ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ବିରୋଧୀ ଅଭିଯୋଗ କରୁଥିଲା ଯେ ବିଜେପି ଏହାକୁ ଭୋଟ୍ ବ୍ୟାଙ୍କ ଭାବରେ ବ୍ୟବହାର କରୁଛି। ହେଲେ, ଆଶ୍ଚର୍ଯ୍ୟର କଥା ହେଲା ଉପନିର୍ବାଚନରେ ଏହାର ପ୍ରଭାବ ପଡ଼ିଲା ନାହିଁ। ସେହିପରି ଦିଲ୍ଲୀରେ ହାରିବା ପରେ ଆମ ଆଦ୍ମୀ ପାର୍ଟିର ରାଜନୈତିକ ଭବିଷ୍ୟତ ନେଇ ପ୍ରଶ୍ନ ଉଠୁଥିଲା। ହେଲେ ପଞ୍ଜାବର ଲୁଧିଆନା ୱେଷ୍ଟରୁ ଦଳ ପାଇଁ ଆଶାର ଅଙ୍କୁରୋଦ୍ଗମ ହୋଇଛି।
କେବଳ ସେତିକି ନୁହେଁ ପଦ୍ମ ପୋଖରୀରେ ବି ଝାଡ଼ୁ ବୁଲାଇଛି ଆପ୍। ଅର୍ଥାତ୍ ଗୁଜରାଟର ବିସାବଦାର ଉପନିର୍ବାଚନରେ ଆପ୍ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିପରି କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳର ନିଳାମ୍ବୁର ଆସନ ହାତେଇଛି। ସେହିପରି ପଶ୍ଚିମବଙ୍ଗ କାଳିଗଞ୍ଜରେ ଟିଏମ୍ସି ତାର ଗଡ଼ ସୁରକ୍ଷିତ ରଖିଛି। ବିଜେପି ଏହି ସମସ୍ତ ୫ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଦଳ କେବଳ ଗୁଜରାଟର କଡି ଆସନକୁ ହାତେଇବାର ସଫଳ ହୋଇଛି।
ଲୁଧିଆନା ୱେଷ୍ଟ ଉପନିର୍ବାଚନ ଜିତିବାକୁ ଆପ ନିଜର ସମସ୍ତ ଶକ୍ତି ପ୍ରଦର୍ଶନ କରିଥିଲା। ଏଠାରେ ଦଳର ଶୀର୍ଷ ନେତା - ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ ଆତିଶୀ ପ୍ରାର୍ଥୀ ସଞ୍ଜୀବ ଅରୋରାଙ୍କ ପାଇଁ ବ୍ୟାପକ ପ୍ରଚାର କରିଥିଲେ। ପ୍ରକୃତରେ, କେଜରିୱାଲ ବ୍ୟକ୍ତିଗତ ଭାବରେ ପ୍ରଚାର ତଦାରଖ କରିଥିଲେ, କାରଣ ପଞ୍ଜାବ ନିର୍ବାଚନ ଦୁଇ ବର୍ଷରୁ କମ୍ ସମୟ ବାକି ଅଛି।। ତେଣୁ ଦଳ ଏବେଠୁ ଅଣ୍ଟା ଭିଡ଼ିବ ବୋଲି ଭାବିଛି। ସେହିପରି କେରଳର ନିଲାମ୍ବୁର ଉପନିର୍ବାଚନ କଂଗ୍ରେସ ପାଇଁ ଏକ ସମ୍ମାନ ଲଢ଼େଇ ଥିଲା। କାରଣ ଏହା ପ୍ରିୟଙ୍କା ଗାନ୍ଧୀଙ୍କ ଲୋକସଭା ଆସନ ୱାୟାନାଡର ଅଂଶ ଥିଲା। ଆଉ କଂଗ୍ରେସ ସମ୍ମାନ ରଖିବାରେ ସଫଳ ହୋଇଛି।
