ବଢୁଛି ଋଷ-ଆମେରିକା ତିକ୍ତତା; ଜବତ ଜାହାଜ ନିଲାମ କରୁଛି ୟୁଏସ୍‌, ୨୯ ବିଲିୟନରେ ହେବ ବିକ୍ରି...

Published By : Prameya-News7 Bureau | August 08, 2025 IST

ନୂଆଦିଲ୍ଲୀ ୦୮।୦୮: ବଢୁଛି ଋଷ-ଆମେରିକା ତିକ୍ତତା । ମସ୍କୋକୁ ପୁଣି ଟାର୍ଗେଟ କଲା ଓ୍ବାସିଂଟନ । ଏବେ ଆମେରିକା ଟାର୍ଗେଟରେ ଋଷର ଅରବପତି । ଋଷୀୟ କୋଟିପତିଙ୍କ ୟାଟ୍ ନିଲାମ କରିବ ୟୁଏସ୍‌। ୨୦୨୨ରେ ଜବତ କରିଥିଲା ଆମେରିକା । ୨୯ ବିଲିୟନରେ ବିକ୍ରି ହେବ କୋଟିପତିଙ୍କ ଜାହାଜ । ଋଷ ସହିତ ଉତ୍ତେଜନା ବୃଦ୍ଧି କରିବା ରାସ୍ତାରେ ଆମେରିକା । 

ଋଷର କୋଟି କୋଟି ମୂଲ୍ୟର ଜବତ ସମ୍ପତ୍ତି ନିଲାମ ଆରମ୍ଭ କରିଛି ୟୁଏସ୍‌ ପ୍ରଶାସନ । ଆମେରିକା ଋଷର ଏକ ଜବତ ବିଳାସପୂର୍ଣ୍ଣ ୟାଟ୍ ଆମଡିଆକୁ କରିବାକୁ ଯାଉଛି ନିଲାମ । ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଆମେରିକା ଋଷୀୟ ସମ୍ପତ୍ତି ନିଲାମ କରୁଛି । ସମସ୍ତ ବିଳାସପୂର୍ଣ୍ଣ ସୁବିଧା ସହିତ ସଜ୍ଜିତ ଏହି ୟାଟ୍ । ଏହାର ମୂଲ୍ୟ ଆମେରିକା ୩୨୫ ମିଲିୟନ ଡଲାର ରଖିଛି । ଯାହାର ପରିମାଣ ପ୍ରାୟ ୨୯ ବିଲିୟନ ଟଙ୍କା।

ୟୁକ୍ରେନ ସହ ଯୁଦ୍ଧ ଶେଷ କରିବାକୁ ପୁଟିନଙ୍କ ଉପରେ ଚାପ ପକାଉଛନ୍ତି ଟ୍ରମ୍ପ । ଏଥିପାଇଁ ସେ ଋଷ ସମ୍ପତ୍ତିର ଆରମ୍ଭ କରିଛନ୍ତି ନିଲାମୀ । ଏହି ନିଲାମ ପ୍ରକ୍ରିୟା ସେପ୍ଟେମ୍ବର ୧୦ରେ ଶେଷ ହେବ । ଆମେରିକା କହିଛି ଯେ ଏହାର ସହଯୋଗୀମାନଙ୍କ ସହିତ ମିଶି ଋଷୀୟ ଧନୀ ଶ୍ରେଣୀ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ଏହି ଧନୀମାନଙ୍କ ମଧ୍ୟରୁ କିଛି ରହିଛନ୍ତି ପୁଟିନଙ୍କ ନିକଟତର । ଆମେରିକା ସରକାର ଏହି ଧନୀ ଲୋକଙ୍କ ବିଳାସପୂର୍ଣ୍ଣ ୟାଟ୍ ଜବତ କରିଛି । ଯେପରି ଏହି ଧନୀ ଲୋକମାନେ ରାଷ୍ଟ୍ରପତି ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ କରିବେ । ଏବେ ପ୍ରଶ୍ନ ଆସୁଛି କେତେ ଖାସ୍‌ ନିଲାମ ହେଉଥିବା ଏହି ୟାଟ୍‌ ? 

ଏହି ୟାଟ୍‌ର ନାଁ ହେଉଛି ଆମେଡିଆ । ୩ ବର୍ଷ ପୂର୍ବେ ଏହାକୁ ଜବତ କରିଥିଲା ଆମେରିକା । ଏହାର ଲମ୍ବ ୧୦୬ ମିଟର । ୨୦୧୭ ମସିହାରେ ଜର୍ମାନ କମ୍ପାନୀ ଲୁର୍ସେନ ଦ୍ୱାରା ସ୍ୱତନ୍ତ୍ର ଭାବରେ ଏହାକୁ ନିର୍ମାଣ କରାଯାଇଥିଲା । ଫ୍ରାଙ୍କୋଇସ୍ ଜୁରେଟିଙ୍କ ଦ୍ୱାରା ଏହାକୁ କରାଯାଇଥିଲା ଡିଜାଇନ୍ । ଏହି ୟାଟ୍‌ରେ ମାର୍ବଲ୍ର ମହଲା ରହିଛି । ଏହି ବିଳାସପୂର୍ଣ୍ଣ ଜାହାଜରେ ଆଠଟି ଷ୍ଟେଟ୍ ରୁମ୍, ଏକ ବିୟୁଟି ସାଲୁନ୍, ଏକ ସ୍ପା, ଏକ ଜିମ୍, ଏକ ହେଲିପ୍ୟାଡ୍, ଏକ ସୁଇମିଂ ପୁଲ୍ ଏବଂ ଏକ ଲିଫ୍ଟ ଅଛି । ଏଥିରେ ୧୬ ଜଣ ଅତିଥି ଏବଂ ୩୬ ଜଣ କ୍ରୁ ସଦସ୍ୟଙ୍କ ପାଇଁ ରହିବାର ବ୍ୟବସ୍ଥା ଅଛି । ବର୍ତ୍ତମାନ ଏହା ସାନ ଡିଏଗୋରେ ହୋଇଛି ପାର୍କିଂ । 

