LIVE TV

ଗମ୍ଭୀର ଯୁଗରେ ନିଜ ଘରେ ଟିମ୍ ଇଣ୍ଡିଆର ଦୟନୀୟ ସ୍ଥିତି, ଟେଷ୍ଟରେ ଏମିତି ଦଶା କେବେ ଭୋଗି ନ ଥିଲା...

NEWS7
aap-to-go-solo-in-delhi-assembly-elections-no-alliance-with-congress

ନୂଆଦିଲ୍ଲୀ: ୨୦୨୪ରେ ନ୍ୟୁଜିଲାଣ୍ଡ। ଆଉ ୨୦୨୫ରେ ଭାରତକୁ ଭାରତ ମାଟିରେ ହ୍ଵାଇଟ୍ ଓ୍ଵାଶ କରିଛି ଦକ୍ଷିଣ ଆଫ୍ରିକା। ଗୌହାଟୀ ଟେଷ୍ଟକୁ ଭ୍ରମଣକାରୀ ଦଳ ୪୦୮ ରନରେ ଜିତି ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି। ରନ ଦୃଷ୍ଟିରୁ ଏହା ଭାରତର ସବୁଠୁ ବଡ଼ ପରାଜୟ। ଦୀର୍ଘ ୨୫ ବର୍ଷ ପରେ ଭାରତରେ ଟେଷ୍ଟ ସିରିଜ୍ ଜିତିବାରେ ସଫଳ ହୋଇଛି ଦକ୍ଷିଣ ଆଫ୍ରିକା। ଏହା ପୂର୍ବରୁ ଗତ ବର୍ଷ ତିନି ମ୍ୟାଚର ଟେଷ୍ଟ ସିରିଜରେ ଭାରତକୁ ୩-୦ରେ ହରାଇ ଇତିହାସ ରଚିଥିଲା ନ୍ୟୁଜିଲାଣ୍ଡ। ଏହିପରି ଘରୋଇ ମାଟିରେ ଗତ ୭ଟି ଟେଷ୍ଟରୁ ୫ଟିରେ ହାରିଛି ଭାରତ। ନିଜର ଟେଷ୍ଟ କ୍ରିକେଟ୍ ଇତିହାସରେ ଭାରତୀୟ ଦଳ ଘରୋଇ ମାଟିରେ ଏମିତି ଦଶା କେବେ ଭୋଗି ନ ଥିଲା। ଆଉ ଏମିତି ଦୁର୍ଦ୍ଦିନ ସ୍ଥିତି ଦେଖିବାକୁ ମିଳିଛି ଗୌତମ ଗମ୍ଭୀରଙ୍କ କୋଚିଂରେ।

ଏମିତିରେ ଗୌତମ ଗମ୍ଭୀର କୋଚ୍ ହେବା ପରେ ଟିମ୍ ଇଣ୍ଡିଆର ଟେଷ୍ଟ ରେକର୍ଡ ଚିନ୍ତାଜନକ ରହିଛି। ପ୍ରଥମେ ନ୍ୟୁଜିଲାଣ୍ଡ ଆସି ଆମକୁ ଘରେ ହ୍ଵାଇଟ୍ ଓ୍ଵାଶ କରି କି ଚାଲିଗଲା। ଏବେ ଦକ୍ଷିଣ ଆଫ୍ରିକା ୨୫ ବର୍ଷ ପରେ ଆମକୁ ହରାଇ ଟେଷ୍ଟ ସିରିଜ୍ ଜିତିଲା। ଏହି ପରାଜୟ ପରେ ଗମ୍ଭୀରଙ୍କ କୋଚିଂ ଶୈଳୀକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଯେବେଠୁ ସେ ହେଡ୍ କୋଚ୍ ହୋଇଛନ୍ତି, ସେବେଠୁ ଭାରତର ଟେଷ୍ଟ ପ୍ରଦର୍ଶନ ଖରାପ ହୋଇ ଚାଲିଛି। ମୋଟାମୋଟି ଭାବେ ଟେଷ୍ଟ କ୍ରିକେଟରେ ଭାରତ କେବେ ବି ଏମିତି ଦଶା ଦେଖି ନ ଥିଲା।

