ଅହମଦାବାଦ ୨୧।୬: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ମୃତକଙ୍କ ମଧ୍ୟରୁ ୮ ଜଣଙ୍କ ଡିଏନଏ ମେଳକ ହୋଇ ପାରିନି। ଏଣୁ ସେମାନଙ୍କ ପରିଜନଙ୍କୁ ନିକଟ ସମ୍ପର୍କୀୟଙ୍କ ନମୁନା ଦେବାକୁ କୁହାଯାଇଛି। ଅହମଦାବାଦ ସିଭିଲ ହସ୍ପିଟାଲ ସୂଚନା ଅନୁସାରେ ଯେଉଁ ପର୍ଯ୍ୟନ୍ତ ଡିଏନଏ ମେଳ ନ ହୋଇଛି ସେ ପର୍ଯ୍ୟନ୍ତ ପରିଜନଙ୍କୁ ଶବ ହସ୍ତାନ୍ତରିତ କରାଯାଇ ପାରିବନି। ଏଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନମୁନା ମେଳକ ନ ହୋଇ ପାରିଲେ ଅନ୍ୟ ସମ୍ପର୍କୀୟଙ୍କ ନମୁନା ଦେବା ପାଇଁ ଆମେ କହିଥାଉ ବୋଲି ଚିକିତ୍ସା ଅଧିକ୍ଷକ କହିଛନ୍ତି।
ଯଦି ଜଣେ ସହୋଦର ଭାଇ ଅଥବା ଭଉଣୀ ନମୁନା ଦେଇଥାନ୍ତି ତେବେ ମୃତକଙ୍କ ଡିଏନଏ ମେଳକ ନିମନ୍ତେ ଅନ୍ୟ ସହୋଦର ଭାଇ ଅଥବା ଭଉଣୀଙ୍କ ନମୁନା ମଗାଯାଇଥାଏ। ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ପିତା ଓ ପୁଅ ଝିଅଙ୍କ ନମୁନାକୁ ପ୍ରାଥମିକତା ଦେଉଥିବା କହିଛନ୍ତି। ଯଦି ଏଥିରେ ନମୁନା ମେଳକ ନ ହୁଏ ତେବେ ପରିବାରର ଅନ୍ୟ ଉପଲବ୍ଧ ସଦସ୍ୟଙ୍କ ନମୁନା ନିଆଯାଏ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ଅହମଦାବାଦ ସିଭିଲ ହସ୍ପିଟାଲ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ରାକେଶ ଯୋଶୀ କହିଛନ୍ତି ଯେ ଏପରି ୮ଟି ପରିବାର ଅଛନ୍ତି ଯେଉଁମାନଙ୍କ ପ୍ରଥମ ନମୁନା ମୃତକଙ୍କ ଡିଏନଏ ସହିତ ମେଳକ ହୋଇନି। ଏଣୁ ମୃତକଙ୍କ ପରିଜନଙ୍କୁ ନମୁନା ମଗାଯାଇଛି। ତେବେ ବିମାନ ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରୁ ଶୁକ୍ରବାର ସୁଦ୍ଧା ୨୩୧ଜଣଙ୍କ ଡିଏନଏ ମେଳକ ହୋଇଛି। ଏଥିରୁ ୨୧୦ ଜଣଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତରିତ କରାଯାଇଛି।
ତେବେ ଡା. ଯୋଶୀ ଶୁକ୍ରବାର କହିଥିଲେ ଯେ ଯେହେତୁ ଡିଏନଏ ମେଳକ ପ୍ରକ୍ରିୟା ଅତ୍ୟଧିକ ସମ୍ବେଦନଶୀଳ ଓ ଏଥିରେ ଆଇନଗତ ପ୍ରୋଟକଲ ମଧ୍ୟ ରହୁଛି ଏଣୁ ଏହାକୁ ଅତ୍ୟନ୍ତ ଗୁରୁତର ସହ ଶୀଘ୍ରାତିଶୀଘ୍ର କରାଯାଉଛି। ଏହା ଦ୍ୱାରା ପରିବାରଙ୍କୁ ସେମାନଙ୍କ ପ୍ରିୟ ଜନଙ୍କ ଶବ ଖୁବ୍ ଶୀଘ୍ର ମିଳିପାରିବ। ଅହମଦାବାଦର ମେଘଣୀ ନଗରରେ ଜୁନ ୧୨ ତାରିଖ ଦିନ ହୋଇଥିବା ବିମାନ ଦୁର୍ଘଟଣାରେ ୨୪୧ ଜଣ ପ୍ରାଣ ହରାଇଥିଲେ, ଅନ୍ୟପଟେ ଦୁର୍ଘଟଣା ସ୍ଥଳରେ ଅନ୍ୟ ୨୯ ଜଣ ପ୍ରାଣ ହରାଇଥିଲେ।