ନୂଆଦିଲ୍ଲୀ ୧୫।୬: ଅହମଦାବାଦରେ ବିମାନ ଦୁର୍ଘଟଣାର ହୃଦୟବିଦାରକ ଘଟଣା ପରେ ଏବେ କୋରିୟର ପାର୍ସଲ ଉପରେ କଟକଣା ଲାଗୁ କରାଯାଇଛି। ବିମାନରେ ଏଣିକି କୌଣସି ଲିକ୍ୱିଡ, ପାଉଡର ଓ ଇଲେକ୍ଟ୍ରୋନିକ୍ ସାମଗ୍ରୀ ନେଇ ଯିବା ଉପରେ କଟକଣା ଲଗାଇ ଦିଆଯାଇଛି। ଏପରି କୌଣସି କୋରିୟର ପାର୍ସଲକୁ କୌଣସି ପ୍ରକାରର ଏୟାର କୋରିୟରରେ ସ୍ୱୀକାର କରାଯିବ ନାହିଁ। ଶ୍ରୀ ମହାବୀର ଏକ୍ସପ୍ରେସ୍ ସର୍ଭିସ୍ ପ୍ରାଇଭେଟ ଲିମିଟେଡ ଏ ନେଇ ସାରା ଦେଶର ନିଜ କାର୍ଯ୍ୟାଳୟଙ୍କୁ ଲିଖିତ ଆଦେଶ ଜାରି କରିଛନ୍ତି।
ଏହି ଆଦେଶରେ ବୁକିଂ କରିବା ବେଳେ ଏଣିକି ସତର୍କ ହୋଇଯାଅ ବୋଲି ଉଲ୍ଲେଖ କରାଯାଇଛି। ଦେଶର ସବୁ ଏୟାରପୋର୍ଟଙ୍କୁ ଏ ନେଇ କଡ଼ାକଡି ନିର୍ଦ୍ଦେଶ ଜାରି କରାଯାଇଛି। ଯଦି ବିନା ସୂଚନାରେ ଏପରି କୌଣସି ସାମଗ୍ରୀ ଯାଏ ତେବେ ଏହାକୁ ଏୟାରପୋର୍ଟରେ ହୋଲ୍ଡ କରିଦିଆଯିବ, ଯାହା ଫେରସ୍ତ ମିଳିବ ନାହିଁ। ମହାବୀର କୋରିୟର ସମେତ ଅନ୍ୟ କମ୍ପାନୀମାନେ ମଧ୍ୟ ଏହି ଆଦେଶକୁ ନେଇ ଏବେ କଡ଼ା ସତର୍କତା ଅବଲମ୍ବନ କରୁଛନ୍ତି।
ଅନୁମାନ କରାଯାଉଛି ଏୟାର କୋରିୟର କମ୍ପାନୀମାନେ ସେମାନଙ୍କ ଅଫିସରେ ଏବେ ଏ ନେଇ ଲିଖିତ ସତର୍କତା ଟଙ୍ଗାଇ ପାରନ୍ତି। ତେବେ ଏପରି ସାମଗ୍ରୀ ସଡ଼କ ମାର୍ଗରେ ପରିବହନ ପାଇଁ ବୁକ୍ କରାଯାଇ ପାରିବ। ଏଣୁ କୋରିୟର କମ୍ପାନୀମାନେ ଗ୍ରାହକଙ୍କୁ ଅନୁରୋଧ କରିଛନ୍ତି ଯେ ଏପରି କୌଣସି ସାମଗ୍ରୀ ଏୟାର କୋରିୟରରେ ଆଉ ପଠାନ୍ତୁ ନାହିଁ। ଯଦି କୌଣସି ବ୍ୟକ୍ତି ଏୟାର ଟ୍ରାଭେଲ କରୁଥାନ୍ତି ତାଙ୍କ ବ୍ୟାଗେଜ କଡ଼ାକଡ଼ି ଯାଞ୍ଚ ହେଉଛି। ଏପରି କୌଣସି ସାମଗ୍ରୀ ମିଳିଲେ ଜବତ କରିଦିଆଯାଉଛି।
ଏପରି ସାମଗ୍ରୀକୁ ନେଇ ଏବେ ଯାତ୍ରୀଙ୍କୁ ପଚରା ଉଚରା କରାଯାଉଛି କେତେକ ମାମଲାରେ ଯାତ୍ରୀଙ୍କୁ ଫ୍ଲାଇଟରେ ଯିବାକୁ ରୋକି ଦିଆଯାଉଛି। ଏଥିରେ ମାଦକ ପେୟ ପଦାର୍ଥ, ପରଫ୍ୟୁମ, ଔଷଧ, ସୌନ୍ଧର୍ଯ୍ୟ ପ୍ରସାଧାନ, ବ୍ୟାଟେରୀ ସେଲ, ହ୍ୟାଣ୍ଡ ବ୍ୟାଗେଜରେ ଇଲୋକ୍ଟ୍ରୋନିକ ଆଇଟମ ଆଦିକୁ ଅଟକା ଯାଉଛି। ତେବେ ଏଗୁଡିକୁ ସୀମିତ ଯାତ୍ରାରେ ସ୍ୱୀକାର କରାଯାଉଛି। ଏୟାରପୋର୍ଟ ଅଥରିଟିଙ୍କ ଦ୍ୱାରା ଶୁଷ୍କ ବରଫ (ସୀମିତ ମାତ୍ରା) ନେଇ ପାରିବେ। ଏହା ଛଡା କମ୍ପ୍ରେସଡ ଗ୍ୟାସ୍, ଓଦା ବ୍ୟାଟେରୀ ସେଲ, ପାରାଯୁକ୍ତ ଉପକରଣ ନେଇଯିବାକୁ ଅନୁମତି ନାହିଁ।