ନୂଆଦିଲ୍ଲୀ ୭।୭: ଅଲ ଇଣ୍ଡିଆ ବାର ଆସୋସିଏସନ (ଏଆଇବିଏ) ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛି। ଏଥିରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ, ପୂର୍ବତନ ଲୋକସଭା ବାଚସ୍ପତି ଓ ପୂର୍ବତନ ପ୍ରଧାନ ନ୍ୟାୟାଧୀଶଙ୍କ ନିମନ୍ତେ ଆଜୀବନ ସରକାରୀ ଆବାସ୍ ପାଇଁ ବିଧାୟୀ ପ୍ରାବଧନ କରିବାକୁ ନିବେଦନ କରାଯାଇଛି। ବରିଷ୍ଠ ଅଧିବକ୍ତା ତଥା ଏଆଇବିଏ ଚେୟାରମ୍ୟାନ ଡ. ଆଦିଶ ସି. ଅଗ୍ରୱାଲ ପୂର୍ବତନ ସିଜେଆଇ ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କୁ ଅବସର ନେବା ପରେ ଉପଯୁକ୍ତ ବାସଗୃହ ମିଳି ପାରୁନଥିବାରୁ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି।
ଯଦିଓ ସୁପ୍ରିମକୋର୍ଟ ଜଜ୍ (ସଂଶୋଧିତ) ନିୟମ ୨୦୨୨ ଅନୁସାରେ ଅବସରପ୍ରାପ୍ତ ମୁଖ୍ୟ ନ୍ୟାୟାଧୀଶଙ୍କୁ ୬ ମାସ ପର୍ଯ୍ୟନ୍ତ ଦିଲ୍ଲୀରେ ଭଡ଼ା ମୁକ୍ତ ଆବାସର ପ୍ରାବଧାନ ରହିଛି। ଏହା ସତ୍ତ୍ୱେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଦିଲ୍ଲୀରେ ଉପଯୁକ୍ତ ପ୍ରାଇଭେଟ ଘର ଖୋଜିବାରେ ବିଫଳ ହୋଇଛନ୍ତି ଓ ସେ ଅଧିକୃତ ସରକାରୀ କ୍ୱାର୍ଟରର ଅବଧି ବଢାଇବାକୁ ଅନୁରୋଧ କରିଛନ୍ତି। ସରକାର ସଦଭାବନା ସହିତ ଏହି ସମ୍ପ୍ରସାରଣକୁ ସ୍ୱୀକାର କରିଛନ୍ତି ଓ କିନ୍ତୁ ଏଥି ଯୋଗୁ ତତ୍କାଳୀନ ସିଜେଆଇ ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କ ଅଧିକାରୀକ କ୍ୱାର୍ଟରରେ ପ୍ରବେଶ ବିଳମ୍ବ ହୋଇଥିଲା।
ସେହିପରି ବର୍ତ୍ତମାନର ସିଜେଆଇ ବି.ଆର.ଗଭଇ କାର୍ଯ୍ୟଭାର ଗ୍ରହଣ କରିବାର ଏକମାସରୁ ଅଧିକ କାଳ ହୋଇଯାଇଥିଲେ ମଧ୍ୟ ସିଜେଆଇଙ୍କ ଅଧିକାରୀକ କ୍ୱାର୍ଟରକୁ ପ୍ରବେଶ କରି ନାହାନ୍ତି। ଏଥିରେ ଡ. ଅଗ୍ରୱାଲ ପତ୍ରରେ ଲେଖିଛନ୍ତି ଯେ ଏପରି ଘଟଣା ଏକ ବ୍ୟବସ୍ଥିତ ଓ ଗୌରବମୟ ସମାଧାନର ଆବଶ୍ୟକତାକୁ ଦର୍ଶାଉଛି। ପତ୍ରରେ କୁହାଯାଇଛି ଯେ ଭାରତର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ମାମଲାରେ ଯେପରି ହେଉଛି ସେହିପରି ଗଣତନ୍ତ୍ରର ୩ ସ୍ତମ୍ବ ବିଧାୟିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ଉଚ୍ଚତମ ସ୍ତରରେ ସେବା ଦେଉଥିବା ଲୋକଙ୍କୁ ଆଜୀବନ ସରକାରୀ ଆବାସ ମିଳିବା ଦରକାର।