ମୁମ୍ୱାଇ: ଏୟାର ଇଣ୍ଡିଆର ଜଣେ ମହିଳା ପାଇଲଟ୍ଙ୍କ ମୃତ ଦେହ ମୁମ୍ୱାଇ ସ୍ଥିତ ତାଙ୍କ ପ୍ଲାଟ୍ରୁ ଜବତ ହୋଇଛି । 25 ବର୍ଷୀୟା ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଯୁବତୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗରେ ପ୍ରେମିକକୁ ପୋଲିସ ଗିରଫ କରିଛି । ମୃତ ଯୁବତୀଙ୍କ ପରିବାର ଲୋକ ପ୍ରେମିକ ଆଦିତ୍ୟ ପଣ୍ଡିତଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ ଏୟାର ଇଣ୍ଡିଆର ପାଇଲଟ୍ ସୃଷ୍ଟି ତୁଲୀଙ୍କ ମୃତ ଦେହ ତାଙ୍କ ଅନ୍ଧେରୀ ସ୍ଥିତ ପ୍ଲାଟରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସୃଷ୍ଟିଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଆଦିତ୍ୟ ପଣ୍ଡିତ ଝିଅ ସହ ଦୁର୍ବବ୍ୟହାର କରୁଥିଲା । ସବୁବେଳେ ଫୋନ୍ କରି ବଚସା କରୁଥିଲା । ପରିବାର ଲୋକଙ୍କ ଅଭିଯୋଗରେ ଆଦିତ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଏହାପରେ କୋର୍ଟ ଡିସେମ୍ୱର ୨୯ ଯାଏ ପୋଲିସ ହେପଜତକୁ ପଠାଇଛନ୍ତି । ପୋଷ୍ଟମର୍ଟମ ରିପୋର୍ଟରୁ ଯୁବତୀଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ଜଣାପଡ଼ିଛି ।
ଯୁବତୀଙ୍କ ଫୋନ ଏବଂ ଅଭିଯୁକ୍ତ କଥାବର୍ତ୍ତାର ବିଶ୍ଲେଷଣ କରିବା ପାଇଁ ଫରେନସିକ୍ ଲ୍ୟାବ୍ ପଠାଯାଇଛି । ଘଟଣାରେ ପୋଲିସ ମହିଳା ପାଇଲଟ୍ଙ୍କ ସହକର୍ମୀ ଏବଂ ରୁମ୍ମେଟ୍ ବୟାନ ରେକର୍ଡ କରିଛି । ସୃଷ୍ଟି ଏବଂ ଅଭିଯୁକ୍ତ ଆଦିତ୍ୟ ପଣ୍ଡିତ ଦୁଇ ବର୍ଷ ପୂର୍ବେ ଦିଲ୍ଲୀରେ ପରସ୍ପରକୁ ଭେଟିଥିଲେ । ଏଫଆଇଆର୍ ଅନୁସାରେ ଦିଲ୍ଲୀରେ କମର୍ଶିଆଲ ପାଇଲଟ୍ ଲାଇସେନ୍ସ ପାଇଁ ପ୍ରଶିକ୍ଷଣ ବେଳେ ଦୁହେଁ ପରସ୍ପରକୁ ଭେଟିଥିଲେ । ପ୍ରଶିକ୍ଷଣ ପରେ ସୃଷ୍ଟିଙ୍କୁ ଏୟାର ଇଣ୍ଡିଆରେ ଚାକିରି ମିଳିଥିଲା । ୨୦୨୩ ଜୁନ୍ରେ ସେ ମୁମ୍ୱାଇ ଶିଫ୍ଟ ହୋଇଥିଲେ ।
ପରିବାର ଲୋକଙ୍କୁ ଯୁବତୀଙ୍କ ସହକର୍ମୀଙ୍କ କହିବା ଅନୁସାରେ ଆଦିତ୍ୟ ପଣ୍ଡିତ ସୃଷ୍ଟିକୁ ସବୁବେଳେ ଦୁର୍ବ୍ୟବହାର କରୁଥିଲା । ତାଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଉଦ୍ୟମ କରୁଥିଲା । ଅଧିକ କାମ ଯୋଗୁଁ ପଣ୍ଡିତର ବିବାହ କାର୍ଯ୍ୟରେ ତୁଲୀ ସାମିଲ ହୋଇପାରି ନଥିଲେ । ଏଥିରେ ରାଗି ଯାଇ ଆଦିତ୍ୟ କଥାବର୍ତ୍ତା ବନ୍ଦ କରିଥିଲା । ଯେଉଁଥି ପାଇଁ ସୃଷ୍ଟି ମାନସିକ ଚିନ୍ତାରେ ରହୁଥିଲେ । ରବିବାର କାମରୁ ଫେରିବା ପାଇଁ ମାଆଙ୍କ ସହ ସୃଷ୍ଟି କଥା ହୋଇଥିଲେ । ମାନସିକ ଚିନ୍ତାରେ ଥିବା ନେଇ କୌଣସି ସଂକେତ ଦେଇନଥିଲେ । ତେବେ ପଣ୍ଡିତ ସହ ବଚସା ପରେ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।