ରାହୁଲ ଗାନ୍ଧିଙ୍କୁ କିପରି ମିଳିଲା ପୂର୍ବ ଆର୍ମି ଚିଫଙ୍କ ଅପ୍ରକାଶିତ ପୂସ୍ତକ? ଯାହା ଏବେ ସଂସଦକୁ କରୁଛି ହୁଲସ୍ତୁଲ

NEWS7
adani-loss-3rd-position-on-reachest-person-of-world

ନୂଆଦିଲ୍ଲୀ ୯।୨: ପୂର୍ବତନ ସ୍ଥଳ ସେନାମୁଖ୍ୟ ଜେନେରାଲ ଏମ.ଏମ. ନରୱାଣେଙ୍କ ରଚିତ ତାଙ୍କ ଆତ୍ମ ଜୀବନୀ ‘ଫୋର ଷ୍ଟାର୍ସ ଅଫ ଡେଷ୍ଟିନୀ’କୁ ନେଇ ଏବେ ସଂସଦରେ ହଙ୍ଗାମା ହେଉଛି। ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧି ସେହି ପୁସ୍ତକକୁ ତାଙ୍କ ଭାଷଣରେ ଉଲ୍ଲେଖ କରିବାକୁ ଚାହୁଁଛନ୍ତି। ତେବେ ଶାସକ ଦଳ ଓ ବାଚସ୍ପତି ଯେଉଁ ପୁସ୍ତକ ପ୍ରକାଶିତ ହୋଇନି ନିୟମ ମୁତାବକ ତାର ଉଲ୍ଲେଖ ସଂସଦରେ ହୋଇ ପାରିବନି ବୋଲି କହୁଛନ୍ତି। ତେବେ ଅପ୍ରକାଶିତ ପୁସ୍ତ ରାହୁଲଙ୍କ ହାତକୁ ଆସିଲା କିପରି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସଂସଦର ବଜେଟ୍ ଅଧିବେଶନ କାଳରେ ଯେତେବେଳେ ପ୍ରଧାନମନ୍ତ୍ରୀ ବଜେଟ୍ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ‘ଧନ୍ୟବାଦ ପ୍ରସ୍ତାବ’ ପେସ୍ କରିବାର ଥିଲା ସେତେବେଳେ ରାହୁଲ ଗାନ୍ଧି ଜେନେରାଲ ନରୱାଣେଙ୍କ ପୁସ୍ତକ ଉପରେ ଆଧାରିତ ମ୍ୟାଗଜିନରେ ପ୍ରକାଶିତ ଏକ ଲେଖା ଲୋକସଭାରେ ଉଲ୍ଲେଖ କରିଥିଲେ। ଏହା ଉପରେ ଲୋକସଭାରେ ଜୋରଦାର ହଙ୍ଗାମା ହୋଇଥିଲା। ରାହୁଲ ଗାନ୍ଧି ଅତି କଷ୍ଟରେ ୫ ମିନିଟ୍ କହିବା ଭିତରେ ଗୃହମନ୍ତ୍ରୀ ଅମିତ ଶାହ ଓ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଛିଡା ହୋଇ ଏହାକୁ ଆପତ୍ତି କରିଥିଲେ। ସେମାନେ କହିଥିଲେ ଯେଉଁ ପୁସ୍ତକ ପ୍ରକାଶିତ ହୋଇ ନାହିଁ ତାର କଣ୍ଟେଣ୍ଟକୁ ଉଲ୍ଲେଖ କରାଯାଇ ପାରିବନି।

ଏହା ପରେ ରାହୁଲ ଗାନ୍ଧି ୨ଦିନ ମଧ୍ୟରେ ପୁସ୍ତକର ଅସଲି କପି ହଲେ ହଲେଇ ସଂସଦକୁ ପ୍ରବେଶ କରିବା ସହ ଏହାକୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେବେ ବୋଲି କହିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ‘ଇଣ୍ଡିଆ ଟୁଡ଼େ’ ରିପୋର୍ଟ ମୁତାବକ ଏହି ପୁସ୍ତକ ୨୦୨୪ ମସିହାରେ ରିଲିଜ ହେବାର ଥିଲା। ଏଥି ଲାଗି ପ୍ରି ଅର୍ଡର ନିଆଯାଉଥିଲା ଓ ଅନଲାଇନରେ ପ୍ରି ବୁକିଂ ହେଉଥିଲା। ତେବେ ଏହାର ଲୋକାର୍ପଣକୁ ରୋକି ଦିଆଯାଇଥିଲା। ଏହା ପରଠାରୁ ଏ ପର୍ଯ୍ୟନ୍ତ ପୁସ୍ତକ ପ୍ରକାଶିତ ହୋଇ ନାହିଁ। ଏବେ ଏହି ପୁସ୍ତକର ଟାଇପ୍ ସ୍କ୍ରିପ୍ଟ ବା ପାଣ୍ଡୁଲିପି ରକ୍ଷାମନ୍ତ୍ରାଳୟ (ଏମଓଡି)ର ମଞ୍ଜୁରୀ ପାଇଁ ଲମ୍ବିତ ରହିଛି।

