ନୂଆଦିଲ୍ଲୀ: ଅହମ୍ମଦାବାଦ ପ୍ଲେନ୍ କ୍ରାସ୍ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା। ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB)। ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆ ଗତ ଛଅ ବର୍ଷ ମଧ୍ୟରେ ଏହି ବିମାନର ଥ୍ରୋଟଲ୍ କଣ୍ଟ୍ରୋଲ୍ ମଡ୍ୟୁଲ୍ (TCM)କୁ ଦୁଇଥର ବଦଳାଇଛି। ପ୍ରଥମ ଥର ପାଇଁ ୨୦୧୯ରେ ଏବଂ ଦ୍ୱିତୀୟ ଥର ପାଇଁ ୨୦୨୩ରେ।
TCM ଏକ ଗୁରୁତ୍ୱପୂର୍ଣ୍ଣ ଉଡ଼ାଣ ପ୍ରଣାଳୀ ଯେଉଁଥିରେ ଫୁଏଲ କଣ୍ଟ୍ରୋଲ ସ୍ୱିଚ୍ ମଧ୍ୟ ଅନ୍ତର୍ଭୁକ୍ତ। ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରୁ ଉଡ଼ାଣ ଭରିବା ପରେ ହଠାତ୍ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ବନ୍ଦ ହୋଇଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ଦୁର୍ଘଟଣା ତଦନ୍ତରେ ଏଗୁଡ଼ିକ ଏବେ କେନ୍ଦ୍ରବିନ୍ଦୁ ପାଲଟିଛି।
ସୂତ୍ର ଅନୁଯାୟୀ, TCM ବଦଳାଇବା ପାଇଁ ନିଷ୍ପତ୍ତି ୨୦୧୯ ମସିହାରେ ବୋଇଂ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ପରେ ନିଆଯାଇଥିଲା। ଏୟାର ଇଣ୍ଡିଆ ଏହି ନିର୍ଦ୍ଦେଶକୁ ଅନୁସରଣ କରି ୨୦୧୯ ଏବଂ ୨୦୨୩ରେ ଡ୍ରିମଲାଇନର୍ ବିମାନ VT-ANBର TCM ପରିବର୍ତ୍ତନ କରିଥିଲା।
AAIBର ପ୍ରାଥମିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ TCMକୁ ଦୁଇଥର ବଦଳାଯାଇଥିଲା, କିନ୍ତୁ ଫ୍ୟୁଏଲ କଣ୍ଟ୍ରୋଲ ସ୍ୱିଚ୍ କାର୍ଯ୍ୟକାରିତା ସହିତ କୌଣସି ସିଧାସଳଖ ସମ୍ପର୍କ ମିଳିଲା ନାହିଁ। ତଥାପି, ତଦନ୍ତରେ ଏହା ମଧ୍ୟ କୁହାଯାଇଛି ଯେ ଦୁର୍ଘଟଣା ସମୟରେ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ହଠାତ୍ ବନ୍ଦ ହୋଇଯିବା ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇ ରହିଛି।
ଏୟାର ଇଣ୍ଡିଆର ସିଇଓ ୱିଲସନ କହିଛନ୍ତି ଯେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB) ଦ୍ୱାରା ପ୍ରକାଶିତ ପ୍ରାରମ୍ଭିକ ତଦନ୍ତ ରିପୋର୍ଟରୁ ଜଣାପଡିଛି ଯେ ଗତ ମାସରେ ଘଟିଥିବା ବିମାନ ଦୁର୍ଘଟଣାରେ ବିମାନରେ କୌଣସି ରକ୍ଷଣାବେକ୍ଷଣ ସମସ୍ୟା ନଥିଲା କିମ୍ବା ଇଞ୍ଜିନରେ କୌଣସି ତ୍ରୁଟି ନଥିଲା।
ୱିଲସନ୍ କହିଛନ୍ତି ଯେ ବିମାନଟି ସମସ୍ତ ବାଧ୍ୟତାମୂଳକ ରକ୍ଷଣାବେକ୍ଷଣ କାର୍ଯ୍ୟ ସମାପ୍ତ କରିଛି। ଇନ୍ଧନ ଗୁଣବତ୍ତା ଏବଂ ଉଡ଼ାଣରେ କୌଣସି ଅସ୍ୱାଭାବିକତା ନଥିଲା। ଉଡ଼ାଣ ପୂର୍ବରୁ ସମସ୍ତ ପାଇଲଟ ବ୍ରେଥଆଲାଇଜର ପରୀକ୍ଷାରେ ପାସ୍ କରିଥିଲେ। ତାଙ୍କର ଡାକ୍ତରୀ ପରୀକ୍ଷା ସମୟରେ ଚିନ୍ତାଜନକ କିଛି ମିଳିଲା ନାହିଁ।
ଏୟାରଲାଇନ୍ ପାଇଲଟ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ALPAI) ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି। ସଂଗଠନ କହିଛି ଯେ ତଦନ୍ତ ଆରମ୍ଭରୁ ପାଇଲଟଙ୍କ ଭୁଲ ଆଡ଼କୁ ଢଳୁଥିବା ପରି ମନେ ହେଉଛି, ଯାହା ତଦନ୍ତକୁ ପକ୍ଷପାତି କରିପାରେ।
ALPAI ଏକ ନିରପେକ୍ଷ ଏବଂ ତଥ୍ୟଭିତ୍ତିକ ତଦନ୍ତ ଦାବି କରିଛି ଏବଂ କହିଛି ଯେ କୌଣସି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ବୈଷୟିକ ଦିଗଗୁଡ଼ିକର ଗଭୀରତା ସହିତ ତଦନ୍ତ କରିବା ଆବଶ୍ୟକ।