ଚଣ୍ଡିଖୋଲ ୩୦।୫: ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀଙ୍କ ପରେ ପୁଣି ଜଣେ କଳାକାର ମାଲିକଙ୍କ ନାମରେ ଆଣିଲେ ସଙ୍ଗୀନ ଅଭିଯୋଗ । କଳାକାର ମନୋରମା ଦାସ ତଥା ପୂଜା ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ୨୦୨୪-୨୫ ପାଇଁ ତାଙ୍କୁ ଯାତ୍ରା ଅଶୋକ ସମ୍ରାଟରେ କାମ କରିବା ପାଇଁ କୁହାଯାଇଥିଲା । ସେଥିପାଇଁ ୪ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା । ହେଲେ ସେ ଆଖଡ଼ାଶାଳରେ ଅଭିନୟ କରିବା ପାଇଁ ଆସିଥିବା ବେଳେ ଯାତ୍ରା ମ୍ୟାନେଜର ଓ ଯାତ୍ରା ମାଲିକ ତାଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି । କାମ କରିବାକୁ ହେଲେ କମ୍ପ୍ରମାଇଜ କରିବାକୁ ପଡ଼ିବ ବୋଲି କହିଥିଲେ । ଏମିତିକି ବନ୍ଧୁକ ମଧ୍ୟ ଦେଖାଇ ଧମକ ଦେଇଥିଲେ । ୨ ଲକ୍ଷ ଟଙ୍କା ଫେରାଇ ନେଇଛନ୍ତି ଆଉ ୨ ଲକ୍ଷ ଟଙ୍କା ନେବା ପାଇଁ ଧମକ ଦେଇଛନ୍ତି ।
ଅନ୍ୟପଟେ ପୂଜାଙ୍କ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ । ସେ କହିଛନ୍ତି, ଯାତ୍ରା ଆଖଡ଼ାଶାଳରେ ଅଭିନୟ ପାଇଁ ଗତ ବର୍ଷ ଆସିଥିଲେ । ତାଙ୍କ ହାତ ଭାଙ୍ଗିଥିବାରୁ ସେ କାମ କରିପାରିଲେ ନାହିଁ । ଟଙ୍କା ଫେରାଇବାକୁ କହିଥିଲେ । ହେଲେ ଆଜି ଯାଏଁ ଟଙ୍କା ଫେରାଉ ନାହାନ୍ତି । ସେ ଓକିଲଙ୍କ ମାଧ୍ୟମରେ ନୋଟିସ୍ ଦେଇଛନ୍ତି । ଟଙ୍କା ଫେରାଇବାକୁ କହିବାରୁ ଏମିତି କଳାକାର ମାନେ ମିଛ ଅଭିଯୋଗ ଆଣିଛନ୍ତି ବୋଲି ଯାତ୍ରା ମାଲିକ ଅନନ୍ତ ଧଳ କହିଛନ୍ତି । ତେବେ ଏ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି ।
କିଛି ଦିନ ପୂର୍ବେ ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଟାର୍ଗେଟ୍ କରିଥିଲେ ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ସୁରକ୍ଷା ମାଗିଥିଲେ । ସେ କହିଥିଲେ, 'ମୋର ସୁରକ୍ଷା ଦରକାର । ମୋତେ ମାରିଦେବାକୁ ଧମକ ଦିଆଯାଇଛି । ଯଦି ମୋର କିଛି ହୋଇଯାଏ, ତାହା ହେଲେ ନାଣ୍ଡୁ ଧଳ ଦାୟୀ ରହିବେ ।'
ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ କହିଥିଲେ, 'ଅଭିଯୋଗ କରିବାର ୩ଦିନ ବିତିଗଲାଣି, ତଥାପି ସେ ଖୋଲାଖୋଲି ବୁଲୁଛନ୍ତି । ପୋଲିସ କରୁଛି କ’ଣ ? ତୁଳସୀ ଗଣନାଟ୍ୟ ମାଲିକ ଟଙ୍କା ଦେଇ ପୋଲିସକୁ ଚୁପ୍ କରାଉଛନ୍ତି । ମୋର ସୁରକ୍ଷା ଦରକାର । ସେ ମୋତେ ମାରିଦେବାକୁ ଧମକ ଦେଇଛନ୍ତି । ଯଦି ମୋର କିଛି ହୋଇଯାଏ, ତାହା ହେଲେ ନାଣ୍ଡୁ ଧଳ ଦାୟୀ ରହିବେ ।'
ସେ ଆହୁରି କହିଥିଲେ, 'ପୋଲିସ ଯଦି କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରେ, ତେବେ ଆଗକୁ ଆହୁରି ତୁଳସୀ, ଅଶୋକ ସମ୍ରାଟ ଏବଂ ପୃଥ୍ୱୀରାଜ ଗଣନାଟ୍ୟରେ ଅନେକ ମାମୁନି ସାମ୍ନାକୁ ଆସିବେ ।' ମୁଁ ପ୍ରମାଣ ଦେଖାଇଲି, ଆଗକୁ ଆହୁରି ପ୍ରମାଣ ଦେବି, ନାଣ୍ଡୁ ଧଳଙ୍କ ପାଖରେ କ'ଣ ପ୍ରମାଣ ଅଛି ଦେଖାନ୍ତୁ ବୋଲି ମାମୁନି ଚ୍ୟାଲେଞ୍ଜ ଦେଇଥିଲେ । ଏହାସହ ସେ କହିଥିଲେ, ଭୁବନେଶ୍ୱର ମହିଳା ଥାନାରେ କରିଥିବା ଅଭିଯୋଗ ବାଲିଆପାଳ ଟ୍ରାନ୍ସଫର ହୋଇଛି । ପୋଲିସ ମୋତେ ନ୍ୟାୟ ଦେବ ବୋଲି ଆଶା ରଖିଛି ।
You Can Read:
ହଷ୍ଟେଲ ବାଥରୁମ୍ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଜଣାପଡ଼ିନି ମୃତ୍ୟୁର କାରଣ