ତେବେ ଏହି ଉପନିର୍ବାଚନ ବିଜେପି ଏବଂ ବିରୋଧୀ ଇଣ୍ଡିଆ ବ୍ଲକ୍ ପାଇଁ ଏକ ରାଜନୈତିକ ଶକ୍ତି ପରୀକ୍ଷା ଥିଲା। ବିଶେଷକରି ପଶ୍ଚିମବଙ୍ଗ ଏବଂ କେରଳରେ, ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଯାଉଥିବାର ଏହା ସତର୍କ ଘଣ୍ଟି ସଦୃଶ। ସେହିପରି ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ପରେ ନିଷ୍ପ୍ରଭ ହୋଇପଡ଼ିଥିବା ଆପର ଉତ୍ସାହଜନକ ପ୍ରଦର୍ଶନ ମଧ୍ୟ ଦଳକୁ ପ୍ରୋତ୍ସାହିତ କରିବ।
ବିଧାନସଭା ଉପନିର୍ବାଚନ ଫଳାଫଳ ଓ ପ୍ରାର୍ଥୀଙ୍କ ବିଷୟରେ
ଆର୍ଯ୍ୟଦନ ଶୌକତ
କେରଳ- ୱାୟନଡ଼ ଲୋକସଭା ଆସନ ଭିତରେ ଆସୁଥିବା ନିଳାମ୍ବୁର ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ଆର୍ଯ୍ୟଦନ ଶୌକତଙ୍କୁ ପ୍ରାର୍ଥୀ କରିଥିଲା। ସେ ଶାସକ ସିପିଆଇଏମ୍ ପ୍ରାର୍ଥୀ ଏମ ସ୍ୱରାଜଙ୍କୁ ୧୧ ହଜାର ଆସନରେ ହରାଇ ନିର୍ବାଚନ ଜିତିଛନ୍ତି। ଶୌକତଙ୍କୁ ୭୭,୭୩୭ ଭୋଟ ମିଳିଥିବା ବେଳେ ଏମ୍ ସ୍ୱରାଜଙ୍କୁ ୬୬,୬୬୦ ଭୋଟ ମିଳିଥିଲା। ସୂଚନା ଥାଉକି ସୌକତଙ୍କ ପିତା ଆର୍ଯ୍ୟଦାନ ମହମ୍ମଦ ୮ ଥର ଏହି ଆସନରୁ ଜିତିଥିଲେ। ସୂଚନା ଥାଉକି, ବିଜୟନଙ୍କ ସହ ମତଭେଦ ପରେ ବାମପନ୍ଥୀ ସ୍ୱାଧୀନ ବିଧାୟକ ପିଭି ଅନୱର ନୀଳାମ୍ବୁର ଆସନରୁ ଇସ୍ତଫା ଦେବା ପରେ ଏହି ଆସନଟି ଖାଲି ପଡ଼ିଥିଲା। ୨୦୨୧ ମସିହାରେ ମାତ୍ର ୨୭୦୦ ଭୋଟ ବ୍ୟବଧାନରେ ଏହି ଆସନ ଜିତିଥିବା ଅନୱର ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ସେହିପରି ବିଜେପି ନୀଳାମ୍ବୁର ଆସନ ପାଇଁ ଆଡଭୋକେଟ୍ ମୋହନ ଜର୍ଜଙ୍କୁ ପ୍ରାର୍ଥୀ କରିଥିଲା।
ସଞ୍ଜୀବ ଆରୋରା
ପଞ୍ଜାବ- ଆପ ଲୁଧିଆନା ପଶ୍ଚିମ ଆସନ ବଜାୟ ରଖିଛି, ପୂର୍ବତନ ରାଜ୍ୟସଭା ସାଂସଦ ଏବଂ ଶିଳ୍ପପତି ସଞ୍ଜୀବ ଆରୋରା ଏହିଠାରୁ ୧୦,୦୦୦ ରୁ ବି ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଏହି ଆସନରେ ଆପ୍ ପଛକୁ କଂଗ୍ରେସର ଭାରତ ଭୂଷଣ ଆଶୁ ଦ୍ୱତୀୟ ସ୍ଥାନରେ ଥିବା ବେଳେ ତୃତୀୟରେ ଥିଲେ ବିଜେପିର ଜୀବନ ଗୁପ୍ତା। ଜାନୁଆରୀ ମାସରେ ଆପ ବିଧାୟକ ଗୁରପ୍ରୀତ ବସ୍ସି ଗୋଗୀଙ୍କ ଆତ୍ମହତ୍ୟା ପରେ ଏହି ଆସନ ଖାଲି ପଡ଼ିଥିଲା। ସୂଚନା ଥାଉକି ୧୯୭୭ ମସିହାରେ ଏହି ଆସନରେ ଭୋଟ ହେବା ପର ଠାରୁ କଂଗ୍ରେସ ଏଠାରୁ ୬ ଥର ଜିତିଛି। ସେହିପରି ପଞ୍ଜାବର ଆଞ୍ଚଳିକ ଦଳ ଶିରୋମଣି ଅକାଳୀ ଦଳ (ବାଦଲ) ୨ ଜିତିଛି। ହେଲେ ବିଜେପି କେବେବି ଏହି ଆସନ ଜିତିପାରି ନାହିଁ।
