୧୮ ଫେବୃଆରୀ ସନ୍ଧ୍ୟାରେ ଦେଖା ଯାଇପରେ ଜହ୍ନ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ପ୍ରଥମ ‘ରୋଜା’

NEWS7
advisory-issued-for-indians-amid-congo-conflict

ନୂଆଦିଲ୍ଲୀ ୧୭।୨: ଇସ୍ଲାମ ଧର୍ମର ପବିତ୍ର ମାସ ରମଜାନ ୨୦୨୬ ଖୁବ୍ ନିକଟରେ। ଏଣୁ ମୁସଲମାନ ସମୂଦାୟରେ ଚାନ୍ଦ ଦେଖିବାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଇସ୍ଲାମ କ୍ୟାଲେଣ୍ଡର ଅନୁସାରେ ରମଜାନର ପ୍ରାରମ୍ଭ ଚାନ୍ଦ (ହିଲାଲ) ଦେଖାଯିବା ଉପରେ ନିର୍ଭର କରେ। ଖଗୋଳିୟ ଅନୁମାନ ଅନୁସାରେ ୧୮ ଫେବୃଆରୀ ୨୦୨୬ ବୁଧବାର ସନ୍ଧ୍ୟାରେ ଜହ୍ନ ଦେଖାଯିବାର ଅଧିକ ସମ୍ଭାବନା ରହିଛି। ଯଦି ବୁଧବାର ଜହ୍ନ ଦେଖାଯାଏ ତେବେ ଇଶା ନମାଜ ପରେ ସେହିଦିନ ରାତିରେ ତରାବିହ ଆରମ୍ଭ ହୋଇଯିବ ଓ ପ୍ରଥମ ରୋଜା ୧୯ ଫେବୃଆରୀ ଗୁରୁବାର ରଖାଯିବ।

ଏଥିରେ ଯଦି ୧୮ ଫେବୃଆରୀ ସନ୍ଧ୍ୟାରେ ଜହ୍ନ ନ ଦେଖାଯାଏ ତେବେ ତରାବିହ ୧୯ ଫେବୃଆରୀ ଗୁରୁବାର ରାତିରେ ଆରମ୍ଭ ହେବ ଓ ପ୍ରଥମ ରୋଜା ୨୦ ଫେବୃଆରୀ ଶୁକ୍ରବାର ରଖାଯିବ। ତେବେ ଏବାବଦେ ଚୂଡ଼ାନ୍ତ ନିଷ୍ପତ୍ତି ଚାନ୍ଦ କମିଟି ଘୋଷଣା ଅନୁସାରେ ହେବ। ଭାରତରେ ରମଜାନର ପ୍ରାରମ୍ଭ ସାଧାରଣତଃ ସ୍ଥାନୀୟ ଋୟତ-ଏ-ହିଲାଲ କମିଟିର ପୁଷ୍ଟି ଅଥବା ସାଉଦୀ ଆରବର ଘୋଷଣା ଆଧାରରେ ନିର୍ଦ୍ଧାରଣ ହୁଏ। ପାଣିପାଗ ବିଜ୍ଞାନ ବିଭାଗ ଓ ଖଗୋଳିୟ ଗଣନା ଅନୁସାରେ ୧୭ ଫେବୃଆରୀରେ ଚାନ୍ଦ ଦେଖା ଯାଇ ନାହିଁ। ତେବେ ଫବୃଆରୀ ୧୮ ତାରିଖରେ ପଶ୍ଚିମ ଓ ଉତ୍ତର ଭାରତରେ ଦେଖାଯିବାର ଅନେକ ସମ୍ଭାବନା ରହିଛି।

ରମଜାନର ସବୁଠୁ ଶୁଭ ରାତ୍ରି ଶବ-ଏ-କଦ୍ର କୁ ମନେ କରାଯାଏ। ଏହା ରମଜାନର ଶେଷ ୧୦ ଦିନରୁ କୌଣସି ଏକ ବିସମ ରାତି (୨୧,୨୩,୨୫,୨୭ ଅଥବା ୨୯) ରେ ପଡିବ। ଏଥିରେ ଇସ୍ଲାମ ପରମ୍ପରା ଅନୁସାରେ ରମଜାନର ୨୭ ଦିନ ରାତି ଅର୍ଥାତ ମାର୍ଚ୍ଚ ୧୫-୧୬ ତାରିଖରେ ପଡିବ ବୋଲି ଅନୁମାନ କରାଯାଉଛି। ଏହି ଦିନ ରାତିରେ ଉପାସନା ଅନେକ ଗୁଣା ବଢିଯାଏ। ଇସ୍ଲାମ ବିଦ୍ୱାନଙ୍କ ଅନୁସାରେ ରମଜାନ ରହମତ, ମଗାଫିରତ ଓ ନଜାତର ମାସ। କୁହାଯାଏ ଏହି ମାସରେ ରହମତର ଦ୍ୱାର ଖୋଲି ଯାଏ। ନର୍କର ଦ୍ୱାର ବନ୍ଦ ହୋଇଯାଏ।

ଏଣୁ ରମଜାନ ଆରମ୍ଭରେ ମସଜିଦମାନଙ୍କରେ ତରାବିହ ପାଇଁ ବିଶେଷ ବ୍ୟବସ୍ଥା କରାଯାଏ ଓ ଲୋକେ ସହରୀ ଏବଂ ଇଫ୍ତାର କାମରେ ଲାଗି ପଡନ୍ତି। ରମଜାନ ପାଇଁ ହାଟ ବଜାର ଏବେ ସଜେଇ ହେଲାଣି। ଲୋକେ ଖଜୁରୀ, ସିମେଇ, ଫଳ ଓ ଇଫ୍ତାର ସମ୍ପର୍କିତ ସାମଗ୍ରୀ କିଣାକିଣି ଆରମ୍ଭ କରିଦେଲେଣି। ସଞ୍ଜ ନଇଁବା ମାତ୍ରେ ଇଫ୍ତାର ଓ ସହରି ଦୋକାନମାନଙ୍କରେ ଭିଡ ଜମିବା ଆରମ୍ଭ ହୋଇଯାଉଛି।