ଭଦ୍ରକ ୧୧/୧୨:ଭଲ ପାଇଲେ । ବାହା ହେଲେ । ଫେରାର ହୋଇଗଲେ । ସ୍ତ୍ରୀ ଓ ପୁଅକୁ ଛାଡି ଫେରାର ହୋଇଗଲା ସ୍ବାମୀ । ସ୍ବାମୀକୁ ଖୋଜି ଖୋଜି ନୟାନ୍ତ ସ୍ତ୍ରୀ । ହେଲେ ସ୍ବାମୀର ମିଳୁନି ପତ୍ତା । ପ୍ରାୟ ୫ କୋଟିର ଚୁନା ଲଗାଇ ଚମ୍ପଟ ମାରିଛି ସ୍ବାମୀ । ସ୍ବାମୀ ନାଁରେ ଭଦ୍ରକ ବନ୍ତ ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ । ସ୍ବାମୀଙ୍କ ନାଁରେ ଏମିତି ସଂଗୀନ ଅଭିଯୋଗ ଆଣିଥିବା ଏ ମହିଳା ହେଉଛନ୍ତି ଗୁଜରାଟ ଅହମ୍ମଦାବାଦ ରିମିପୁର ଅଞ୍ଚଳର ହୀରଲ ମୋଦି ।
ଭଦ୍ରକ ବନ୍ତ ଥାନା ନରସିଂହପୁର ଅଞ୍ଚଳର ମନୋଜ ନାୟକଙ୍କୁ ପ୍ରେମ ବିବାହ କରିଥିଲେ ହୀରଲ । ଉଭୟ ଏକ ଆଇଟି କଂପାନୀରେ କାମ କରୁଥିବାବେଳେ ପ୍ରେମ ପରେ ବିବାହ କରିଥିଲେ ।ହୀରଲଙ୍କର ଏକ rankway pvt ltd ନାମରେ ଆଇଟି କଂପାନୀ ଥିଲା । ମନୋଜ କଂପାନୀକୁ ବ୍ୟାଙ୍କରେ ବନ୍ଧା ପକାଇ ଲୋନ୍ ଆଣିଥିଲେ । କଂପାନୀ ଏବେ ବନ୍ଦ ହୋଇଗଲାଣି । ତେବେ ସେ ରହୁଥିବା ଘରକୁ ମଧ୍ୟ ବନ୍ଧା ରଖି ଟଙ୍କା ଆଣିଥିଲେ ମନୋଜ । ବ୍ୟାଙ୍କ ଏବେ ଘର ନିଲାମ କରିବାକୁ ବସିଲାଣି ।
କେବଳ ସେତିକି ନୁହେଁ ଗାଁରେ ବ୍ୟବସାୟ କରୁଥିବା କହି ହୀରଲଙ୍କ ବାପା-ମାଆଙ୍କ ଠାରୁ ମଧ୍ୟ କୋଟି କୋଟି ଟଙ୍କା ହଡପ କରିଥିବା ସେ କହିଛନ୍ତି । କୋଟି କୋଟି ଟଙ୍କାର ଠକି ମନୋଜ ଫେରାର ହେବା ପରେ ହୀରଲଙ୍କ ମୁଣ୍ଡରେ ଚଡକ ପଡିଛି । ସ୍ବାମୀଙ୍କୁ ଖୋଜି ଖୋଜି ସେ ଆସି ଭଦ୍ରକ ସ୍ଥିତ ଶ୍ବଶୁର ଘରେ ଡେରା ପକାଇଛନ୍ତି । ପ୍ରଥମେ ସେ ବନ୍ତ ଥାନାରେ ଅଭିଯୋଗ କରିଥିଲେ । ସେଠାରୁ ନିରାଶ ହୋଇ ଏସ୍ପିଙ୍କ ଦ୍ବାରସ୍ଥ ହୋଇଥିଲେ । ଏମିତିକି ନ୍ୟାୟ ପାଇଁ ସେ ଡିଜିପି,କ୍ରାଇମବ୍ରାଞ୍ଚ,ଓ ମହିଳା କମିଶନଙ୍କୁ ମଧ୍ୟ ଭେଟି ନିଜର ଦୁଃଖ ଜଣାଇଛନ୍ତି । ସମାଧାନ ପାଇଁ କାକୁତିମୀନତି ବି ହୋଇଛନ୍ତି ହେଲେ ପ୍ରତିଶ୍ରୁତି ଛଡା କିଛି ମିଳିନି ବୋଲି କହିଛନ୍ତି ହୀରଲ । ହୀରଲ କେମିତି ଉଚିତ ନ୍ୟାୟ ପାଇବେ ସେ ସଂପର୍କରେ ପୋଲିସ ତ୍ବରିତ ଆକ୍ସନ ନେବା ଦରକାର ।