ଭିସା ରଦ୍ଦ, ପାଣି ରୋକ୍, ଅପରେସନ୍ ସିନ୍ଦୁର ଭାଙ୍ଗିଲା ପାକ୍‌ ଅଣ୍ଟା; କେମିତି ଥିଲା ପହଲଗାମ୍ ଆଟାକ୍‌ର ୧୫ ଦିନ...

Published By : Prameya-News7 Bureau | May 07, 2025 IST

ନୂଆଦିଲ୍ଲୀ ୦୭।୦୫: ୨୨ ଅପ୍ରେଲ୍ ୨୦୨୫ । ଜମ୍ମୁକାଶ୍ମୀର ପହଲଗାମ୍‌ରେ ଶୁଭିଲା ଗୁଳିର ଶବ୍ଦ । ଆତଙ୍କୀ ଖେଳିଥିଲେ ରକ୍ତର ହୋଲି । ନୀରିହ ଲୋକଙ୍କୁ ଧର୍ମ ପଚାରି ମାରିଥିଲେ ଆତଙ୍କୀ । କଲମା ପଢିବାକୁ କହି ନେଇଥିଲେ ଜୀବନ । ଏଥିରେ ୨୬ ଜଣଙ୍କର ହୋଇଥିଲା ମୃତ୍ୟୁ । ଆଉ ୧୬ଜଣ ହୋଇଥିଲେ ଆହତ । ମଙ୍ଗଳବାର ଏହି ଘଟଣାକୁ ହୋଇଥିଲା ୧୫ ଦିନ । ମଧ୍ୟ ରାତ୍ରୀରେ ଜବାବ ଦେଇଛନ୍ତି ଭାରତୀୟ ସେନା । ୩ସେନା ମିଶି କରିଥିଲେ ଅପରେସନ୍ ସିନ୍ଦୁର । ଏହି ଅପରେସନ୍ ପାକିସ୍ତାନ ଏବଂ ଏହାର ଆତଙ୍କୀ ସଂଗଠନକୁ ଦେଇଥିଲା କଡା ଜବାବ । ୧୫ ଦିନର ପ୍ଲାନ୍‌କୁ ମାତ୍ର ୨୫ ମିନିଟ୍‌ରେ ଶେଷ କରିଛି ଭାରତୀୟ ସେନା । ଯାହାକୁ ନେଇ ଏବେ ଥରହର ପାକିସ୍ତାନ  । ତେବେ ୧୫ ଦିନ ମଧ୍ୟରେ କଣ   କଣ ସବୁ ଘଟିଛି । ଆସନ୍ତୁ ଜାଣିବା.. 

୨୨ ଅପ୍ରେଲ୍ ୨୦୨୫ । ପହଲଗାମ୍‌ ବୈସରନ୍ ଘାଟିରେ ପର୍ଯ୍ୟଟକଙ୍କ ଉପରେ ଅନ୍ଧାଧୁନିଆ ଗୁଳିବର୍ଷା କରିଥିଲେ ଆତଙ୍କୀ ।  ଏମାନେ ହିନ୍ଦୁଙ୍କୁ କରିଥିଲେ ଟାର୍ଗେଟ୍ । ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଥିଲା ଭାରତ । ଯେଉଁଥିରେ TRF ଏବଂ ଲସ୍କର-ଏ-ତୋଇବାର ନାଁ ସାମ୍ନାକୁ ଆସିଥିଲା ।  ୨୩ ଅପ୍ରେଲ୍ରେ ତୁରନ୍ତ ତୁରନ୍ତ ଆକ୍ସନ୍ ନେଇଥିଲା ଭାରତ । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ NIA ଟିମ୍ ପହଲଗାମ ଆକ୍ରମଣର ତଦନ୍ତ କରିଥିଲା । ଆକ୍ରମଣ ଷଡ଼ଯନ୍ତ୍ରର କରିଥିଲା ପର୍ଦ୍ଦାଫାସ । ଏହାପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା CCS ବୈଠକ । ଏଥିରେ ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଆଯାଇଥିଲା ଐତିହାସିକ ନିଷ୍ପତ୍ତି । ଏହା ପ୍ରଥମ ଥର ଥିଲା ଯେତେବେଳେ ଭାରତ ଏହି ଚୁକ୍ତିକୁ ସ୍ଥଗିତ ରଖିଥିଲା ।  

ଏହାବ୍ୟତୀତ ଭାରତ ପଞ୍ଜାବର ଅଟାରୀ-ୱାଘା ସୀମା ଚେକ୍‌ ପୋଷ୍ଟକୁ ବନ୍ଦ କରିଥିଲା । ଯାହା ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା ବାଣିଜିକ କାରବାର । ସେହି ମିଟିଙ୍ଗ୍‌ରେ ମଧ୍ୟ ପାକିସ୍ତାନୀ ନାଗରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା କରାଯାଇଥିଲା ବାତିଲ । ପାକିସ୍ତାନୀ ନାଗରିକମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ଦିଆଯାଇଥିଲା ନିର୍ଦ୍ଦେଶ । ଯାହାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପାକିସ୍ତାନ ବିରୁଦ୍ଧରେ କୂଟନୈତିକ ପଦକ୍ଷେପ ମଧ୍ୟ ନେଇଛି ଭାରତ । 

