ନୂଆଦିଲ୍ଲୀ: ଆପ୍ ନେତା ଅନୋଖ ମିତ୍ତଲଙ୍କ ପତ୍ନୀଙ୍କୁ ଗଳା କାଟି ହତ୍ୟା କରାଯାଇଛି। ଲୁଟ୍ କରିବା ଉଦ୍ଦେଶ୍ୟରେ ଆସି ଲୁଟେରାମାନେ ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଅନୋଖଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଶନିବାର ବିଳମ୍ବିତ ରାତିରେ ଲୁଧିଆନାର ଡେହଲୋନ୍ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଅନୋଖ ମିତ୍ତଲ ଏବଂ ତାଙ୍କ ପତ୍ନୀ ମାନଭି ବା ଲିପ୍ସି ମିତ୍ତଲଙ୍କୁ କିଛି ଡକାୟତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଦମ୍ପତ୍ତି କାର୍ରେ ଆସୁଥିବା ବେଳେ ଡକାୟତମାନେ ତାଙ୍କୁ ଅଟକାଇ ଆକ୍ରମଣ କରିଥିବା ପୁଲିସ ସୂଚନା ଦେଇଛି। ଡେହଲନ୍ ପୋଲିସ ଷ୍ଟେସନର ଷ୍ଟେସନ ହାଉସ୍ ଅଫିସର ଇନ୍ସପେକ୍ଟର ସୁଖଜିନ୍ଦର ସିଂହଙ୍କ ସୂଚନା ଅନୁସାରେ, ପ୍ରାୟ ପାଞ୍ଚ ଜଣ ସଶସ୍ତ୍ର ଡକାୟତ ସିଦ୍ଧୱାନ୍ କେନାଲ ବ୍ରିଜ୍ ନିକଟରେ ଦମ୍ପତିଙ୍କ ଗାଡ଼ିକୁ ଅଟକାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଲିପ୍ସିଙ୍କ ମୁହଁ ଏବଂ ବେକରେ ଗମ୍ଭୀର ଛୁରୀ ଆଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି।
ଆକ୍ରମଣ ପରେ ଦୁର୍ବୃତ୍ତମାନେ ଅନୋଖ ମିତ୍ତଲଙ୍କ ପତ୍ନୀଙ୍କର ସମସ୍ତ ଗହଣା ଓ କାର୍ ଧରି ଫେରାର ହୋଇଯାଇଛନ୍ତି। ଇନସପେକ୍ଟର କହିଛନ୍ତି ଯେ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି। ମିତ୍ତଲ ପ୍ରାୟ ତିନି ମାସ ପୂର୍ବେ ଆପରେ ଯୋଗ ଦେଇଥିଲେ ଏବଂ ବିଧାୟକ ଅଶୋକ ପରାଶର ପପି ତାଙ୍କୁ ଦଳରେ ସାମିଲ କରିଥିଲେ। ମାମଲାରେ ତଦନ୍ତ ଜାରି ରହିଛି।