ଖରାପ ମାନର କୋଇଲା କିଣି ଉଚ୍ଚମାନର କହି ଚଢ଼ା ଦରରେ ବିକୁଛି ଆଦାନୀ ଗ୍ରୁପ୍!: ଅଭିଯୋଗକୁ ଖଣ୍ଡନ କଲା କମ୍ପାନୀ

Published By : Prameya-News7 Bureau | May 22, 2024 IST

Finanacial times

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ ଆସିଛି। କମ୍ପାନୀ ଖରାପ ମାନ(ଲୋ ଗ୍ରେଡ୍)ର କୋଇଲାକୁ ଉଚ୍ଚମାନ(ହାଇଗ୍ରେଡ୍)ର କହି ବିକ୍ରି କରୁଛି ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ବ୍ରିଟିଶ ଖବରକାଗଜ ଫାଇନାନ୍ସିଆଲ୍ ଟାଇମ୍ସ ରିପୋର୍ଟ ପ୍ରକାଶ କରିଛି।

ଅନ୍ୟପଟେ ରିପୋର୍ଟକୁ ଖଣ୍ଡନ କରିଛି ଆଦାନୀ ଗ୍ରୁପ୍। ଏହା ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି କମ୍ପାନୀ କହିଛି। ଅଭିଯୋଗ ପରେ ଆଦାନୀ ଗ୍ରୁପ୍‌ର ଶେୟାର ହ୍ରାସ ପାଇଥିଲା। ହେଲେ କମ୍ପାନୀ ସ୍ପଷ୍ଟୀକରଣ ଦେଲା ପରେ ଶେୟାର ପୁଣିଥରେ ରିକଭର ହୋଇଛି। ଆଦାନୀ ଗ୍ରୁପ୍‌ର ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ର ସେୟାର ୦.୬୩% ବୃଦ୍ଧି ସହିତ ୩,୧୩୭ ଟଙ୍କା ବନ୍ଦ ହୋଇଛି। ଦିନର କାରବାରରେ ଏହା ୩,୦୭୩ ଟଙ୍କାକୁ ଖସି ଆସିଥିଲା। ଆଦାନୀ ବନ୍ଦର ୦.୫୩% ହ୍ରାସ ପାଇ ୧,୩୭୮ ଟଙ୍କାରେ ବନ୍ଦ ହୋଇଛି। ହେଲେ କାରବାର ସମୟରେ ଏହା ୧,୩୬୪ ଟଙ୍କା ପର୍ଯ୍ୟନ୍ତ ଖସି ଆସିଥିଲା।

ଫାଇନାନ୍ସିଆଲ୍ ଟାଇମ୍ସର ଅର୍ଗାନାଇଜ୍ଡ କ୍ରାଇମ୍ ଆଣ୍ଡ କରପ୍‌ସ ରିପୋର୍ଟିଂ ପ୍ରୋଜେକ୍ଟ(OCCRP)ର ଏକ ରିପୋର୍ଟକୁ ଦର୍ଶାଇ କହିଥିଲା ଯେ ଜାନୁଆରୀ ୨୦୧୪ ରେ ଆଦାନୀ ଗ୍ରୁପ୍ ଇଣ୍ଡୋନେସିଆର ଏକ କମ୍ପାନୀରୁ ଟନ୍ ପିଛା ୨୮ ଡଲାର ମୂଲ୍ୟରେ 'ଲୋ-ଗ୍ରେଡ୍' କୋଇଲା କିଣିଥିଲା। ଏହାକୁ ତାମିଲନାଡୁ ଜେନେରେସନ୍ ଆଣ୍ଡ ଡିଷ୍ଟ୍ରିବ୍ୟୁସନ କମ୍ପାନୀ (TANGEDCO)କୁ ଟନ୍ ପିଛା ହାରାହାରି ୯୧.୯୧ ଡଲାରରେ ଉଚ୍ଚମାନର କୋଇଲା ଭାବରେ ବିକ୍ରି କରାଯାଇଥିଲା।

ଫାଇନାନ୍ସିଆଲ୍ ଟାଇମ୍ସ ଏହାର ଏକ ରିପୋର୍ଟରେ ଅଭିଯୋଗ କରିଛି ଯେ ଆଦାନୀ ଗ୍ରୁପ୍ ଇଣ୍ଡୋନେସିଆରୁ କମ୍ ମୂଲ୍ୟରେ କୋଇଲା ଆମଦାନୀ କରିଛି। ଏବଂ ବିଲ୍‌ରେ ହେର୍‌ଫେର୍ କରି ଅଧିକ ମୂଲ୍ୟ ଦେଖାଇଛି। ଏହି କାରଣରୁ, ଆଦାନୀ ଗ୍ରୁପ୍ କୋଇଲାରୁ ଉତ୍ପାଦିତ ବିଦ୍ୟୁତ୍ ଗ୍ରାହକଙ୍କୁ ଅଧିକ ମୂଲ୍ୟରେ ବିକ୍ରି କରିଛି ବୋଲି ଫାଇନାନ୍ସିଆଲ୍ ଟାଇମ୍ କହିଛି।  

ଫାଇନାନ୍ସିଆ ଟାଇମ୍ସ ୨୦୧୯ ରୁ ୨୦୨୧ ମଧ୍ୟରେ  ଏହି ୩୨ ମାସରେ ଆଦାନୀ ଗ୍ରୁପ୍ ଇଣ୍ଡୋନେସିଆରୁ ଭାରତକୁ ଆମଦାନୀ କରିଥିବା କୋଇଲାର ୩୦ ଟି କୋଇଲା ଶିପ୍‌ମେଣ୍ଟ ଯାଞ୍ଚ କରିଥିଲା। ଏହି ସମସ୍ତ ଶିପ୍‌ମେଣ୍ଟର ଆମଦାନୀ ରେକର୍ଡଗୁଡିକରେ, ଏକ୍ସପୋର୍ଟ ଡିକ୍ଲାରେସନ ତୁଳନାରେ ମୂଲ୍ୟ ଅଧିକ ବୋଲି ଜଣାପଡିଛି। ଏହି ପରିମାଣ ପ୍ରାୟ ୫୮୨ କୋଟି ବୃଦ୍ଧି କରାଯାଇଥିଲା ବୋଲି ଫାଇନାନ୍ସିଆଲ୍ ଟାଇମ୍ସ ରିପୋର୍ଟ ପ୍ରକାଶ କରିଛି। 
 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.