 IST

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଲା ଆମେରିକା। କେବଳ ସେତିକି ନୁହେଁ ଭାରତ ଠାରୁ ଜରିମାନା ଆଦାୟ କରିବାକୁ ମଧ୍ୟ ଟ୍ରମ୍ପ ଧମକ ଦେଇଛନ୍ତି। ବୁଧବାର ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ଦେଇ ଟ୍ରମ୍ପ ଭାରତ ବିରୋଧରେ ଏଭଳି କଡ଼ା ପ୍ରତିକ୍ରିୟା ଦେଇଛନ୍ତି। 

ଟ୍ରମ୍ପ କହିଛନ୍ତି, ଭାରତ ରୁଷଠାରୁ ଅସ୍ତ୍ରଶସ୍ତ୍ର ଏବଂ ତେଲ କିଣୁଛି, ତେଣୁ ଏହା ଉପରେ ମଧ୍ୟ ଜରିମାନା ଲାଗୁ ହେବ। ଏହା ସହ ଆମେରିକା ସହିତ ଭାରତର ବାଣିଜ୍ୟ ନିଅଣ୍ଟ ମଧ୍ୟ ବହୁତ ଅଧିକ, ତେଣୁ ସେମାନେ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରୁଛନ୍ତି ବୋଲି ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି। ସୂଚନାଥାଉକି, ଟ୍ରମ୍ପଙ୍କ ଜବାବୀ ଶୁଳ୍କ ଲାଗୁ କରିବାର ସମୟ ସୀମା ଗୁରୁବାର ଶେଷ ହେଉଛି। 

ତେ‌ବେ ବର୍ତ୍ତମାନ ପ୍ରଶ୍ନ ଉଠିଛି, ଆମେରିକା ଭାରତ ଉପରେ ଲଗାଇଥିବା ୨୫% ଟାରିଫ୍‌ କାରଣରୁ ପ୍ରତିବର୍ଷ ଦେଶକୁ କେତେ କ୍ଷତି ହେବ ? ମାର୍ଚ୍ଚ ମାସରେ ସିଟି ରିସର୍ଚ୍ଚର ଏକ ରିପୋର୍ଟରେ ଅନୁମାନ ଲଗାଯାଇଥିଲା ଯେ, ରେସିପ୍ରୋକାଲ ଟାରିଫ୍‌ ଲାଗିଲେ ଭାରତର ରପ୍ତାନୀ ସେକ୍ଟରରେ ଅଟୋମୋବାଇଲରୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ ପ୍ରଭାବିତ ହେବ। ଟାରିଫ୍ ଯୋଗୁ ବାର୍ଷିକ ପ୍ରାୟ ୭ ବିଲିୟନ ଡଲାର ପ୍ରାୟ ୬୧ ହଜାର କୋଟି ଟଙ୍କା ହେବ। ସିଟି ରିସର୍ଚ୍ଚର ବିଶ୍ଲେଷକଙ୍କ ଅନୁସାରେ କେମିକାଲ, ଲୌହ ଓ ଇସ୍ପାତ ଏବଂ ଜୁଏଲାରୀ ଉଦ୍ୟୋଗ ସବୁଠୁ ଅଧିକ କ୍ଷତି ସହିବ। ଏହା ବାଦ୍‌ ଅଟୋମୋବାଇଲ, ଔଷଧ ଏବଂ ଖାଦ୍ୟ ଉତ୍ପାଦ ରହିଛି। 

ସୂଚନାଥାଉକି, ୨୦୨୪ରେ ଭାରତର ଆମେରିକାକୁ ବାଣିଜ୍ୟିକ ରପ୍ତାନୀ ପ୍ରାୟ ୭୪ ବିଲିୟନ ଡଲାର ହେବା ନେଇ ଅନୁମାନ କରିଥିଲା। ଯେଉଁଥିରେ ୮.୫ ବିଲିୟନ ଡଲାର ମୂଲ୍ୟର ମୋତୀ, ରତ୍ନ ଏବଂ ଆଭୂଷଣ, ୮ ବିଲିୟନ ଡଲାର ମୂଲ୍ୟର ଔଷଧ ଏବଂ ପ୍ରାୟ ୪ ବିଲିୟନ ଡଲାର ମୂଲ୍ୟର ପେଟ୍ରୋକେମିକାଲ୍ସ ରହିଛି। ସବୁକୁ ମିଶାଇଲେ ଭାରତ ୨୦୨୩ରେ ପ୍ରାୟ ୧୧ ପ୍ରତିଶତ ଟାରିଫ ଲଗାଇଛି। ଯାହା ଭାରତୀୟ ରପ୍ତାନୀ ଉପରେ ଆମେରିକା ଟାରିଫ୍‌ଠାରୁ ପ୍ରାୟ ୮.୨ ପ୍ରତିଶତ ଅଧିକ। 

ସେହିଭଳି ଅନ୍ୟ ପଟେ ଇଣ୍ଡିଆ ରେଟିଂସ ଆଣ୍ଡ ରିସର୍ଚ୍ଚ (ଇଣ୍ଡ୍‌- ରା) ମଧ୍ୟ କହିଥିଲା ଯେ, ଯଦି ଭାରତ ଉପରେ ଟାରିଫ୍‌ ଲାଗୁ ହେଉଛି ତେବେ ଆର୍ଥିକ ବର୍ଷ ୨୦୨୬ରେ ଭାରତର ଆମେରିକାକୁ ରପ୍ତାନୀ ୨ ବିଲିୟନ ଡଲାରରୁ ନେଇ ୭ ବିଲିୟନ ଡଲାର ପର୍ଯ୍ୟନ୍ତ କମ୍ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.