କେଜରିୱାଲ ୧୨୬ ଓ ସିସୋଦିଆ ୫୦୩ ଦିନ ଥିଲେ ଜେଲରେ, କପିଲ ଶିବଲ ପଚାରିଲେ ଏଥି ପାଇଁ କିଏ ହେବେ ଦାୟୀ?

NEWS7
aaliyah-kashyap-calls-anant-wedding-circus

ନୂଆଦିଲ୍ଲୀ ୨୮।୨: ରାଜ୍ୟସଭା ସାଂସଦ କପିଲ ଶିବଲ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଅଭିଯୋଗ ମୁକ୍ତ ହୋଇଥିବା ଅରବିନ୍ଦ କେଜରିୱାଲ ଓ ମନିଷ ସିସୋଦିଆଙ୍କ ମାମଲାରେ ସିବିଆଇକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ସିବିଆଇକୁ ଜଣାଥିଲା ଅଭିଯୋଗ ପ୍ରମାଣିତ କରିବାକୁ ତା ପାଖରେ କୌଣସି ମଜଭୁତ ପ୍ରମାଣ ନାହିଁ, ଏହା ସତ୍ତ୍ୱେ ଜାଣି ଶୁଣି ତଦନ୍ତକୁ ଦୀର୍ଘ କରିଥିଲା। ଶିବଲ ଆରୋପ ଲଗାଇଛନ୍ତି ଯେ ଏଜେନ୍ସୀ ଯାହାକୁ ଇଛା ତାକୁ ଟାର୍ଗେଟ କରୁଛି। କେବଳ ବିଜେପିକୁ ଲାଭ ଦେବାକୁ ଯାଞ୍ଚକୁ ଏକ ରାଜନୈତିକ ଚାଲ ରୂପେ ଚଳାଯାଉଛି। ଶିବଲ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ବିରୋଧରେ ଜାରି ମାମଲା କୁ ଏହାର ଏକ ଉଦାହରଣ ବୋଲି କହିଛନ୍ତି।

ଶିବଲ କହିଛନ୍ତି ଯେ ସିବିଆଇ ତଦନ୍ତ ବିନା କୌଣସି ଆବଶ୍ୟକତାରେ ଦୀର୍ଘ ହୋଇ ଚାଲିଛି। ସେ ଜଣକ ପରେ ଜଣେ ଏପରି ଲୋକଙ୍କୁ ଅଭିଯୁକ୍ତ କରିଦେଉଛନ୍ତି ଯାହାକୁ ସେମାନେ ଚାହୁଁଛନ୍ତି। ଯାଞ୍ଚ ଜାରି ରହୁଛି ଓ ଲୋକେ ବର୍ଷ ବର୍ଷ ଧରି ଜେଲରେ ରହୁଛନ୍ତି ଓ ଶେଷରେ ମାମଲାର ଏହି ଭଳି ନିଷ୍କର୍ସ ସବୁ ଆସୁଛି। ଚିଦାମ୍ବରମଙ୍କ ମାମଲାରେ କଣ ହେଲା ? କିଛି ନାହିଁ। କେଜରିୱାଲ ଓ ଅନ୍ୟ ଆମଆଦମୀ ନେତା ଜେଲରେ ବିତାଇଥିବା ସମୟର ଉଲ୍ଲେଖ କରି ଶିବଲ ଏହି ପରିସ୍ଥିତି ପାଇଁ ଉତ୍ତରଦାୟୀ କିଏ ହେବ ସେ ନେଇ ପ୍ରଶ୍ନ କରିଛନ୍ତି।

