ନୂଆଦିଲ୍ଲୀ ୨୧/୦୮: ଜୁନ୍ ୧୨ ତାରିଖ, ଅଶୁଭ ଦିନ । ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା । ଉଡ଼ାଣ ଭରିବାର କିଛି ସମୟ ପରେ ଜଳିଥିଲା ବିମାନ । ନିମିଷକେ ପୋଡି ପାଉଁଶ ହୋଇଥିଲା ବିମାନ । ଜଣେ ଯାତ୍ରୀଙ୍କୁ ଛାଡି ବାକି ସମସ୍ତଙ୍କ ଯାତ୍ରୀଙ୍କର ହୋଇଥିଲା ମୃତ୍ୟୁ । ତେବେ ଦୁର୍ଘଟଣା ଘଟିବାର ଅନେକ ମାସ ପରେ ସଂସଦୀୟ କମିଟି ଭାରତର ବିମାନ ଚଳାଚଳ ସୁରକ୍ଷା ବ୍ୟବସ୍ଥାକୁ ନେଇ କଡ଼ା ଚେତାବନୀ ଦେଇଛି ।
କମିଟି ଅନେକ ବଡ଼ ତ୍ରୁଟି ଦର୍ଶାଇଛି । କହିଛି ଯେ ଏଥିରେ ତୁରନ୍ତ ଉନ୍ନତି ଆଣିବାର ଆବଶ୍ୟକତା ଅଛି। ଜେଡିୟୁ ରାଜ୍ୟସଭା ସାଂସଦ ସଞ୍ଜୟ କୁମାର ଝାଙ୍କ ଅଧ୍ୟକ୍ଷତାରେ ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ସମ୍ପର୍କିତ ସ୍ଥାୟୀ କମିଟି ବୁଧବାର ସଂସଦର ଉଭୟ ଗୃହରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସୁରକ୍ଷାର ସାମଗ୍ରିକ ସମୀକ୍ଷା ଉପରେ ଏହାର ରିପୋର୍ଟ ଉପସ୍ଥାପନ କରିଛି।
କମିଟି ରିପୋର୍ଟରେ ଅନେକ ପ୍ରଶ୍ନ ଉଠାଇଛି?
ଏହି ରିପୋର୍ଟରେ ଏୟାର ଇଣ୍ଡିଆର AI 171 ବିମାନ ସହିତ ଜଡିତ ଦୁର୍ଘଟଣାର ନାମ ଉଲ୍ଲେଖ କରାଯାଇ ନାହିଁ । କିନ୍ତୁ ବୈଠକ ସମୟରେ ସାଂସଦମାନେ ଏହି ଦୁର୍ଘଟଣା ଉପରେ ଆଲୋଚନା କରିଥିଲେ । ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ର ଅଧିକାରୀମାନଙ୍କୁ ଡକାଇ ରିପୋର୍ଟରେ ବିଳମ୍ବ ଓ ତଦନ୍ତରେ ସମନ୍ୱୟର ଅଭାବ ଉପରେ ପ୍ରଶ୍ନ ଉଠାଇଥିଲେ। ରିପୋର୍ଟରେ କୁହାଯାଇଛି ଯେ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଦ୍ରୁତ ପ୍ରସାର ଏହାର ନିୟାମକ ଏବଂ ପରିଚାଳନା କ୍ଷମତା ଉପରେ ପ୍ରଭାବ ପକାଉଛି।
ନିରନ୍ତର ଦେଖାଯାଉଥିବା ତ୍ରୁଟି ଏବଂ ସମ୍ବଳର ଅଭାବ ଏପରି ପରିସ୍ଥିତି ସୃଷ୍ଟି କରୁଛି ଯେ ଯେକୌଣସି ସମୟରେ ଏକ ବଡ଼ ଦୁର୍ଘଟଣା ଘଟିପାରେ। କମିଟି ଚେତାବନୀ ଦେଇଛି ଯେ ୨୦୨୩ ସୁଦ୍ଧା, ଯେତେବେଳେ ଭାରତରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବାର୍ଷିକ ୩୦୦ ନିୟୁତ (୩୦ କୋଟି) ଅତିକ୍ରମ କରିବ । ସେତେବେଳେ ଯୋଜନାହୀନ ଫ୍ଲିଟ୍ ସମ୍ପ୍ରସାରଣ, କ୍ଳାନ୍ତ କର୍ମଚାରୀ, ଅସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଓ ପୁରୁଣା ଭିତ୍ତିଭୂମି ମିଶି ଭବିଷ୍ୟତରେ ଅଧିକ ଗମ୍ଭୀର ଦୁର୍ଘଟଣା ପାଇଁ ଦାୟୀ ହୋଇପାରେ।
ଅଧ୍ୟକ୍ଷ ଝା କହିଛନ୍ତି ଯେ ଏହି ରିପୋର୍ଟ ଜନସାଧାରଣଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ତୁରନ୍ତ ସଂସ୍କାର ପାଇଁ ଏକ ରୋଡମ୍ୟାପ୍ । ବୈଠକ ସମୟରେ, ସାଂସଦମାନେ AAIB କୁ ମଧ୍ୟ ପଚାରିଥିଲେ ଯେ AI ୧୭୧ର ପ୍ରାରମ୍ଭିକ ରିପୋର୍ଟରେ କାହିଁକି ବିଳମ୍ବ ହେଲା । ପୂର୍ବରୁ ଦିଆଯାଇଥିବା ସୁରକ୍ଷା ପରାମର୍ଶ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ।
DGCA କୁ ସମାଲୋଚନା କରିଛି କମିଟି
ରିପୋର୍ଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଭାରତର ମୁଖ୍ୟ ବିମାନ ଚଳାଚଳ ନିୟାମକ DGCA (DGCA ଡାଇରେକ୍ଟରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍) ର କଡ଼ା ସମାଲୋଚନା। ରିପୋର୍ଟରେ DGCA କୁ ସମାଲୋଚନା କରାଯାଇଛି। କମିଟି ଚେତାବନୀ ଦେଇଛି ଯେ DGCA ରେ କର୍ମଚାରୀଙ୍କ ବିରାଟ ଅଭାବ ରହିଛି, ଯାହା ଯୋଗୁଁ ଏହା ଆନ୍ତର୍ଜାତୀୟ ଦାୟିତ୍ୱ ପୂରଣ କରିବାରେ ବିଫଳ ହୋଇପାରେ । ଯଦି ତୁରନ୍ତ ନିଯୁକ୍ତି କରା ନ ଯାଏ, ତେବେ ଭବିଷ୍ୟତରେ ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ICAO) ର ଅଡିଟ୍ ବିଫଳ ହେବାର ଆଶଙ୍କା ରହିଛି।
୧,୦୬୩ ଅନୁମୋଦିତ ପଦବୀ ମଧ୍ୟରୁ, କେବଳ ୫୫୩ ପଦବୀ ପୂରଣ କରାଯାଇଛି। ପ୍ରାୟ ୪୫% ବୈଷୟିକ କର୍ମଚାରୀ ଡେପୁଟେସନ୍ ରେ ଅଛନ୍ତି । ଯାହା କାରଣରୁ କର୍ମଚାରୀଙ୍କ ନିରନ୍ତର ପରିବର୍ତ୍ତନ ହେଉଛି । ଏହା ସହିତ, ନିୟାମକ କାର୍ଯ୍ୟର ନିରନ୍ତରତା ମଧ୍ୟ ଭାଙ୍ଗିଯାଉଛି।
ଭାରତର ସଦ୍ୟତମ ICAO ଅଡିଟ୍ ରିପୋର୍ଟ ଭାରତକୁ ବିଶ୍ୱ ହାରାହାରି ତଳେ ରଖିଛି । ଅର୍ଥାତ୍ ସୁରକ୍ଷା ତଦାରଖରେ ଆମର ସ୍ଥିତି ଦୁର୍ବଳ।
କମିଟି ଚେତାବନୀ ଦେଇଛି ଯେ ଯଦି କୌଣସି ଉନ୍ନତି ନହୁଏ, ତେବେ ଭାରତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରେ । ଯାହା ସିଧାସଳଖ ଦେଶର ବର୍ଦ୍ଧିତ ବିମାନ ବଜାରକୁ ପ୍ରଭାବିତ କରିପାରିବ। ତଥାପି, କମିଟି ପୁଣିଥରେ ଏହାର ଦାବିକୁ ଦୋହରାଇଛି ଯେ DGCAକୁ ସମ୍ପୂର୍ଣ୍ଣ ପ୍ରଶାସନିକ ଏବଂ ଆର୍ଥିକ ସ୍ୱାଧୀନତା ଦିଆଯାଉ । ନିଯୁକ୍ତି ପ୍ରକ୍ରିୟାକୁ UPSC ଠାରୁ ଅଲଗା କରାଯାଉ।