ଗୋପାଳ ଇଟାଲିଆ
ଗୁଜରାଟ-
ବିସାବାଦାର- ବିଜେପି ଗଡ଼ ଗୁଜରାଟରେ ଆପ୍ର ବିଜୟ ଶଙ୍ଖ ନାଦ ହୋଇଛି। ଆପର ପୂର୍ବତନ ରାଜ୍ୟ ସଭାପତି ଗୋପାଳ ଇଟାଲିଆ ବିସାବାଦରର ଆସନରେ ପୂର୍ବତନ ବିଜେପି ଜିଲ୍ଲା ସଭାପତି କିରିଟ ପଟେଲଙ୍କୁ ପରାସ୍ତ କରିଛନ୍ତି। ଇଟାଲିଆ ୭୫,୯୪୨ ଭୋଟ ପାଇଥିବା କିରିଟିଙ୍କୁ ୧୭,୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ହରାଇଛନ୍ତି। ୨୦୦୭ ମସିହାରୁ ବିଜେପି ଏହି ଆସନରେ ବିଜୟୀ ହୋଇପାରୁ ନାହିଁ। ତତ୍କାଳୀନ ଆପ ବିଧାୟକ ଭୂପେନ୍ଦ୍ର ଭୟାନୀ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ପରେ ୨୦୨୩ ମସିହାରୁ ଏହି ଆସନଟି ଖାଲି ପଡ଼ିଥିଲା।
ବିଜେପିର ରାଜେନ୍ଦ୍ର ଚାଭଦା
କଡ଼ି- କଡିରେ, ବିଜେପିର ରାଜେନ୍ଦ୍ର ଚାଭଦା ୩୯,୦୦୦ ରୁ ଅଧିକ ଭୋଟ ବ୍ୟବଧାନରେ ଜିତି ଦଳ ପାଇଁ ଆସନ ସୁରକ୍ଷିତ ରଖିପାରିଛନ୍ତି। ବିଜେପି ବିଧାୟକ କରସନ ସୋଲାଙ୍କିଙ୍କ ମୃତ୍ୟୁ ପରେ ଫେବୃଆରୀ ମାସରୁ ଏହି ଆସନଟି ଖାଲି ପଡ଼ିଥିଲା। ମେହସାଣା ଜିଲ୍ଲା ଅଧୀନରେ ଆସୁଥିବା ଏହି ଆସନଟି ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି।ଏହି ଆସନରେ ହୋଇଥିବା ତ୍ରିକୋଣୀୟ ପ୍ରତିଯୋଗିତାରେ କଂଗ୍ରେସ ଏବଂ ଆପ ଯଥାକ୍ରମେ ରମେଶ ଚାଭଦା ଏବଂ ଜଗଦୀଶ ଚାଭଦାଙ୍କୁ ପ୍ରାର୍ଥୀ କରିଥିଲେ। ସୂଚନା ଥାଉକି ୨୦୧୨ରେ ଏହି ଆସନରୁ ରମେଶ ଚାଭଦା ବିଜୟୀ ହୋଇଥିଲେ।ଆଲିଫା ଅହମ୍ମଦ
ପଶ୍ଚିମବଙ୍ଗ- ନଦିଆ ଜିଲ୍ଲା ଅଧୀନରେ ଥିବା କାଲିଗଞ୍ଜ ନିର୍ବାଚନମଣ୍ଡଳୀରେ, ଶାସକ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଆଲିଫା ଅହମ୍ମଦ ୪୯,୦୦୦ ରୁ ଅଧିକ ଭୋଟ ବ୍ୟବଧାନରେ ବିପୁଳ ବିଜୟ ହାସଲ କରିଛନ୍ତି। ଫେବୃଆରୀରେ ଆଲିଫାଙ୍କ ପିତା ଏବଂ ତୃଣମୂଳ କଂଗ୍ରେସ ବିଧାୟକ ନାସିରୁଦ୍ଦିନ ଅହମ୍ମଦଙ୍କ ମୃତ୍ୟୁ ଯୋଗୁ ଏହି ଆସନ ଖାଲି ପଡ଼ିଥିଲା। ବିଜେପି ଏହି ଆସନ ପାଇଁ ଆଶିଷ ଘୋଷଙ୍କୁ ପ୍ରାର୍ଥୀ କରିଥିଲା। କାଲିଗଞ୍ଜରେ ପ୍ରାୟ ୫୪ ପ୍ରତିଶତ ମୁସଲିମ ଭୋଟର ଅଛନ୍ତି।