ଶିବଲ କହିଛନ୍ତି କୋର୍ଟ ଫେବୃଆରୀ ୨୭ ତାରିଖ ଦିନ ଅରବିନ୍ଦ କେଜରିୱାଲ , ମନିଷ ସିସୋଦିଆ, କେ.କବିତା ଓ ଅନ୍ୟମାନଙ୍କୁ ଦୋଷମୁକ୍ତ କରିଛନ୍ତି। ଏବେ ମୁଁ ସରକାରଙ୍କୁ ପଚାରିବାକୁ ଚାହୁଁଛି କେଜରିୱାଲ ୧୨୬ ଦିନ ଓ ମନିଷ ସିସୋଦିଆ ୫୦୩ ଦିନ ଜେଲରେ କଟାଇଛନ୍ତି। ଏଥି ପାଇଁ ଏବେ କାହାକୁ ଦାୟି କରାଯିବ? କିଏ ଜବାବ ଦେବ? କପିଲ ଶିବଲ କହିଛନ୍ତି ଯେ ଏହା ୧୦୦ କୋଟି ଟଙ୍କାର ଦୁର୍ନୀତି ଥିଲା, ହେଲେ ଟଙ୍କାଟିଏ ବି କେଉଁଠୁ ଜବତ କରି ନାହାନ୍ତି। ସବୁଠୁ ବଡ଼ କଥା ଯାହା ତାହା ହେଉଛି ସିବିଆଇ ଆର୍ଥିକ ନେଣଦେଣ ପ୍ରମାଣିତ ମଧ୍ୟ କରିପାରି ନାହିଁ।

ଏଣୁ ଶିବଲ ସିବିଆଇର କାର୍ଯ୍ୟକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ବୋଲି କହିଛନ୍ତି। ଶିବଲ ଦାବି କରିଛନ୍ତି ଯେ ପରବର୍ତ୍ତି ନିର୍ବାଚନମାନଙ୍କରେ ବିଜେପିର ବିଜୟ ସୁନିଶ୍ଚିତ କରିବା ପାଇଁ ଏହା କରାଯାଉଛି। କାରଣ ସେମାନଙ୍କ ପାଖରେ କୌଣସି ମଜଭୁତ ପ୍ରମାଣ ନାହିଁ, ସେମାନଙ୍କ ବିଚାର ରାଜନୈତିକ ଓ ସେମାନେ କେବଳ ଏତିକି ଜାଣନ୍ତି ସରକାର ଭାଙ୍ଗିବା କୁ ହେବ ଓ ବିଜେପିକୁ ଜିତାଇବାକୁ ହେବ।

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନାଙ୍କ ଅଭିଯୋଗ ପରେ ସିବିଆଇ ୨୦୨୨ ମସିହାରେ ଏଫଆଇଆର ରୁଜୁ କରିଥିଲା। ତଦନ୍ତ କାରୀ ଏଜେନ୍ସୀ ଅନୁସାରେ ଦିଲ୍ଲୀ ଉତ୍ପାଦଶୁଳ୍କ ନୀତି ନିର୍ମାଣ ପର୍ଯ୍ୟାୟରେ ଅପରାଧିକ ଷଡ଼ଯନ୍ତ୍ର ରଚା ଯାଇଥିଲା ଓ ଟେଣ୍ଡର ପ୍ରକ୍ରିୟା ପରେ ବଛାବଛା ସଂସ୍ଥାଙ୍କୁ ଲାଭ ଦେବା ପାଇଁ ନୀତିରେ ବାଟ କରାଯାଇଥିଲା। ତେବେ ସିବିଆଇ ଏହି ମାମଲାର ଯାଞ୍ଚ ପାଇଁ ଆପଣେଇଥିବା ପଦ୍ଧତୀକୁ ସମାଲୋଚନା କରି କହିଛନ୍ତି ଯେ ଏଜେନ୍ସୀର ସିଦ୍ଧାନ୍ତ ମାନ୍ୟ ସକ୍ଷଙ୍କ ବଦଳେ ଅନୁମାନ ଉପରେ ଆଧାରିତ। କୋର୍ଟ କିଛି ସିବିଆଇ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୁପାରିଶ ମଧ୍ୟ କରିଛନ୍ତି। ଏଥି ମଧ୍ୟରେ ସିବିଆଇ ନିମ୍ନ କୋର୍ଟର ଆଦେଶକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ଅଭିଯୁକ୍ତମାନଙ୍କ ମୁକ୍ତି ରଦ୍ଦ କରିବାକୁ ଦାବି କରିଛି।

Also Read..
୧୦୦୦ ପୃଷ୍ଠାର ଚାର୍ଜସିଟ୍, ୩୦୦ ସାକ୍ଷୀ, ୪ ବର୍ଷ ପରେ କେମିତି ନିର୍ଦ୍ଦୋଷରେ ମୁକ୍ତ ହେଲେ କେଜରିୱାଲ ଓ ସିସୋଦିଆ?