ନୂଆଦିଲ୍ଲୀ ୨୧।୮: ଆମ ଆଦମୀ ପାର୍ଟି (ଆପ) ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳଙ୍କ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ସମର୍ଥନ କରିବ ବୋଲି ଗୁରୁବାର ଘୋଷଣା କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଆପ ନେତା ସଞ୍ଜୟ ସିଂହ ଏହି ଘୋଷଣା କରିଛନ୍ତି। ତେବେ ଏହା ପୂର୍ବରୁ ଆପ ସଂଯୋଜକ ଅରବିନ୍ଦ କେଜରୀୱାଲ ମଙ୍ଗଳବାର ଏ ନେଇ ସବୁଜ ସଂକେତ ଦେଇଥିଲେ। ତେବେ ସଞ୍ଜୟ ସିଂହଙ୍କ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଯାଇଛି।
ସଞ୍ଜୟ ସିଂହ କହିଛନ୍ତି ଯେ ଏହା ଆରଏସଏସ ଓ ସମ୍ବିଧାନ ମଧ୍ୟରେ ଲଢେଇ। ବିଜେପି ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ପ୍ରାର୍ଥୀ କରିଛି ଓ ବିରୋଧୀଦଳ ଯାହାଙ୍କୁ ପ୍ରାର୍ଥୀ କରିଛନ୍ତି ସେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏବଂ ସେ ଆନ୍ଧ୍ରପ୍ରଦେଶର। ଏବେ ଟିଡିପି ଓ ଆନ୍ଧ୍ରପ୍ରଦେଶର ଅନ୍ୟ ରାଜନୈତିକ ଦଳ ଜଷ୍ଟିସ୍ ରେଡ୍ଡୀଙ୍କୁ ସମର୍ଥନ କରିବେ କି ନା ତାହା ନିଷ୍ପତ୍ତି ନେବେ। ଏହି ଘୋଷଣା ଅବସରରେ ସଞ୍ଜୟ ସିଂହ କହିଛନ୍ତି ଯେ ନିଜକୁ ବିଶ୍ୱର ସବୁଠୁ ବଡ଼ ପାର୍ଟି ବୋଲି ଦାବି କରୁଥିବା, ରାଷ୍ଟ୍ରବାଦର ଢୋଲ ପିଟୁଥିବା ଓ ଦେଶ ଭକ୍ତି ପ୍ରସଙ୍ଗରେ ଅନ୍ୟ ଦଳ ଓ ନେତାଙ୍କୁ ଅପମାନିତ କରୁଥିବା ବିଜେପିର ଏକ ଏପରି ଦୁର୍ନୀତି ସାମ୍ନାକୁ ଆସିଛି ଯାହା ପୁରା ଦେଶକୁ ସ୍ତବ୍ଦ କରିଦେଇଛି।
ସେ କହିଛନ୍ତି ଯେ ଏହି ଦୁର୍ନୀତି ଦିଲ୍ଲୀର ରେଖା ଗୁପ୍ତାଙ୍କ ନେତୃତ୍ୱାଧୀନ ବିଜେପି ସରକାର କରିଛନ୍ତି। ସଞ୍ଜୟ ସିଂହ କହିଛନ୍ତି ଜାତୀୟ ପତାକା ଦୁର୍ନୀତି କରି ବିଜେପି ଦେଶର ଲକ୍ଷଲକ୍ଷ ଶହିଦଙ୍କୁ ଅପମାନିତ କରିଛି। ଏହି ଦୁର୍ନୀତିର ଗହନ ତଦନ୍ତ ହେବା ଦରକାର। ସେ କହିଛନ୍ତି ଯେ ‘ହର ଘର ତିରଙ୍ଗା’ ଅଭିଯାନରେ ଦିଲ୍ଲୀ ବିଜେପି ସରକାର ୪ କୋଟି ଟଙ୍କା ବ୍ୟୟରେ ୭ଲକ୍ଷ ଜାତୀୟ ପତାକା ବାଣ୍ଟିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏଥିରେ ଟେଣ୍ଡରରେ ଧାର୍ଯ୍ୟ ଆକାର ତୁଳନାରେ ଛୋଟ ଜାତୀୟ ପତାକା ବଣ୍ଟା ଯାଇଛି।
ସିଂହ କହିଛନ୍ତି ଯେ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଜାତୀୟ ପତାକା ବଣ୍ଟାଯିବାର ଥିଲା। ତେବେ ଟେଣ୍ଡର ୧୬ ଅଗଷ୍ଟରେ ଖୋଲା ଯାଇଥିଲା। ଟେଣ୍ଡର ଖୋଲିବା ପୂର୍ବରୁ କମ୍ପାନୀ ବିଜେପି ସରକାରଙ୍କୁ ୬୦ ଟଙ୍କାର ପତାକା ଜାଗାରେ ୧୫ ଟଙ୍କା ମୂଲ୍ୟର ପତାକା ଯୋଗାଣ କରିଥିଲା। ଏଣୁ ଏହି ଜାତୀୟ ପତାକା ଦୁର୍ନୀତିର ଗହନ ଯାଞ୍ଚ ହେବା ଦରକାର ଓ ଏଥି ପାଇଁ ଦାୟି ଲୋକଙ୍କୁ ଗିରଫ କରି ଜେଲକୁ ପଠାଯିବା ଦରକାର ବୋଲି କହିଛନ୍ତି। ସେହିପରି ବରିଷ୍ଠ ନେତା ମନିଷ ସିସୋଦିଆ ମଧ୍ୟ ଜାତୀୟ ପତାକା ଦୁର୍ନୀତିକୁ ନେଇ ବିଜେପି ଉପରେ ବର୍ଷିଛନ୍ତି। କହିଛନ୍ତି ପ୍ରଥମେ ତିରଙ୍ଗାକୁ ନେଇ ରାଜନୀତି, ପରେ ଏହାକୁ ନେଇ ବେପାର ଓ ଏବେ ଦୁର୍ନୀତି କରିଛନ୍ତି। ଏପରି ଦୁର୍ନୀତିଗ୍ରସ୍ତଙ୍କ ଉପରେ ଦେଶଦ୍ରୋହ ମକଦ୍ଦମା ଚଳାଯିବା ଦରକାର।