ଦିଲ୍ଲୀ ମେୟର ନିର୍ବାଚନ: ‘ଆପ’ ର ଅଭିଯୋଗ ପରମ୍ପରା ଭାଙ୍ଗିବାକୁ ଚାହୁଁଛନ୍ତି LG

Published By : Prameya-News7 Bureau | April 25, 2024 IST

ନୂଆଦିଲ୍ଲୀ ୨୫।୪:   ଦିଲ୍ଲୀରେ ୨୬ ଏପ୍ରିଲ ଶୁକ୍ରବାର ହେବାକୁ ଥିବା ମେୟର ଓ ଡେପୁଟି ମେୟର ନିର୍ବାଚନକୁ ନେଇ ଆମ ଆଦମୀ ପାର୍ଟି (ଆପ)  ମନ୍ତ୍ରୀ ସୌରଭ ଭରଦ୍ୱାଜ ଗୁରୁତର ଅଭିଯୋଗ ଆଣିଛନ୍ତି।  ସେ କହିଛନ୍ତି ଯେ ଦିଲ୍ଲୀରେ କାଲି ମେୟର ନିର୍ବାଚନ ହେବ, ହେଲେ ଏପର୍ଯ୍ୟନ୍ତ ପୀଠାସୀନ ଅଧିକାରୀଙ୍କ ନାମ ଥିବା ଫାଇଲ ନିର୍ବାଚିତ ସରକାରଙ୍କୁ ମିଳି ନାହିଁ। ଭରଦ୍ୱାଜ କହିଛନ୍ତି ଯେ ଏଲଜି ଏବେ କେରଳ ଗସ୍ତରେ ଅଛନ୍ତି। ଧାର୍ଯ୍ୟ ପ୍ରକ୍ରିୟା ଅନୁସାରେ ଆଉଟଗୋଇଙ୍ଗ ମେୟର ପୀଠାସୀନ ଅଧିକାରୀ ହୋଇଥାନ୍ତି। ଏହି ପରମ୍ପରା ଚଳି ଆସୁଛି। ତେବେ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ଏହି ପରମ୍ପରା ଭଙ୍ଗ କରୁଛନ୍ତି। 

ଏହି ନିର୍ବାଚନ ନେଇ ଯେଉଁ ଫାଇଲ ମୋ ପାଖକୁ ଆସିବାର ଥିଲା ଓ ମୋଠୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସେଠାରୁ ଏଲଜିଙ୍କ ପାଖକୁ ଯିବାର  କଥା। ହେଲେ ତାହା ସିଧା ଏଲଜିଙ୍କ ପାଖକୁ ଯାଇଛି। ଏଣୁ କାଲି ମେୟର ନିର୍ବାଚନ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନଥିବା ସୌରଭ ଭରଦ୍ୱାଜ କହିଛନ୍ତି। ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ପୀଠାସୀନ ଅଧିକାରୀ ନିଯୁକ୍ତ ହୋଇ ନାହାନ୍ତି। ମେୟର ଓ ଉପ ମେୟର ନିର୍ବାଚନ ପୀଠାସୀନ କାର୍ଯ୍ୟାଳୟ ନିଯୁକ୍ତି ବିନା ହୋଇ ପାରିବ ନାହିଁ। 

ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ କମିଶନ ବୁଧବାର ଅପରାହ୍ନରେ ଦିଲ୍ଲୀ ନଗରନିଗମ ମେୟର ଓ ଉପମେୟର ନିର୍ବାଚନ ନିମନ୍ତେ ଏନଓସି ଜାରି କରିଥିଲେ। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଦିଲ୍ଲୀରେ ମେୟର ଓ ଉପମେୟର ନିର୍ବାଚନ ହେବ। ନିୟମ ଅନୁସାରେ ଦିଲ୍ଲୀରେ ଲୋକସଭା ନିର୍ବାଚନ ନିମନ୍ତେ ଆଚରଣ ସଂହିତା ଲାଗୁ ହୋଇଥିବାରୁ ଏମସିଡିର ମେୟର ଓ ଡେପୁଟି ମେୟର ନିର୍ବାଚନ ନିମନ୍ତେ ନିର୍ବାଚନ କମିଶନଙ୍କ ଏନଓସିର ଆବଶ୍ୟକତା ପଡିଥାଏ। 

ମେୟର ନିର୍ବାଚନ ପ୍ରଣାଳୀ ଅନୁସାରେ ନିର୍ବାଚନ ତାରିଖ ଧାର୍ଯ୍ୟ ହେବାମାତ୍ରେ ନିଗମ ସଚିବଙ୍କ କାର୍ଯ୍ୟାଳୟ ପୀଠାସୀନ ଅଧିକାରୀ ନିଯୁକ୍ତି  ନିମନ୍ତେ ଫାଇଲ ଆଗକୁ ବଢାନ୍ତି। ଯାହା ନିଗମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଦେଇ ଦିଲ୍ଲୀ ସହର ବିକାଶ ବିଭାଗ ଓ ଶେଷରେ ଏଲଜିଙ୍କ ପାଖକୁ ଯାଏ। ଦିଲ୍ଲୀ ନଗରନିଗମ ଅଧିନିୟମ ୭୭ ଅନୁସାରେ ମେୟର ଓ ଡେପୁଟି ମେୟର ନିର୍ବାଚନର ଦାୟିତ୍ୱ ପୀଠାସୀନ ଅଧିକାରୀଙ୍କ ହୋଇଥାଏ। ପୂର୍ବ ମେୟର ପରବର୍ତ୍ତି ମେୟର ନିର୍ବାଚନରେ ପ୍ରାର୍ଥୀ ହୋଇ ନଥାନ୍ତି। ଏଣୁ ନିଗମ ପରମ୍ପରା ପୂର୍ବ ମେୟରଙ୍କୁ ପୀଠାସୀନ ଅଧିକାରୀ ନିଯୁକ୍ତ କରାଯାଏ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.