ନୋଏଡା – ନୋଏଡାର ସବୁଠୁ ଉଚ୍ଚତମ ବିଲ୍ଡିଂ ସୁପରନୋଭାର ୩ ମହଲାକୁ ଡ଼େଇଁ ଜଣେ ଆଇନ ଛାତ୍ର ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ଯୁବକ ୨୦ ଅଗଷ୍ଟରେ ଦିଲ୍ଲୀର ହୌଜ ଖାସ ସ୍ଥିତ ନିଜ ଘରୁ ନିରାଶ ହୋଇ ବାହାରି ଥିଲେ। କୁହାଯାଉଛି ଯେ , ଯୁବକଙ୍କ ପରିବାର ଦିଲ୍ଲୀରେ ତାଙ୍କୁ ଖୋଜାଖୋଜି କରୁ ଥିଲେ। ଯୁବକଙ୍କ ସନ୍ଦେହଜନକ ଭାବେ ଖସି ପଡ଼ି ମୃତ୍ୟୁ ହୋଇ ଥିବା ସୂଚନା ପାଇବା କ୍ଷଣି ନୋଏଡା ପୁଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଥିଲା।
ନୋଏଡା ପୁଲିସ ମୁତାବିକ , ମୃତକ ଜଣଙ୍କ ହେଉଛନ୍ତି ଦିଲ୍ଲୀର ହୌଜଖାସ ନିବାସୀ ରବି। ଯୁବକ ଜଣଙ୍କ ଆଇନର ଛାତ୍ର ଥିଲେ। ତାଙ୍କର ପାରିବାରିକ ବିବାଦ ହୋଇ ଥିଲା , ଯାହା ପରେ ସେ ଦିଲ୍ଲୀରୁ ନିଖୋଜ ହୋଇ ଯାଇ ଥିଲେ। ପରିବାର ଲୋକେ ତାଙ୍କୁ ଦିଲ୍ଲୀରେ ଖୋଜୁ ଥିଲେ। ତାଙ୍କର ନୋଏଡାର ସୁପରନୋଭା ସୋସାଇଟିରେ ୩୨ତମ ମହଲାରୁ ଡେଇଁ ବା ସନ୍ଦେହଜନକ ଅବସ୍ଥାରେ ଖସିପଡ଼ି ମୃତ୍ୟୁ ହୋଇଛି। କୁହାଯାଉଛି ଯେ, ଯୁବକଙ୍କ ପରିବାର ତାଙ୍କର ନିଖୋଜ ହେବାର ରିପୋର୍ଟ ଦିଲ୍ଲୀର ହୌଜଖାସ ଥାନାରେ ରୁଜୁ କରାଇ ଥିଲେ।
ପ୍ରକାଶିତ ସୂଚନା ଆଧାରରେ, ରବି ନିଜର ଗର୍ଲଫ୍ରେଣ୍ଡଙ୍କ ସହ ନୋଏଡାର ସେକ୍ଟର-୧୨୬ ଥାନା ଅଞ୍ଚଳର ଅନ୍ତର୍ଗତ ସେକ୍ଟର-୯୪ ସ୍ଥିତ ସୁପରନୋଭା ସୋସାଇଟିରେ ରହୁଥିଲେ। ରବିଙ୍କର ମୃତଦେହ ଏକ ବୁଦା ମୂଳରୁ ମିଳି ଥିଲା। ନୋଏଡା ପୁଲିସ ପୋଷ୍ଟମର୍ଟମ କରାଇବା ପରେ ଯୁବକଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦେଇଛି। ପୁଲିସ ଏହି ମାମଲାରେ କେସ୍ ରୁଜୁ କରି ନେଇଛି। ନୋଏଡା ପୁଲିସ ଏବେ ଏହି କେସ୍ର ତଦନ୍ତରେ ଲାଗି ଯାଇଛି। ଯୁବକ ଭାରତୀୟ ପ୍ରଶାସନିକ ସେବାର ଜଣେ ପୂର୍ବତନ ଅଧିକାରୀଙ୍କ ପୁଅ ଥିଲେ।
ଅନ୍ୟପଟେ ,ଅନ୍ୟ ଏକ ଘଟଣାରେ ନୋଏଡାର ବରୌଲା ଗାଁରେ ରହୁ ଥିବା ୩୦ ବର୍ଷିୟ ସମାଙ୍କୁ ଶୁକ୍ରବାର ( ୨୨ ଅଗଷ୍ଟ) ରାତିରେ ଗୁରୁତର ବିଦ୍ୟୁତ ଆଘାତ ଲାଗିଥିଲା। ଏଥିରେ ସେ ଗୁରତର ଆଘାତ ପାଇଥିଲେ। ତାଙ୍କ ଶରୀର ପୋଡି଼ ଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ ନିଆଯାଇ ଥିଲା। ମହିଳାଙ୍କ ଅବସ୍ଥା ଗୁରୁତର ହୋଇ ଯାଇଥିଲା। ଡାକ୍ତରମାନେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ରେଫର କରି ଦେଇ ଥିଲେ। ହସ୍ପିଟାଲର ସୂଚନା ପରେ ଏବେ ନୋଏଡା ପୁଲିସ ଏହି ମାମଲାର ଛାନଭିନ୍ରେ ଲାଗି ପଡ଼ିଛି।