ନୂଆଦିଲ୍ଲୀ ୧୩।୭ : ଅହମଦାବାଦ ପ୍ଲେନ କ୍ରାସ ପରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୀଡ଼ିତଙ୍କ ପରିଜନଙ୍କଠାରୁ ବୀମା କମ୍ପାନୀଙ୍କୁ ଲଗାତାର କ୍ଲେମ ମିଳିବାରେ ଲାଗିଛି। ଏଥିରେ ପୀଡ଼ିତଙ୍କ ପରିଜନ ହୋଟେଲ ବୁକିଂ ରଦ୍ଦଠାରୁ ଆରମ୍ଭ କରି ଲଗେଜ ହଜିଯିବା, ଆକଶ୍ମିକ ମୃତ୍ୟୁ କଭରେଜ ଓ ଟ୍ରିପ ପ୍ଲାନ କ୍ୟାନସେଲେସନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର କ୍ଲେମ କରୁଛନ୍ତି। ଏହା ଛଡା ଏହି ଦୁର୍ଘଟଣା ପରଠାରୁ କିସାନ କ୍ରେଡିଟ କାର୍ଡ ଧାରୀଙ୍କ ସମେତ ବ୍ୟକ୍ତିଗତ ଦୁର୍ଘଟଣା ଓ ଲାଇଫ ଇନସ୍ୟୁରାନ୍ସ ଭଳି ବିଭିନ୍ନ ବୀମା କ୍ୟାଟଗରୀରେ ବିଭିନ୍ନ ଦାବି ଏବେ ସାମ୍ନାକୁ ଆସୁଛି।
ଆଇସିଆଇସିଆଇ ଲୋମ୍ବାର୍ଡ ପକ୍ଷରୁ ଏ ନେଇ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ଆମକୁ ମୁଖ୍ୟ ରୂପେ ଟ୍ରାଭେଲ ଇନସ୍ୟୁରାନ୍ସ ଓ ପର୍ସନାଲ ଏକ୍ସିଡେଣ୍ଟ ଇନସ୍ୟୁରାନ୍ସ ରୂପେ ଯେଉଁ ସବୁ ଦାବି ପ୍ରାପ୍ତ ହୋଇଛି ଏଥିରେ ଆକଶ୍ମିକ ମୃତ୍ୟୁ, ଯାତ୍ରା ରଦ୍ଦହେବା, ଲଗେଜ ହଜିବା ଓ ହୋଟେଲ ବୁକିଂ ରଦ୍ଦ ହେବା ଆଦି କ୍ଲେମ ରହିଛି। ଆଇସିଆଇସିଆଇ ଲୋମ୍ବାର୍ଡ ହେଲଥ ପ୍ରଡକ୍ଟ, ଅପରେସନ ଆଣ୍ଡ ସର୍ଭିସେସ୍ ଚିଫ ପ୍ରିୟା ଦେଶମୁଖ କହିଛନ୍ତି ଯେ ଏହି କଠିନ ସମୟରେ ଆମେ ପଲିସି ହୋଲ୍ଡର ଓ ସେମାନଙ୍କ ପରିବାରଙ୍କ ସହାୟତା ଲାଗି ଆମେ ସଂକଳ୍ପବଦ୍ଧ।
ଆମେ ଏହି ଦୁର୍ଘଟଣାରେ ପୀଡ଼ିତଙ୍କ ପରିବାରଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ ନିମନ୍ତେ ଓ ସଠିକ ସମୟରେ ସେମାନଙ୍କ କ୍ଲେମ ସେଟେଲମେଣ୍ଟ ସୁନିଶ୍ଚିତ କରିବା ପାଇଁ ପ୍ରାଥମିକତା ଆଧାରରେ କାମ କରୁଛୁ। ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଅନ୍ୟ ବୀମା କମ୍ପାନୀଙ୍କୁ ମିଳୁଥିବା କ୍ଲେମ ଉପରେ ନଜର ପକାଇଲେ ବଜାଜ ଆଲିଆଞ୍ଜ ଜେନେରାଲ ଇନସ୍ୟୁରାନ୍ସ ପକ୍ଷରୁ କୁହାଯାଇଛି ଯେ ଆମକୁ ପର୍ସନାଲ ଆକ୍ସିଡେଣ୍ଟ କଭର ଓ ମେରିନ କାର୍ଗୋ ସମ୍ପର୍କିତ କ୍ଲେମ ମିଳିଛି।
ବୟାନ ଅନୁସାରେ କମ୍ପାନୀକୁ ବ୍ୟକ୍ତିଗତ ଦୁର୍ଘଟଣା କଭରେଜ ସମ୍ପର୍କିତ ୩ ଓ ସାମୁଦ୍ରିକ କାର୍ଗୋବୀମା ଭାବେ ଗୋଟିଏ ଦାବି ମିଳିଛି। ଉଲ୍ଲେଖଯୋଗ୍ୟ ଯେ ମେରିନ କାର୍ଗୋ ସାଧାରଣତଃ ସଡ଼କ, ରେଳ, ବିମାନ, ସମୁଦ୍ର ଅଥବା କୋରିଅର ମାଧ୍ୟମରେ ଯାଉଥିବା ମାଲକୁ କଭର କରିଥାଏ। ଜୀବନବୀମା ପରେ ପର୍ସନାଲ ଆକ୍ସିଡେଣ୍ଟ କଭର କ୍ଲେମରେ ଏହି ଦୁର୍ଘଟଣା ଦ୍ୱିତୀୟ ସ୍ଥାନରେ ରହିଛି। ଏଥିରେ ଅଧିକାଂଶ ବୀମା କମ୍ପାନୀ ମୃତକଙ୍କ ପରିବାରଠାରୁ ମିଳୁଥିବା ଔପଚାରିକ ଅନୁରୋଧକୁ ନେଇ ଜାରି ପ୍ରକ୍ରିୟାର ବାହାନା କରି ସେମାନଙ୍କୁ ମିଳିଥିବା କ୍ଲେମର ସଠିକ ସଂଖ୍ୟା ସୂଚିତ କରୁ ନାହାନ୍ତି।
ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ନ୍ୟୁଇଣ୍ଡିଆ ଆସ୍ୟୋରାନ୍ସ ଜନୈକ ଅଧିକାରୀଙ୍କ ଅନୁସାରେ କମ୍ପାନୀ ବ୍ୟକ୍ତିଗତ ଦୁର୍ଘଟଣା ସମ୍ପର୍କିତ ୭ ଓ ଗ୍ରୁପ ପର୍ସନାଲ ଏକ୍ସିଡେଣ୍ଟ କଭରର ୫ଟି ମାମଲା ସମାଧାନ କରିଛି। ଏଥି ମଧ୍ୟରେ କିସାନ କ୍ରେଡିଟ୍ କାର୍ଡ ଯୋଜନାରେ ୫୦ ହଜାର ଟଙ୍କାର ଏକ କ୍ଲେମ ମଧ୍ୟ ମିଳିଛି। ତେବେ ଏହି ବିମାନ ଦୁର୍ଘଟଣା ପରେ ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ସମସ୍ତ ବୀମା କ୍ଲେମ ଶୀଘ୍ରାତିଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ।