ୟୁକ୍ରେନ ଉପରେ ରୁଷ୍‌ର ସବୁଠୁ ବଡ଼ ଏୟାର ଷ୍ଟ୍ରାଇକ୍ , ୩୬୭ଟି ଡ୍ରୋନ୍ ଓ ମିସାଇଲରେ ହମଲା ... ଭୟଙ୍କର ଧ୍ୱଂସଲୀଳା

Published By : Prameya-News7 Bureau | May 25, 2025 IST

ନୂଆଦିଲ୍ଲୀ - କଏଦୀମାନଙ୍କୁ ମୁକ୍ତ କରିବା ମଧ୍ୟରେ ୟୁକ୍ରେନ୍‌ ଉପରେ ରୁଷ୍ କରିଛି ବଡ଼ ଏୟାର ଷ୍ଟ୍ରାଇକ୍‌ । ଯାହାକୁ ଏବେସୁଦ୍ଧା ହୋଇଥିବା ହମଲା ଠାରୁ ସବୁଠୁ ବଡ଼ ହମଲା ବୋଲି କୁହାଯାଉଛି। ରିପୋର୍ଟ୍ସ ମୁତାବିକ , ୟୁକ୍ରେନ ଉପରେ ରୁଷ୍‌ ୩୬୭ଟି ଡ୍ରୋନ୍‌ ଓ ମିସାଇଲ ମାଡ଼ କରିଛି। ଏହି ହମଲାରେ ୟୁକ୍ରେନର ବଡ଼ ଧରଣର କ୍ଷତି ହୋଇଛି। ଏହି ଯୁଦ୍ଧ ଆରମ୍ଭ ହେବା ପରେ ଏହାକୁ ସବୁଠୁ ବଡ଼ ଏୟାର ଷ୍ଟ୍ରାଇକ୍‌ କୁହାଯାଉଛି। ସୂଚନା ମୁତାବିକ, ହମଲାରେ ଅତି କମ୍‌ରେ ୧୩ଜଣ ଲୋକଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ୩ଜଣ ପିଲା ମଧ୍ୟ ସାମିଲ ଅଛନ୍ତି। ସେପଟେ ଅନେକ ଲୋକ ଆହତ ହୋଇଛନ୍ତି। 

ୟୁକ୍ରେନ ଦାବି କରିଛି ଯେ, ତାର ଏୟାରଫୋର୍ସ ରୁଷର ୨୬୬ଟି ଡ୍ରୋନ୍‌ ଓ ୪୫ଟି ମିସାଇଲକୁ ମାରି ଖସାଇ ଦେଇଛି। ହେଲେ କ୍ଷତି ସଂପୂର୍ଣ୍ଣ ରୋକା ଯାଇ ପାରି ନାହିଁ। ଏହି ହମଲାରେ ଆପାର୍ଟମେଣ୍ଟ୍ସ ଓ ବିଲ୍ଡିଂ ଗୁଡ଼ିକର ବଡ଼ କ୍ଷତି ହୋଇଛି। କିଭ୍‌ର କହିବାନୁସାରେ , ରୁଷ୍‌ ବାଲିଷ୍ଟିକ୍‌ ମିସାଇଲରେ ମଧ୍ୟ ହମଲା କରିବାରୁ ହଟିନାହିଁ। 

ଦକ୍ଷିଣ ୟୁକ୍ରେନର ମିକୋଲାଇଭ୍‌ରେ ରୁଷ୍‌ର ଡ୍ରୋନ୍‌ ଆକ୍ରମଣରେ ଜଣେ ୭୭ ବର୍ଷିୟ ବୟସ୍କ ବ୍ୟକ୍ତିଙ୍କର ଜୀବନ ଚାଲି ଯାଇଛି। ଏହା ବ୍ୟତୀତ ଏକ ଆପାର୍ଟମେଣ୍ଟ ଅତି ସାଂଘାତିକ ଭାବେ ଧ୍ୱଂସବିଧ୍ୱଂସ ହୋଇ ଯାଇଛି। ବିଲ୍ଡିଂର ଚାରିକଡ଼େ ଭଗ୍ନାବଶେଷ ପଡ଼ି ରହିଛି। ଏହି ହମଲା ପରେ ଭୋଲୋଦିମିର ଜେଲେନସ୍କି ପୁଣି ଥରେ ଆମେରିକାକୁ ଟାର୍ଗେଟ୍‌କୁ ନେଇଛନ୍ତି। ସେ କହିଛନ୍ତି ଯେ, ଏଥିପାଇଁ ଡୋନାଲ୍ଡ ଟ୍ରମ୍ପ ହିଁ ଦାୟୀ।

ଜେଲେନସ୍କି କହିଛନ୍ତି, ଆମେରିକା ଓ ବିଶ୍ୱର ନିରବତା ଭ୍ଲାଦିମିର ପୁଟିନଙ୍କୁ ଉତ୍ସାହିତ କରୁଛି। ୟୁକ୍ରେନ ଉପରେ ଆତଙ୍କୀ ହମଲା କରୁଛି ରୁଷ୍‌। ତା ଉପରେ ପ୍ରତିବନ୍ଧକ ଲଗାଇବାକୁ ଏହା କଣ ଯଥେଷ୍ଟ ନୁହେଁ ? ସେ କହିଛନ୍ତି ଯେ, ବିନା ଚାପରେ କିଛି ବି ବଦଳିବ ନାହିଁ। ରୁଷ୍‌ ଓ ଏହାର ସହଯୋଗୀ ପଶ୍ଚିମୀ ଦେଶରେ ଏମିତି ହିଁ ଧ୍ୱଂସ ଲୀଳା ଜାରି ରଖିବେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.