ଏବେ ପ୍ରଶ୍ନ ଆସୁଛି ଆମଡିଆର ମାଲିକ କିଏ ? ଆମଡିଆର ପ୍ରକୃତ ମାଲିକ କିଏ ତାହା ନିର୍ଣ୍ଣୟ କରିବା ବହୁତ ବିବାଦୀୟ ହୋଇଛି। କାରଣ ଏହି ବିଳାସପୂର୍ଣ୍ଣ ୟାଟ୍ ସହିତ ଅନେକ ଟ୍ରଷ୍ଟ ଏବଂ ସେଲ୍ କମ୍ପାନୀର ନାଁ ଜଡିତ। ଏହି ୟାଟ୍ କେମ୍ୟାନ୍ ଦ୍ୱୀପପୁଞ୍ଜରେ ପଞ୍ଜିକୃତ ଏବଂ ଏହାର ସ୍ବାମିତ୍ବ କେମ୍ୟାନ୍ ଦ୍ୱୀପପୁଞ୍ଜରେ ଥିବା ମିଲମାରିନ୍ ଇନଭେଷ୍ଟମେଣ୍ଟ୍ସ ଲିମିଟେଡ୍ ପାଖରେ ରହିଛି । ଏହି ୟାଟର ମାଲିକ ବୋଲି ଦାବି କରୁଛନ୍ତି ସରକାରୀ ନିୟନ୍ତ୍ରିତ ରୁଷୀୟ ତୈଳ ଏବଂ ଗ୍ୟାସ କମ୍ପାନୀ ରୋସନେଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଡୁଆର୍ଡ ଖୁଦୈନାତୋଭ । 

ଏଡୁଆର୍ଡ ଖୁଦୈନାଟୋଭ ବର୍ତ୍ତମାନ ଆମେରିକାର ପ୍ରତିବନ୍ଧକରୁ ମୁକ୍ତ । କିନ୍ତୁ ଆମେରିକା ଦାବି କରିଛି ଅର୍ଥନୀତିଜ୍ଞ ଏବଂ ପୂର୍ବତନ ରୁଷିଆନ୍ ରାଜନେତା ସୁଲେମାନ କେରିମୋଭ୍ ହେଉଛନ୍ତି ଏହି ୟାଟ୍‌ର ମାଲିକ । ଯାହାଙ୍କୁ ୨୦୧୮ରେ କଥିତ ମନି ଲଣ୍ଡରିଂ ଅଭିଯୋଗରେ ଆମେରିକା ପ୍ରତିବନ୍ଧକ ଲଗାଇଥିଲା । ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ଖୁଦୈନାତୋଭ ହେଉଛନ୍ତି ୟାଟର ନକଲି ମାଲିକ । ଯାହାର ଉଦ୍ଦେଶ୍ୟ ହେଉଛି ୟାଟର ପ୍ରକୃତ ମାଲିକ କେରିମୋଭଙ୍କୁ ସୁରକ୍ଷା ଦେବା । ୟାଟର ପ୍ରକୃତ ମାଲିକାନା କାହାର ତାକୁ ନେଇ ଚାଲିଛି ମାମଲା । 

ଖବର ଅନୁଯାୟୀ ୨୦୨୨ରେ ନ୍ୟାସନାଲ ମେରିଟାଇମ୍ ସର୍ଭିସର ଅଧିକାରୀମାନେ ଏହି ୟାଟକୁ ନିଜ କବଜାକୁ ନେଇଥିଲେ । ସେବେଠାରୁ ଏହା ବ୍ୟବହାର କରାଯାଇନାହିଁ । ବର୍ତ୍ତମାନ ଆମେରିକା ଏହାକୁ ନିଲାମ କରୁଛି। ବିଡରମାନଙ୍କୁ ଏହି ୟାଟର ମୂଲ୍ୟ ଏକ ସିଲବନ୍ଧ ଲଫାପାରେ ପଠାଇବାକୁ ପଡିବ। ଏହାବ୍ୟତୀତ ସେମାନଙ୍କୁ ଆଡଭାନ୍ସ ଭାବରେ ୧୧.୬ ନିୟୁତ ଡଲାର ଜମା କରିବାକୁ ପଡିବ। ମେ ୨୦୨୪ରେ ଆମେରିକା ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଏକ ପ୍ୟାକେଜ ଦେଇଥିଲା। ଏହାକୁ ଆମେରିକାରେ ଆଇନର ମାନ୍ୟତା ଦିଆଯାଇଛି । ଏହି ଆଧାରରେ ଆମେରିକା ଅଞ୍ଚଳରେ ଥିବା ଯେକୌଣସି ରୁଷୀୟ ସମ୍ପତ୍ତିକୁ ଜବତ କରାଯାଇପାରିବ ଏବଂ ଏହାକୁ ବିକ୍ରୟ କରାଯାଇ ୟୁକ୍ରେନର ଲାଭ ପାଇଁ ବ୍ୟବହାର କରାଯାଇପାରିବ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.