ମୁମ୍ବାଇ: ଇଂଲଣ୍ଡ ବିରୋଧରେ ଓପନର ଅଭିଷେକ ଶର୍ମାଙ୍କ ରେକର୍ଡକାରୀ ବିସ୍ଫୋରକ ଇନିଂସ। ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ୱିତୀୟ ଦ୍ରୁତ ଶତକ ହାସଲ କଲେ ଅଭିଷେକ। ମାତ୍ର ୩୭ ବଲ୍ରେ ଦ୍ୱିତୀୟ ଦ୍ରୁତ ଶତକ ହାସଲ କରି ରେକର୍ଡ କରିଛନ୍ତି ଅଭିଷେକ ଶର୍ମା।
ରବିବାର ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଭାରତ-ଇଂଲଣ୍ଡ ଟି-୨୦ ସିରିଜର୍ ପଞ୍ଚମ ତଥା ଶେଷ ମ୍ୟାଚ୍ ଖେଳା ଯାଉଛି। ଏଥର ଇଂଲଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ନିମନ୍ତ୍ରଣ ଦେଇଛି। ଭାରତ ପକ୍ଷରୁ ଓପନିଂ ଆସିଥିବା ଅଭେଷକ ଶର୍ମା ୱାଙ୍ଖଡ଼ରେ ଦେଖାଇଛନ୍ତି ସୁପର ଶୋ’।
ତେବେ ଭାରତ ପକ୍ଷରୁ ଟି-୨୦ ଅନ୍ତର୍ଜାତୀୟରେ ସବୁଠାରୁ ଦ୍ରୁତ ଶତକ ହାସଲ କରିବାର ରେକର୍ଡ ପୂର୍ବତନ ଟି-୨୦ କ୍ୟାପ୍ଟେନ୍ ରୋହିତ ଶର୍ମାଙ୍କ ନାଁରେ ରହିଛି। ବିଶ୍ୱକପ୍ରେ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇଥିବା ରୋହିତ ଶର୍ମା ୨୦୧୭ରେ ଶ୍ରୀଲଙ୍କା ବିରୋଧରେ ମାତ୍ର ୩୫ ବଲ୍ରେ ଶତକ ହାସଲ କରିଥିଲେ। ରୋହିତଙ୍କ ପରେ ଏବେ ଅଭିଷେକ ମାତ୍ର ୩୭ ବଲ୍ରେ ଶତକ ମାରିଛନ୍ତି।
ଅଭିଷେକ ଶର୍ମା ଆଜି ଯେଉଁଭଳି ଭାବେ ବ୍ୟାଟିଂ କରୁଥିଲେ, ଲାଗୁଥିଲେ ସେ ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗି ଦେଇଥାନ୍ତି। ହେଲେ ଇଂଲଣ୍ଡର ୧୦ମ ଓଭରରେ ଆଦିଲ ରଶିଦ କିଛି ଡଟ୍ ବଲ୍ ଫିଙ୍ଗିବାରୁ ରୋହିତଙ୍କ ରେକର୍ଡ ଭାଙ୍ଗୁ ଭାଙ୍ଗୁ ରକ୍ଷା ପାଇ ଯାଇଥିଲା।
ଏହା ପୂର୍ବରୁ ଅଭିଷେକ ଶର୍ମା ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ବି ହାସଲ କରି ସାରିଛନ୍ତି। ସେ ମାତ୍ର ୧୭ ବଲ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସବୁଠାରୁ ଦ୍ରୁତ ଅର୍ଦ୍ଧ ଶତକ ହାସଲ କରିବା ରେକର୍ଡ ଯୁବରାଜ ସିଂହ ନାଁରେ ରହିଛି। ଯୁବରାଜ ୨୦୦୭ ଟି-୨୦ ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୧୨ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ।
ତେବେ ଘରୋଇ ମୈଇଦାନରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ(୧୭ ବଲ୍ରେ ୫୦) ଅଭିଷେକଙ୍କ ନାଁରେ ରହିଛି। ଅଭିଷେକଙ୍କ ପରେ ସୂର୍ଯ୍ୟାକୁମାର ଯାଦବ ମାତ୍ର ୧୮ ବଲ୍ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୦୨୨ରେ ଗୋହ୍ୱାଟିର ବାରାସପରା ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଏହି ସ୍କୋର କରିଥିଲେ।
ତେବେ ଟି-୨୦ରେ ଦ୍ରୁତତମ ଶତକର ହାସଲ କରିବାର ରେକର୍ଡ ଏଷ୍ଟୋନିଆର ବ୍ୟାଟର ସାହିଲ ଚୌହାନଙ୍କ ନାଁରେ ରହିଛି। ସେ ସାଇପ୍ରସ ବିପକ୍ଷରେ ମ୍ୟାଚ୍ ଖେଳି ମାତ୍ର ୨୭ ବଲ୍ରେ ଶତକ ହାସଲ କରିଥିଲେ। ଜୁନ୍ ୨୦୨୪ରେ ହାପି ଭ୍ୟାଲି ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳା ଯାଇଥିଲା।
ଟି-୨୦ ଅନ୍ତର୍ଜାତୀୟରେ ଭାରତ ପାଇଁ ଦ୍ରୁତତମ ଶତକ ହସାଲକାରୀ ବ୍ୟାଟରମାନେ ହେଲେ-
ରୋହିତ ଶର୍ମା – ଶ୍ରୀଲଙ୍କା ବିପକ୍ଷରେ ୩୫ ବଲ୍, ଡିସେମ୍ବର ୨୦୧୭
ଅଭିଷେକ ଶର୍ମା – ଇଂଲଣ୍ଡ ବିପକ୍ଷରେ ୩୭ ବଲ୍, ଫେବୃଆରୀ ୨୦୨୫
ସଞ୍ଜୁ ସାମସନ – ବାଂଲାଦେଶ ବିପକ୍ଷରେ ୪୦ ବଲ୍, ଅକ୍ଟୋବର ୨୦୨୪
ତିଲକ ବର୍ମା – ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୧ ବଲ୍, ନଭେମ୍ବର ୨୦୨୪
ସୂର୍ଯ୍ୟକୁମାର ଯାଦବ – ଶ୍ରୀଲଙ୍କା ବିପକ୍ଷରେ ୪୫ ବଲ୍, ଜାନୁଆରୀ ୨୦୨୩