ବନ୍ୟା , ଭୂମିକମ୍ପ ଓ ଝଡ଼ତୋଫାନରୁ ରକ୍ଷା କରିବ ‘SACHET’ ଆପ୍, ଉପଯୋଗୀତା ବିଷୟରେ କହିଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | April 27, 2025 IST

ନୂଆଦିଲ୍ଲୀ ୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନକି ବାତ୍’ର ୧୨୧ତମ ଅଧ୍ୟାୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲଜି ସମ୍ପର୍କରେ ଚର୍ଚ୍ଚା କରିଛନ୍ତି। ସେ କହିଛନ୍ତି ଯେ ଭାରତର ଜାତୀୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ (ଏନଡିଏମଏ) ଦ୍ୱାରା ବିକଶିତ ‘ସଚେତ’ ଆପ ଲୋକଙ୍କୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବ। ଏହି ଆପର ଉଦ୍ଦେଶ୍ୟ ହେଉଛି  ପ୍ରତ୍ୟେକ ନାଗରିକକୁ ଯଥାସମ୍ଭବ ସୁରକ୍ଷିତ ଓ ସଚେତନ କରିବା। ଏହି ଆପ ମାଧ୍ୟମରେ ପାଣିପାଗ ବିଭାଗ ସମ୍ପର୍କିତ ତାଜା ସୂଚନା ଆପଣଙ୍କୁ ମୋବାଇଲରେ ମିଳିଯିବ। 

ଏହାର ଅର୍ଥ ଯଦି ଆପଣ ରହୁଥିବା ଅଞ୍ଚଳରେ ବନ୍ୟା, ଭୂମିକମ୍ପ ଅଥବା ଝଡତୋଫାନ ଆଦି ଅନ୍ୟ ବିପର୍ଯ୍ୟୟର ବିପଦ ରହିଛି ତେବେ ଆପଣଙ୍କୁ ସମୟ ପୂର୍ବରୁ ସୂଚନା ମିଳିଯିବ। ପ୍ରଧାନମନ୍ତ୍ରୀ ଏହି କଥା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ ଏହି ଆପ ବିଭିନ୍ନ ଆଞ୍ଚଳିକ ଭାଷାରେ ମଧ୍ୟ ସୂଚନା ଉପଲବ୍ଧ କରାଉଛି। ଏଣୁ ଦେଶର କୋଣଅନୁକୋଣରେ ରହୁଥିବା ଲୋକେ ସହଜରେ ଏହାକୁ ବୁଝିପାରିବା ସହ ବ୍ୟବହାର ମଧ୍ୟ କରିପାରିବେ। ଆପ ଦ୍ୱାରା ଆପଣ ଆପଣଙ୍କ ଅଞ୍ଚଳର ପାଣିପାଗ ସମ୍ପର୍କରେ ସର୍ବଦା ସଚେତନ ରହିପାରିବେ।    

SACHET ଆପ ନା କେବଳ ଆପଣଙ୍କ ସୁରକ୍ଷା ବଢାଇବ ବରଂ ଆପଣଙ୍କୁ ସଠିକ ସମୟରେ ଜରୁରି ପଦକ୍ଷେପ ନେବାକୁ ପ୍ରସ୍ତୁତ କରିବ। ଏଣୁ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦେଶବାସୀଙ୍କୁ ଏହି ଆପ ନିଶ୍ଚିତ ନିଜ ଫୋନରେ ଡାଉନଲୋଡ କରି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଯାହା ଦ୍ୱାରା ଆପଣ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖି ପାରିବେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟର ବିପଦ ଦ୍ରୁତ ବଢିବାରେ ଲାଗିଛି। ଏଥିରେ ଏହି ଆପ ପ୍ରତ୍ୟେକ ଭାରତୀୟଙ୍କ ଲାଗି ‘ସେଫ୍ଟ ଗାର୍ଡ’ ଭଳି କାମ କରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.