ଗମ୍ଭୀରଙ୍କ କୋଚିଂ କାଳରେ ଭାରତର ଟେଷ୍ଟ ପ୍ରଦର୍ଶନ

ପ୍ରଥମ ଥର ଭାରତ ଘରୋଇ ମାଟିରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ କ୍ଲିନ ସୁଇପର ଶିକାର ହୋଇଥିଲା। ୨୦୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତକୁ ଏହି ଦିନ ଦେଖିବାକୁ ପଡ଼ିଥିଲା। ପୁଣି ୨୦୧୫ ପରେ ଭାରତ ପ୍ରଥମ ଥର ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ହରାଇଲା। ଏହା ପରେ ଟିମ୍ ଇଣ୍ଡିଆ ନିଜ ଘରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ହାରିଛି।

କାହଣୀ ଏତିକିରେ ସୀମିତ ନୁହେଁ, ଭାରତର ଗମ୍ଭୀର ଯୁଗରେ ଗମ୍ଭୀର ତଥ୍ୟ ସାମ୍ନାକୁ ଆସିଛି।

ଭାରତ ଲଗାତାର ଦ୍ଵିତୀୟ ବର୍ଷ ନିଜ ଘରେ ଟେଷ୍ଟ ସିରିଜ୍ ହାରିଛି। ୨୫ ବର୍ଷରେ ଟିମ୍ ଇଣ୍ଡିଆ ପ୍ରଥମ ଥର ଦୁଇଟି ସିଜିନ୍ ମିଶାଇ ଘରୋଇ ମାଟିରେ ୫ଟି ଟେଷ୍ଟ ହାରିଛି। ୬୬ ବର୍ଷରେ ପ୍ରଥମ ଥର ଭାରତ ୭ ମାସ ଭିତରେ ୫ଟି ଟେଷ୍ଟ ହାରିଛି। ରନ ମାମଲାରେ ଭାରତର ଏହା ହେଉଛି ସବୁଠୁ ବଡ଼ ପରାଜୟ।

ତଥାପି ଗମ୍ଭୀରଙ୍କ ମୁହଁଟାଣ ଯାଉନି

ସେପଟେ ପ୍ରେସମିଟରେ ଗମ୍ଭୀର କହିଛନ୍ତି, ମୋର ଭବିଷ୍ୟତ ଏବେ ବିସିସିଆଇ ହାତରେ। କିନ୍ତୁ ଏହା ଭୁଲିବା ଉଚିତ୍ ନୁହେଁ ଯେ, ମୁଁ ଦଳକୁ ବହୁ ଗୁରୁତ୍ଵପୂର୍ଣ୍ଣ ବିଜୟ ଦେଇଛି। ମୋ ଅମଳରେ ଭାରତ ଚାମ୍ପିଅନ୍ସ ଟ୍ରଫି ଓ ଏସିଆ କପ୍ ଜିତିଛି। ଦଳର ଲଜ୍ଜାଜନକ ପରାଜୟ ପରେ ବି ଗମ୍ଭୀରଙ୍କ ମୁହଁଟାଣ ଯାଇନି। ଅନେକ ପୂର୍ବତନ କ୍ରିକେଟରଙ୍କଠୁ ନେଇ କ୍ରିକେଟ୍ ସମୀକ୍ଷକ ଗମ୍ଭୀରଙ୍କ କାର୍ଯ୍ୟଶୈଳୀ ପ୍ରତି ଆଙ୍ଗୁଳି ଉଠାଇଛନ୍ତି।

