ଟାଙ୍ଗୀ ୨୦/୧୦: ମରାଳ ମାଳିନୀ ନୀଳାମ୍ବୁ ଚିଲିକା । ଅପରୂପ ସୌନ୍ଦର୍ଯ୍ୟ ଯେମିତି,ଶାନ୍ତ ସରଳ ପରିବେଶ ସେମିତି । ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ ଏହାର ସୌନ୍ଦର୍ଯ୍ୟରେ ସମସ୍ତେ ଆକର୍ଷିତ ଓ ବିମୋହିତ । ଏଇ ଯେମିତି ଦେଖୁନାହାନ୍ତି କାହିଁ କେତେ ଦୂରରୁ ଉଡି ଆସିଛନ୍ତି ଭଳିକି ଭଳି ରଙ୍ଗ ବେରଙ୍ଗର ପକ୍ଷୀ । ଶୀତ ଭଲରେ ପଡିନି ଏମାନେ କିନ୍ତୁ ଆସିଗଲେଣି । ଚିଲିକାର ନୀଳ ଆକାଶରେ ଘୁରି ବୁଲିଲେଣି ।ସେମାନଙ୍କ କିଚିରିମିଚିରି ଶବ୍ଦ ଓ କୋଳାହଳରେ କଂପୁଛି ଚିଲିକା ପରିସର । ଆଉ ବିଦେଶରୁ ଆସିଥିବା ଅତିଥିଙ୍କୁ ସ୍ବାଗତ କରିଛି ଚିଲିକା ରାଣୀ ।କୁହୁଡିଆ ସକାଳ ସାଙ୍ଗକୁ ରଙ୍ଗବେରଙ୍ଗ ପକ୍ଷୀଙ୍କ ଉପସ୍ଥିତି ଚିଲିକାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି । ସତେ ଯେମିତି ବିଦେଶୀ ପକ୍ଷୀଙ୍କୁ ପାଇ ବେଶ ଉତଫୁଲ୍ଲିତ ଚିଲିକା ରାଣୀ
ବିଦେଶ ପକ୍ଷୀଙ୍କ ଆଗମନକୁ ଦେଖି ବେଶ ସଜାଗ ବନବିଭାଗ । ପକ୍ଷୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଚିଲିକା ବନ୍ୟପ୍ରାଣୀ ଡିଭିଜନର ଅଧୀନରେ ଥିବା ୫ଟି ରେଞ୍ଜ ଅଫିସ ଟାଙ୍ଗୀ,ରମ୍ଭା,ନୂଆପଡା,ଚିଲିକା ଓ ସାତପଡା ଅଞ୍ଚଳରେ ପକ୍ଷୀ ଶିକାର ନକରିବାକୁ ଲୋକଙ୍କୁ ସଚେତନ କରାଯାଉଛି । ମତ୍ସ୍ୟଜୀବୀଙ୍କୁ ପକ୍ଷୀଙ୍କ ସୁରକ୍ଷା ବଳୟକୁ ପ୍ରବେଶ ପାଇଁ ବାରଣ କରାଯାଇଛି ।ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ୨୦ଟି ଅସ୍ଥାୟୀ କ୍ୟାମ୍ପ କରାଯାଇଛି । ଦିନ ରାତି ପଇଁତରା ମାରୁଛନ୍ତି କର୍ମଚାରୀ । ପକ୍ଷୀଙ୍କ ଶିକାର ଉପରେ ରୋକ୍ ଲଗାଇବାକୁ ଡ୍ରୋନ ବ୍ୟବସ୍ଥା କରାଯାଇଛି ।
ସୁଦୂର ସାଇବେରିଆରୁ ଲଦାଖ, ମାଇଲ ମାଇଲ ବାଟ ଅତିକ୍ରମ କରି ଛୁଟିଆସିଛନ୍ତି ଏମାନେ । ନୀଳାମ୍ବୁ ଚିଲିକାର ଶୋଭା ବଡାଉଥିବା ଏସୌନ୍ଦର୍ଯ୍ୟର ମଜା ଉଠାଇବାକୁ ପର୍ଯ୍ୟଟକଙ୍କ ଗହଳି ଲାଗିଲାଣି । ସରକାରୀ ରେକର୍ଡ କହୁଛି ଗତବର୍ଷ ଚିଲିକାକୁ ୧୮୪ ପ୍ରଜାତିର ପ୍ରାୟ୧୧ ଲକ୍ଷ ୩୬ ହଜାର ୭୫୯ଟି ବିଦେଶୀ ଅତିଥୀଙ୍କ ଆଗମନ ହୋଇଥିଲା । ଏବର୍ଷ ମଧ୍ୟ ଶୀତ ଯେତିକି ବଢିବ ପକ୍ଷୀଙ୍କ ସମାଗମ ଅଧିକ ହେବା ନେଇ ଆଶା କରାଯାଇଛି ।