ଏବେ ପ୍ରଶ୍ନ ଉଠୁଛି କୌଣସି ପୁସ୍ତକ ପ୍ରକାଶିତ ହେବା ପାଇଁ ରକ୍ଷାମନ୍ତ୍ରାଳୟରେ ଲମ୍ବିତ ଥିବା ବେଳେ ଏହା ପ୍ରକାଶିତ ହେଲା କିପରି ଓ ରାହୁଲ ଗାନ୍ଧିଙ୍କ ହାତକୁ ଏହାର କପି ଆସିଲା କିପରି ? ‘ଦି ଇଣ୍ଡିଆନ ଏକ୍ସପ୍ରେସ୍’ର ଏକ ରିପୋର୍ଟ ଅନୁସାରେ ରକ୍ଷା ମନ୍ତ୍ରାଳୟ ୨୦୨୦ ଓ ୨୦୨୪ରେ ୩୫ଟି ପୁସ୍ତକକୁ ମଞ୍ଜୁରୀ ଦେଇଥିଲା, ଫୋର ଷ୍ଟାର ଅଫ ଡେଷ୍ଟିନୀ ଏକ ଏପରି ପୁସ୍ତକ ଯାହାର ପ୍ରକାଶନ ଲାଗି ମଞ୍ଜୁରୀ ମିଳି ନାହଁ। ତେବେ ଇଣ୍ଡିଆ ଟୁଡେ ରିପୋର୍ଟରେ ଏହା ବି ଆଶଙ୍କା କରାଯାଇଛି ଯେ ହୁଏତ ଏହା ପୂର୍ବରୁ ପ୍ରକାଶିତ ହୋଇ ଯାଇଥାଇପାରେ ଓ ସେଗୁଡିକ ବୁକ୍ ଷ୍ଟୋରକୁ ପହଞ୍ଚି ଯାଇଥାଇପାରେ ଓ ପରେ ଫେରାଇ ନିଆଯାଇଥାଇପାରେ।

ରିପୋର୍ଟରେ ଏହା ବି ପ୍ରଶ୍ନ କରାଯାଇଛି ଯେ ପବ୍ଲିସର ରକ୍ଷା ମନ୍ତ୍ରାଳୟରୁ ମଞ୍ଜୁରୀ ନେଇ ଜେନେରାଲ ନରୱାଣେଙ୍କ ପୁସ୍ତକ ଛାପି ବହି ଦୋକାନକୁ ପଠାଇଥିଲା କି? ନା ରକ୍ଷା ମନ୍ତ୍ରାଳୟ ପକ୍ଷରୁ କୌଣସି ତ୍ରୁଟି ରହି ଯାଇଛି, ଯାହା ପରେ ପବ୍ଲିସରଙ୍କୁ କପି ଫେରସ୍ତ କରିବା ପାଇଁ କୁହାଗଲା? ଉଲ୍ଲେଖଯୋଗ୍ୟ ଯେ ପୂର୍ବ ସେନାମୁଖ୍ୟ ଜେନେରାଲ ନରୱାଣେ ସେନାରେ ତାଙ୍କର ୪ ଦଶନ୍ଧୀର ଅଭିଜ୍ଞତାକୁ ଏହି ପୁସ୍ତକରେ ଲେଖିଛନ୍ତି। ସେ ତାଙ୍କର ସେକେଣ୍ଡ ଲେଫ୍ଟନାଣ୍ଟ ପଦରୁ ଜଣେ ଜେନେରାଲ ପଦ ପର୍ଯ୍ୟନ୍ତ ଯାତ୍ରା ବିଷୟରେ ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି। ’ପେଙ୍ଗୁଇନ ରାଣ୍ଡମ ହାଉସ୍ ଇଣ୍ଡିଆ’ଏହି ପୁସ୍ତକର ପ୍ରକାଶକ ଅଛନ୍ତି।