‘ବାଡେଇବା ବେଳେ ଭିଡିଓ ନ କରିବା’ ବୟାନକୁ ନେଇ ରାଜ ଠାକରେଙ୍କ ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | July 14, 2025 IST

ମୁମ୍ବାଇ ୧୪।୭: ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମଏନଏସ୍) ମୁଖ୍ୟ ରାଜ ଠାକରେଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ରାଜ ଠାକରେଙ୍କ ବିରୋଧରେ ମହାରାଷ୍ଟ୍ର ଡିଜିଙ୍କୁ ଏହି ଅଭିଯୋଗ ପଠାଯାଇଛି। ଜୁଲାଇ ୫ ତାରିଖ ଦିନ ଏନଏସସିଆଇ ଡୋମରେ ଦେଇଥିବା ଭାଷଣରେ ରାଜ ଠାକରେ କହିଥିଲେ ଯେ ଅନ୍ୟ ରାଜ୍ୟର ଲୋକଙ୍କୁ ପିଟୁଛନ୍ତି ତ ପିଟନ୍ତୁ, ହେଲେ ଭିଡିଓ ରେକର୍ଡିଂ କରନି। ରାଜ ଠାକରେଙ୍କ ବୟାନର ସଂଜ୍ଞାନ ଏବେ ରାଜ୍ୟ ଡିଜିପି ନେଇଛନ୍ତି। 

ଗତ କିଛି ସମୟ ହେଲା ଭାଷା ବିବାଦକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି। ମହାରାଷ୍ଟ୍ରରେ ରହି ମରାଠୀ ଭାଷା କହି ପାରୁନଥିବା ଅନେକ ଉତ୍ତର ଭାରତୀୟଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ଏବେ ସାମ୍ନାକୁ ଆସୁଛି। ରାଜ ଠାକରେଙ୍କ ବିରୋଧରେ କରାଯାଇଥିବା ଅଭିଯୋଗରେ ମଧ୍ୟ ଏହାର ଉଲ୍ଲେଖ ରହିଛି। ଅଭିଯୋଗରେ କୁହାଯାଇଛି ଯେ ଗତ କିଛି ଦିନ ହେଲା ମହାରାଷ୍ଟ୍ର ନବ ନିର୍ମାଣ ସେନା କାର୍ଯ୍ୟକର୍ତ୍ତାମାନେ ଅନ୍ୟ ରାଜ୍ୟରୁ ଆସିଥିବା ଲୋକଙ୍କ ଉପରେ ଭାଷା ଅତ୍ୟାଚାର, ମାରପିଟ ଓ ସାର୍ବଜନିକ ଅପମାନର ଅନେକ ଘଟଣା ସାମ୍ନାକୁ ଆସିଲାଣି। ଏହା ଗୁରୁତର ଓ ସମ୍ବିଧାନ ବିରୋଧୀ ସ୍ଥିତି, ଯାହା ରାଜ୍ୟରେ ସାମାଜିକ ସଦଭାବ ଓ ଆଇନଶୃଙ୍ଖଳାକୁ ବ୍ୟହତ କରୁଥିବା କୁହାଯାଇଛି। 

ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରରେ ଭାଷା ବିବାଦ ସେବେଠୁ ଆରମ୍ଭ ହୋଇଛି ଯେବେଠୁ ମହାରାଷ୍ଟ୍ର ସରକାର ୨ଟି ସରକାରୀ ପ୍ରସ୍ତାବ ଜାରି କରି ପ୍ରତ୍ୟାହାର କରିନେଇଛନ୍ତି। ଏହି ପ୍ରସ୍ତାବରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ମରାଠୀ ଓ ଇଂରାଜୀ ମାଧ୍ୟମ ସ୍କୁଲରେ ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା କରିବାକୁ କୁହାଯାଇଥିଲା। ଏହାକୁ ନେଇ ବିରୋଧୀ ଦଳମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଓ ମନସେ ଭଳି ଆଞ୍ଚଳିକ ସଙ୍ଗଠନ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇ ଥିଲା। 

ଏହା ଛଡା ଶିବସେନା(ୟୁବିଟି) ଓ କଂଗ୍ରେସ ମଧ୍ୟ ମରାଠୀ ଭାଷୀ ରାଜ୍ୟ ଉପରେ ହିନ୍ଦୀ ଲଦିଦିଆଯାଉଥିବାରୁ ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଏହି ଆନ୍ଦୋଳନ ଉତ୍କଟ ହେବାରୁ ମହାରାଷ୍ଟ୍ର ସରକାର ଦୁଇ ସରକାରୀ ପ୍ରସ୍ତାବ (ଜିଆର)କୁ ରଦ୍ଦ କରିଦେଇଛନ୍ତି, ଯେଉଁଥିରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା ପଢାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.