କନ୍ଧମାଳ ୩୦।୫: ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରିତୀଶ କୁମାର ରାଉତରାୟ ୨୦୨୩ ମସିହାରେ ଏକ ଏସିଡ୍ ଫିଙ୍ଗା ଘଟଣାରେ ଫୁଲବାଣୀ ପଟାବାଲି ସାହିର ଅଭିଯୁକ୍ତ ପ୍ରମୋଦ କୁମାର ସାହୁଙ୍କୁ ୧୨ ବର୍ଷ କାରାଦଣ୍ଡ । ଏହା ସହିତ ୫୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ଦଣ୍ଡାଦେଶ ଦେଇଛନ୍ତି l ଅଭିଯୁକ୍ତ ଜଣଙ୍କ ଫୁଲବାଣୀ ସାହିର ସୁରଜ କୁମାର ମହାନ୍ତି ଏବଂ ତାଙ୍କ ବାପା କୃଷ୍ଣ ଚନ୍ଦ୍ର ମହାନ୍ତିଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲା।
ସୂଚନାଯୋଗ୍ୟ ଯେ, ୨୮/୧୨/୨୦୨୩ ତାରିଖ ଦିନ ୧ଟା ୩୦ ସମୟରେ ଫୁଲବାଣୀ ସାହିର ସୁରଜ କୁମାର ମହାନ୍ତି, ଫୁଲବାଣୀ ଶଶୀ ପାନ ଦୋକାନ ଛକ ଠାରେ ଠିଆ ହୋଇଥିବା ବେଳେ ଅଭିଯୁକ୍ତ ପ୍ରମୋଦ ତାଙ୍କ ଉପରକୁ ଏସିଡ ଫିଙ୍ଗିଥିଲା । ଏ ଖବର ପାଇ ସୁରଜଙ୍କ ବାପା କୃଷ୍ଣଚନ୍ଦ୍ର ମହାନ୍ତି ଘଟଣାସ୍ଥଳରେ ପହଞ୍ଚିଥିଲେ ଆସାମୀ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗିଥିଲା । ଏସିଡ ମାଡ଼ରେ ବାପା ଓ ପୁଅ ଗୁରୁତର ହେବାରୁ କିଛି ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଫୁଲବାଣୀ ହସ୍ପିଟାଲକୁ ନେଇଥିଲେ । ଆସାମୀକୁ ସେଠାରେ ଥିବା ଲୋକ କାବୁ କରି ପୋଲିସର ଜିମା ଦେଇଥିଲେ । ଘଟଣାକୁ ନେଇ ଟାଉନ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ୧୭ ଜଣ ସାକ୍ଷୀ ଓ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ଅଦାଲତ ପ୍ରମୋଦକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସରକାରୀ ଆଇନଜୀବୀ ଶିବ ପ୍ରସାଦ ତ୍ରିପାଠୀ କେଶ୍ ପରିଚାଳନା କରିଥିଲେ ।
You Can Read: