ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତି ବୁଝାମଣାକୁ ନେଇ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା ପରେ ଏବେ ୱାଶିଂଟନ ଓ କିଭ୍ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଏହି ଆଲୋଚନାରେ ଶାନ୍ତି ସ୍ଥାପନା ଉପରେ ଚର୍ଚ୍ଚା ହୋଇଛି । ଟ୍ରମ୍ପ୍ ଏହି ଆଲୋଚନାକୁ ସକାରାତ୍ମକ ବୋଲି କହିଛନ୍ତି । ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେ କହିଛନ୍ତି ଯେ କଥାବାର୍ତ୍ତା ପ୍ରାୟ ୧ ଘଣ୍ଟା ଯାଏ ଚାଲିଥିଲା । ଏଥିରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଗତକାଲି ହୋଇଥିବା ଆଲୋଚନାର ମୁଖ୍ୟ ବିନ୍ଦୁ ଉପରେ ଚର୍ଚ୍ଚା କରିଛୁ ।
ସେ କହିଛନ୍ତି, 'ଆମେ ଠିକ୍ ଦିଗରେ ଆଗକୁ ବଢୁଛୁ, ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମାଇକେଲ୍ ୱାଲ୍ଟଜଙ୍କୁ ଏହି ଆଲୋଚନା ଉପରେ ସଠିକ୍ ବିବୃତ୍ତି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ।' ଏହି ଆଲୋଚନା ପରେ ଅନୁମାନ କରାଯାଉଛି ଯେ ଆମେରିକା ଯୁଦ୍ଧବିରତି ଓ ଶାନ୍ତି ବୁଝାମଣା ଦିଗରେ କଠୋର ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି କରୁଛି । ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଆଲୋଚନା ଉପରେ ସାରା ଦୁନିଆ ନଜର ଥିବା ବେଳେ ଏବେ ଜେଲେନସ୍କିଙ୍କ ସହ ଆଲୋଚନା ଏକ ବଡ଼ ସଂକେତ ବୋଲି ଅନୁମାନ କରାଯାଉଛି ।
ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ପ୍ରାୟ ୯୦ ମିନିଟ୍ ଯାଏ ଫୋନରେ କଥାବର୍ତ୍ତା ହୋଇଥିଲେ । ଏହି ଆଲୋଚନାରେ ଦୁଇ ନେତା ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ୩୦ ଦିନର ଅସ୍ଥାୟୀ ଯୁଦ୍ଧବିରତି ଉପରେ ସହମତି ବ୍ୟକ୍ତ କରିଥିଲେ । ଦାବି କରାଯାଉଛି ଯେ ଆଲୋଚନାରେ ପୁଟିନ ସ୍ପଷ୍ଟ କରିଥିଲେ ଯେ ଯଦି ଆମେରିକା ଓ ଏହାର ସହଯୋଗୀ ଦେଶ ୟୁକ୍ରେନକୁ ସୈନ୍ୟ ଓ ଗୁଇନ୍ଦା ସହାୟତା ପ୍ରଦାନ ବନ୍ଦ ନକରିବା ପର୍ଯ୍ୟନ୍ତ ପୂର୍ଣ୍ଣ ସଂଘର୍ଷ ବନ୍ଦ ହେବ ନାହିଁ ।