ଭୁବନେଶ୍ୱର ୩୦।୦୭ : ରାଜ୍ୟରେ ଏକାକୀ ରହୁଛନ୍ତି ୪୨.୪ ପ୍ରତିଶତ ମହିଳା । ଦିନକୁ ଦିନ ଏହି ସଂଖ୍ୟା ବଢ଼ୁଛି । ଏହାସହ ଅନେକ ମହିଳା ସରକାରଙ୍କ ବିଭିନ୍ନ ଯୋଜନା ଓ ଅଧିକାରରୁ ବଞ୍ଚିତ ଅଛନ୍ତି । ଶିଶୁ ବିକାଶ ଓ ସମାଜ ଉନ୍ନୟନ କେନ୍ଦ୍ର ପକ୍ଷରୁ ଭୁବନେଶ୍ୱରର ୭ ବସ୍ତିରେ କରାଯାଇଥିବା ଏକ ଗବେଷଣାମୂଳକ ଅଧ୍ୟୟନ ରିପୋର୍ଟରେ ଏହା ଦର୍ଶାଯାଇଛି ।
ତେବେ ଏକାକୀ ମହିଳାମାନଙ୍କ ସାମାଜିକ ତଥା ଆର୍ଥିକ ସ୍ଥିତିର ପରୀକ୍ଷା କରିବା ପାଇଁ କେନ୍ଦ୍ରର ମହିଳା ସେଲ୍ ପ୍ରକଳ୍ପ ନିର୍ଦ୍ଦେଶିକା ରାଜଦର୍ଶନୀ ପାତ୍ରଙ୍କ ତତ୍ତ୍ୱାବଧାନରେ ଏହି ଅଧ୍ୟୟନ କରାଯାଇଥିଲା । ସୋମବାର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ “ଏକାକୀ ମହିଳାଙ୍କ ସମସ୍ୟା ଓ ଆହ୍ୱାନ’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଏହି ରିପୋର୍ଟ ଉନ୍ମୋଚିତ ହୋଇଥିଲା । ଶିଶୁ ବିକାଶ ଓ ସମାଜ ଉନ୍ନୟନ କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ସଭାପତି ସୁଧାନିଧି ରାଉତ ଅଧ୍ୟକ୍ଷତା କରିଥିଲେ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ବିବେକାନନ୍ଦ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରୁଷ କୈନ୍ଦ୍ରିକ ସମାଜରେ ମହିଳାଙ୍କୁ ଆତ୍ମନିର୍ଭର କରିବାକୁ ହେଲେ ସଚେତନତା ଏକାନ୍ତ ଆବଶ୍ୟକ ବୋଲି ମତ ଦେଇଥିଲେ ।
ସେହିପରି ମୁଖ୍ୟବକ୍ତା ବିଜେପି ଶିକ୍ଷା ପ୍ରକୋଷ୍ଠ ଆବାହକ ଲକ୍ଷ୍ମୀକାନ୍ତ ମିଶ୍ର କହିଲେ, ନାରୀ କେବେ ପୁରୁଷ ସହ ସମାନ ହୋଇପାରିବ ନାହିଁ । ନାରୀ ସର୍ବଦା ପୁରୁଷଙ୍କଠାରୁ ଅଧିକ । ସେମାନଙ୍କ ବିନା ସମାଜ ବା ସଂସାର ସୃଷ୍ଟି ଅସମ୍ଭବ । ଆମ ସଂସ୍କୃତିକୁ ଅଣଦେଖା ସମାଜରେ ଏକାକୀ ରହୁଥିବା ମହିଳାଙ୍କ ସଂଖ୍ୟା ବୃଦ୍ଧିର ଏକ ବଡ଼ କାରଣ । ଏହି ସମସ୍ୟାର ସମାଧାନ ପାଇଁ ଆମ ମାନସିକତାରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ ମତଦେଇଥିଲେ । ଦ୍ୱିତୀୟ ଅଧିବେଶନରେ ପରିବାର ଅଦାଲତ କାଉନସିଲ ଅଧ୍ୟକ୍ଷା ଝରଣା ସ୍ୱାଇଁ, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରି ଲିମିଟେଡ୍ ସହାୟକ ଉପାଧ୍ୟକ୍ଷା ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଅନୁଷ୍ଠାନର ଯୋଜନା ନିର୍ଦ୍ଦେଶିକା ଜ୍ୟୋତ୍ସ୍ନା ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଆଗାମୀ ପ୍ରୟାସ ସମ୍ପର୍କରେ କହିଥିଲେ । ସୁନନ୍ଦା ଚୌଧୁରୀ ଧନ୍ୟବାଦ ଦେଇଥିଲେ । ଏହି ଆଲାଚନାଚକ୍ରରେ ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ସାମାଜିକ ସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ ।