ମୁମ୍ବାଇ ୨୪।୭: ମହାରାଷ୍ଟ୍ରରେ ଅଣ ମରାଠୀ ଭାଷୀ ଲୋକଙ୍କ ସହିତ ହେଉଥିବା ମାରପିଟ ଓ ଅଭଦ୍ରତା ଘଟଣା ସବୁ ସାମ୍ନାକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଗୁରୁବାର ଏକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯଦି କୌଣସି ଠାରେ ଆପଣଙ୍କ ସହ ଏପରି ଘଟଣା ଘଟୁଛି ତେବେ ଅତ୍ୟନ୍ତ ଶାଳିନତାର ସହ କହି ଦିଅନ୍ତୁ ମୁଁ ଏବେ ମରାଠୀ ଶିଖୁଛି। ଏଣୁ ବିବାଦ ଆଗକୁ ବଢିବନି କି ମାରପିଟ ଭଳି ଘଟଣା ଘଟିବନି।
ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରରେ ମରାଠୀ ଅସ୍ମିତା ନାମରେ ଅଣ ମରାଠୀ ଭାଷୀ ଲୋକଙ୍କ ସହିତ ମହାରାଷ୍ଟ୍ର ନବନିର୍ମାଣ ସେନାର ଲୋକେ ଅଭଦ୍ରତା ଆଚରଣ କରୁଥିବାର ଅଭିଯୋଗ ମିଳୁଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏପରି ଆଚରଣରେ ଅସନ୍ତୋଷ ପ୍ରକାଶ କରିବା ସହିତ ହିଂସା ଅସ୍ୱୀକାର୍ଯ୍ୟ ବୋଲି କହିଥିଲେ। ହେଲେ ରାଜ ଠାକରେ ନିଜ କାର୍ଯ୍ୟକର୍ତ୍ତାଙ୍କ ପକ୍ଷ ନେଇଥିଲେ। ଏବେ ମାମଲାରେ ଅଜିତ ପାୱାରଙ୍କ ଟିପ୍ପଣୀ ମଧ୍ୟ ଆସିଯାଇଛି।
ପାୱାର କହିଛନ୍ତି ଯେ ମହାରାଷ୍ଟ୍ରରେ ରହୁଥିବା ଅନ୍ୟ ପ୍ରଦେଶର ଲୋକେ ଯେଉଁମାନଙ୍କୁ ମରାଠୀ କହି ଆସୁନି ସେମାନେ ବିନମ୍ରତାର ସହିତ ମୋତେ ମରାଠୀ କହି ଆସୁନି ମୁଁ ଶିଖୁଛି ବୋଲି କୁହନ୍ତୁ। ଏପରି କହିଲେ କୌଣସି ଅସୁବିଧା ହେବ ନାହିଁ। ପାୱାର କହିଛନ୍ତି ଯେ ଆପଣ ଯେଉଁ ରାଜ୍ୟରେ ରହୁଛନ୍ତି ସେହି ରାଜ୍ୟର ଭାଷା ପ୍ରତି ଆପଣଙ୍କ ସମ୍ମାନ ରହିବା ଦରକାର।
ମହାରାଷ୍ଟ୍ରରୁ ଆରମ୍ଭ କରି ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ସମସ୍ତେ ନିଜ ମାତୃଭାଷାକୁ ନେଇ ଗର୍ବ କରିବା ଉଚିତ। ତେବେ କେବେ କେବେ ଏପରି ପରିସ୍ଥିତି ଉପୁଜିଯାଏ ଲୋକେ ପ୍ରତିକ୍ରିୟା ବ୍ୟକ୍ତ କରନ୍ତି। ହେଲେ ଏହା ସେତେବେଳେ କାମରେ ଆସେନି। ସେ କହିଛନ୍ତି ଯେ ଆପଣ ଯେଉଁଠି କାମ କରୁଛନ୍ତି, ଯେଉଁଠି ରହୁଛନ୍ତି ସେଠାକାର ଲୋକେ କଣ କହୁଛନ୍ତି, ସେମାନଙ୍କ ବିଚାର କଣ, କେବେ କେବେ ଆପଣଙ୍କୁ ଏ ସବୁ ମଧ୍ୟ ବିଚାର କରିବାକୁ ପଡେ ଓ ସମସ୍ତେ ଖୁସିରେ ରହିବା ଆବଶ୍ୟକ।