ୟୁରୋପୀୟ ୟୁନିୟନର ବଡ଼ ଆକ୍ସନ, ଅଲକାଏଦା-ହମାସ ଲିଷ୍ଟରେ ଇରାନ୍ ସେନା ସାମିଲ

NEWS7
a-meeting-is-being-held-to-celebrate-the-g-20-presidency-in-soa

ନୂଆଦିଲ୍ଲୀ: ୟୁରୋପୀୟ ସଂଘ (EU) ଇରାନ ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ (IRGC)କୁ ଏକ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଛି। ଇୟୁ ବୈଦେଶିକ ନୀତି ମୁଖ୍ୟ କାଜା କାଲାସ ଗୁରୁବାର ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆଇଆରଜିସି ଗତ କିଛି ସପ୍ତାହ ମଧ୍ୟରେ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ନିଷ୍ଠୁର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଫଳରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଛି । ଏହା EU ବୈଦେଶିକ ମନ୍ତ୍ରୀମାନଙ୍କୁ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି ।

ବ୍ରସେଲ୍ସରେ ବୈଦେଶିକ ମନ୍ତ୍ରୀମାନଙ୍କ ଏକ ବୈଠକକୁ ଯିବା ସମୟରେ କାଲାସ କହିଥିଲେ, ‘ଏବେ IRGC ଅଲ-କାଏଦା, ହମାସ ତାଲିକାରେ ରହିବ । ଯଦି ଆପଣ ଜଣେ ଆତଙ୍କବାଦୀ ପରି ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ଜଣେ ଆତଙ୍କବାଦୀ ପରି ବ୍ୟବହାର କରାଯିବା ଉଚିତ।’ ଇୟୁ ମଧ୍ୟ ୧୫ ଜଣ ଇରାନୀ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି । ଯେଉଁଥିରେ ଗୃହମନ୍ତ୍ରୀ ମୋମେନି, ପବ୍ଲିକ ପ୍ରସିକ୍ୟୁଟର ଜେନେରାଲ ମହମ୍ମଦ ମୋଭାହେଦି ଆଜାଦ ଏବଂ ବିଚାରପତି ଇମାନ ଅଫଶାରୀ ମଧ୍ୟ ସାମିଲ ।

କାଲାସ କହିଛନ୍ତି ଯେ, ଇରାନର ରାସ୍ତାକୁ ଓହ୍ଲାଇଥିବା ପ୍ରଦର୍ଶନକାରୀଙ୍କ ଉପରେ ନିର୍ମମ ଦମନ କରାଯାଇଥିବା ରିପୋର୍ଟର ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ପ୍ରତିବାଦରେ ପ୍ରାୟ ୬୦୦୦ ଲୋକଙ୍କ ମୃତ୍ୟୁ ହୋଇଛି। IRGCକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ୨୭ ଇୟୁ ସଦସ୍ୟ ରାଷ୍ଟ୍ର ସମର୍ଥନ କରିଛନ୍ତି।

IRGCକୁ ଆତଙ୍କବାଦୀ ସଂଗଠନ ଭାବରେ ତାଲିକାଭୁକ୍ତ କରିବା ମଧ୍ୟ ୟୁରୋପୀୟ ଦେଶଗୁଡ଼ିକର ମନୋଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ସୂଚିତ କରୁଛି। ଫ୍ରାନ୍ସ ଏବଂ ଇଟାଲୀ ଭଳି ଦେଶ , ଯେଉଁମାନେ ପୂର୍ବରୁ ଏହି ପଦକ୍ଷେପକୁ ବିରୋଧ କରିଥିଲେ, ସେହି ଦେଶ ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି। ଇଟାଲୀ ଏବଂ ସ୍ପେନ୍ IRGC ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସମର୍ଥନ ଜଣାଇଛନ୍ତି।