ଇସଲାମାବାଦରେ ଥିବା ଭାରତୀୟ ମିଶନ ଏବଂ ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନ କର୍ମଚାରୀଙ୍କ ସଂଖ୍ୟା ୫୫ ରୁ ୩୦କୁ ହ୍ରାସ କରିଛି । ପାକିସ୍ତାନ ହାଇକମିଶନର ପ୍ରତିରକ୍ଷା, ନୌସେନା ଏବଂ ବାୟୁସେନା ପରାମର୍ଶଦାତାଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ଭାରତ ଛାଡିବାକୁ ଦିଆଯାଇଥିଲା ନିର୍ଦ୍ଦେଶ । ୨୪-୨୭ ଏପ୍ରିଲ ଯାଏଁ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । LoCରେ ବାରମୁଲ୍ଲା, କୁପୱାଡା, ପୁଞ୍ଚ ଏବଂ ଅଖନୁର ଭଳି ଅଞ୍ଚଳରେ କରିଥିଲା ଲଗାତର ଗୁଳିମାଡ଼ ।   ସୁରକ୍ଷା ଦୃଷ୍ଟିରୁ ଜମ୍ମୁ ଓ କାଶ୍ମୀରରେ ୪୮ଟି ପର୍ଯ୍ୟଟନ ସ୍ଥଳ ବନ୍ଦ କରାଯାଇଥିଲା। ବୈସାରଣ ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିଲା। 

ତେବେ ୨୮-୩୦ ଅପ୍ରେଲ୍ରେ ଭାରତ ଆହୁରି ହୋଇଥିଲା କଠୋର । ପ୍ରଧାନମନ୍ତ୍ରୀ ସେନାକୁ "ପୁରା ଅପରେସନାଲ୍ ଫ୍ରିଡମ୍" ଦେଇଥିଲେ । ଆକ୍ରମଣ ଜବାବ ଦେବାର ସମୟ, ଲକ୍ଷ୍ୟ ଏବଂ ଉପାୟର ନିଷ୍ପତ୍ତି ନେବାର ଦାୟିତ୍ୱ ସେନା ଉପରେ ଛାଡିଥିଲେ। ଏହାବ୍ୟତୀତ ଭାରତ ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଅନେକ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ୟାନ୍ କରିଥିଲା । ଯେଉଁଥିରେ ପାକିସ୍ତାନୀ କ୍ରିକେଟର ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଅଫିସିଆଲ୍ ଆକାଉଣ୍ଟ ମଧ୍ୟ ସାମିଲ ଥିଲା । 

ଭାରତ ପାକିସ୍ତାନକୁ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FATF)ର ଗ୍ରେ ତାଲିକାକୁ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା। ଆମେରିକା, ୟୁକେ ଏବଂ ଫ୍ରାନ୍ସ ଭଳି ୨୦ରୁ ଅଧିକ FATF ସଦସ୍ୟ ଦେଶ ଭାରତକୁ କରିଥିଲେ ସମର୍ଥନ । ୧ ମଇରେ ଭାରତ ପାକିସ୍ତାନ ବିମାନ ପାଇଁ ନିଜର ଆକାଶପଥ ବନ୍ଦ କରିଥିଲା । ଏହାସହିତ ପାକିସ୍ତାନରୁ ଆସୁଥିବା ସମସ୍ତ ଡାକ ଏବଂ ପାର୍ସଲ ସେବା ତୁରନ୍ତ ରୋକି ଦିଆଗଲା। ୨-୬ ମଇରେ ବିଶ୍ୱସ୍ତରୀୟ ମଧ୍ୟସ୍ଥତା ଏବଂ ଉତ୍ତେଜନା ବଢିଥିଲା । ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତ ଏବଂ ପାକିସ୍ତାନର ନେତାଙ୍କ ସହ କଥା ହୋଇଥିଲେ । ଉଭୟ ପକ୍ଷକୁ ଉତ୍ତେଜନା ହ୍ରାସ କରିବାକୁ ଅପିଲ କରିଥିଲେ।  

ଆଉ ୭ ମଇରେ ଭାରତ ପାକିସ୍ତାନ ଉପରେ କରିଥିଲା ଅପରେସନ୍ ସିନ୍ଦୁର । ଏହି ଅପରେସନ୍ ଅଧୀନରେ ଭାରତ POKର ମୁରିଦକେ, କୋଟଲି, ମୁଜାଫରାବାଦ ଏବଂ ବାହାୱଲପୁର ପରି ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ସଠିକ ସାମରିକ ଆକ୍ରମଣ କରିଥିଲା। ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ପ୍ରତିରକ୍ଷା ବାହିନୀ ଦ୍ୱାରା ଏହି ଆକ୍ରମଣ କରାଯାଇଥିଲା । ଯେଉଁଥିରେ ଲସ୍କର-ଏ-ତୈବା ଏବଂ ଟିଆରଏଫର ଆତଙ୍କବାଦୀ ଶିବିରଗୁଡ଼ିକୁ କରାଯାଇଥିଲା ଟାର୍ଗେଟ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.