ଅନେକ ପୂର୍ବତନ କ୍ରିକେଟ୍ ଓ ସମୀକ୍ଷକ ଗମ୍ଭୀରଙ୍କ ଯୁଗକୁ ଗ୍ରେଗ ଚାପେଲଙ୍କ ସମୟ ସହ ତୁଳନା କରୁଛନ୍ତି। ଚାପେଲ ମଧ୍ୟ ଟିମରେ ପରିବର୍ତ୍ତନ କରିଥିଲେ। ମାତ୍ର ତାଙ୍କ ଭୁଲର ସମସ୍ତ ଆରୋପ ଅଧିନାୟକ ଓ ବରିଷ୍ଠ ଖେଳାଳିଙ୍କ ଉପରେ ଯାଇଥିଲା। କିନ୍ତୁ ଏବେ ଗମ୍ଭୀରଙ୍କ ଉପରେ ସିଧାସଳଖ ଆଙ୍ଗୁଠି ଉଠିଛି। କାରଣ ଭାରତୀୟ ଦଳକୁ ସେ ଏମିତି ସ୍ତରକୁ ନେଇ ଯାଇଛନ୍ତି, ଯେଉଁଠି ଦଳ କ୍ରିକେଟର ପାରମ୍ପରିକ ଖେଳଠୁ ବିପରୀତ ଶୈଳୀରେ ଖେଳୁଛି।

ମୋଟାମୋଟି ଗମ୍ଭୀରଙ୍କ କୋଚିଂ କାଳରେ ଭାରତ କେବଳ ଦୁଇଟି ଟେଷ୍ଟ ସିରିଜ୍ ଜିତିଛି। ସେ ପୁଣି ଲୋ ରାଙ୍କର ଦଳ ବାଂଲାଦେଶ ଓ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ। ଏହି ପରାଜୟ ଟିମ୍ ଇଣ୍ଡିଆର ପ୍ରସ୍ତୁତି ଓ ଆଭିମୁଖ୍ୟକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଗମ୍ଭୀରଙ୍କ କୋଚିଂରେ ଭାରତ ବର୍ତ୍ତମାନ ନିଜର ସବୁଠୁ ମୁସ୍କିଲ ସ୍ଥିତି ଦେଇ ଗତି କରୁଛି। ପ୍ରଥମ ଥର ଭାରତକୁ ନିଜ ମାଟିରେ ସଂଘର୍ଷ କରିବାକୁ ପଡ଼ୁଛି।

କଣ ଆକ୍ସନ ନେବ ବିସିସିଆଇ ? 

୨୦୨୪ ଜୁଲାଇରେ ଗମ୍ଭୀରଙ୍କୁ ରାହୁଲ ଦ୍ରାବିଡ଼ଙ୍କ ସ୍ଥାନରେ ହେଡ୍ କୋଚ୍ କରାଯାଇଥିଲା। ତାଙ୍କର କାର୍ଯ୍ୟକାଳ ୨୦୨୭ ବିଶ୍ଵକପ୍ ପର୍ଯ୍ୟନ୍ତ ରହିଛି। ମାତ୍ର ଗମ୍ଭୀରଙ୍କ କୋଚିଂରେ ଟେଷ୍ଟ ଫର୍ମାଟରେ ଦଳର ପ୍ରଦର୍ଶନ ଯେମିତି ରହିଛି, ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁଠୁ ବଡ଼ ପ୍ରଶ୍ନ କଣ ବିସିସିଆଇ କୌଣସି ଆକ୍ସନ ନେବ। ନା ଗମ୍ଭୀରଙ୍କୁ ଆଉ ଏକ ସୁଯୋଗ ଦେବ। କାରଣ କିଛି ସିରିଜରେ ଖରାପ ପ୍ରଦର୍ଶନ କାରଣରୁ ରୋହିତ ଶର୍ମା, ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ଵିନଙ୍କ ପରି ଖେଳାଳିଙ୍କ ଟେଷ୍ଟ କ୍ୟାରିୟର ସମାପ୍ତ ହୋଇ ଯାଇଥିଲା।