ମୁମ୍ବାଇ ୧୯।୪: ମହମ୍ମଦ ଅଲୀ ଜିନ୍ନାଙ୍କୁ ଭାରତ ବିଭାଜନର ଦୋଷୀ କୁହାଯାଏ। ତେବେ ସେ ପାକିସ୍ତାନାରେ କାଏଦା-ଏ-ଆଜମ ଭାବେ ପରିଚିତ। ସେହିଭଳି ତାଙ୍କର ମୁମ୍ବାଇ ସ୍ଥିତ ‘ଜିନ୍ନା ହାଉସ୍’ କୁ ନେଇ ଏବେବି ଦୋ ରାୟ ରହିଛି। ମୁମ୍ବାଇର ମାଲବାରରେ ଥିବା ଏହି ବଙ୍ଗଳାଟିକୁ ଗୋଟିଏ ବର୍ଗ ଭାଙ୍ଗି ଦେବାକୁ ସ୍ୱାଧୀନତା ପରଠାରୁ ଦାବି କରିଆସୁଥିବା ବେଳେ ଆଉ ଗୋଟିଏ ବର୍ଗ ଏହି ଐତିହ୍ୟ ସମ୍ପତ୍ତିର ବ୍ୟବହାର କରାଯାଉ ବୋଲି ଦାବି କରୁଛନ୍ତି। ଏବେ ଯାହା ଖବର ମିଳୁଛି ବୈଦେଶିକ ମନ୍ତ୍ରାଳୟ ଏହାର ପୁନରୁଦ୍ଧାର ଯୋଜନା କରୁଛନ୍ତି।
ଏବେ ଏହି ସମ୍ପତ୍ତିର ରକ୍ଷଣାବେକ୍ଷଣା ଦାୟିତ୍ୱ ବୈଦେଶିକ ମନ୍ତ୍ରାଳୟ ହାତରେ ରହିଛି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ଏହି ଭବନକୁ ଡିପ୍ଲୋମାଟିକ୍ ଏନକ୍ଲେଭ ଭାବେ ସ୍ଥାପିତ କରାଯାଇ ପାରେ। ଏହା ସେହିପରି ହେବ ଯେପରି ଦିଲ୍ଲୀରେ ହାଇଦ୍ରାବାଦ ହାଉସ୍ ରହିଛି ଠିକ୍ ସେହିପରି ମୁମ୍ବାଇରେ ଜିନ୍ନା ହାଉସ୍ ରହିବ। ଜିନ୍ନା ହାଉସ୍ ର ଅସଲି ନାମ ସାଉଥ କୋର୍ଟ। ତେବେ ଇଂରେଜ ଶାସନକାଳରେ ଦେଶ ବିଭାଜନ ବେଳେ ଏହାକୁ ଜିନ୍ନା ହାଉସ୍ ବୋଲି ଲୋକେ କହିବା ଆରମ୍ଭ କରିଥିଲେ ଓ ସେବେଠାରୁ ଏହା ପ୍ରଚଳନରେ ରହି ଆସିଛି।
ଏହି ଘରକୁ ମହମ୍ମଦ ଅଲୀ ଜିନ୍ନା ନିଜେ ରହିବା ପାଇଁ ୧୯୩୬ ମସିହାରେ ବଡ଼ ମନରେ ତିଆରିଥିଲେ। ହେଲେ ଦେଶ ବିଭାଜନ ଏଜେଣ୍ଡାରେ ସେ ଆଗକୁ ବଢିବା ପରେ ଏହି ଘର ତାଙ୍କ ମନରୁ ପାଷୋର ହୋଇଯାଇଥିଲା ଓ ଦେଶ ବିଭାଜନ ପରେ ଏହାକୁ ଭୌତିକ ରୂପେ ସେ ଛାଡିବାର ମଧ୍ୟ ଥିଲା। ତେବେ ତାଙ୍କ ଝିଅ ଦିନା ବାଡିଆ ମୃତ୍ୟୁ ପର୍ଯ୍ୟନ୍ତ ଏହି ଘରର ହକ୍ ପାଇବା ପାଇଁ ଭାରତୀୟ କୋର୍ଟମାନଙ୍କରେ ଜୋତା ଘୋଷାଡିଥିଲେ ହେଲେ ଏହାର ହକ୍ ତାଙ୍କୁ ମିଳି ପାରିନଥିଲା।
୨୦୧୮ ମସିହାରେ ଭାରତ ସରକାର ଏହି ଭବନଟିକୁ ବିଦେଶ ମନ୍ତ୍ରାଳୟକୁ ହସ୍ତାନ୍ତର କରିଥିଲେ। ତେବେ ଏହା ପୂର୍ବରୁ ଘରର ମାଲିକାନା ଭାରତ ସଂସ୍କୃତି ସମ୍ବଦ୍ଧ ପରିଷଦ ନିକଟରେ ଥିଲା। ଜିନ୍ନା ଏହି ଘରଟିକୁ ସେତେବେଳେ ୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରିଥିଲେ, ଯାହାର ଏବେକା ବଜାର ମୂଲ୍ୟ ପାଖାପାଖି ୧,୫୦୦ କୋଟି ଟଙ୍କାରୁ ମଧ୍ୟ ଅଧିକ ହେବ। କାରଣ ଏହା ମୁମ୍ବାଇର ସବୁଠୁ ପସ୍ ଅଞ୍ଚଳ କୁହାଯାଉଥିବା ମାଲବାର ହିଲସ୍ ରେ ରହିଛି।
ଜିନ୍ନା ଏହି ଘରକୁ ଇଟାଲିୟନ ଶୈଳୀରେ ନିର୍ମାଣ କରାଇଥିଲେ। ଏହି ଘରର ନିର୍ମାଣ ପାଇଁ ସେ ଇଟାଲୀରୁ ମାର୍ବଲ ମଧ୍ୟ ମଗାଇଥିଲେ। ଇଂଲଣ୍ଡରୁ ଫେରିବା ପରେ ଜିନ୍ନା ଜେବେ ମୁମ୍ବାଇ ଆସିଲେ ଓ ମୁସ୍ଲିମ ଲିଗ ଉପରେ ନିଜର ନିୟନ୍ତ୍ରଣ ସ୍ଥାପନା କଲେ ସେତେବେଳେ ସେ ମୁମ୍ବାଇରେ ନିଜ ପାଇଁ ଘର ତୋଳିବା ଚିନ୍ତା କରିଥିଲେ। ଏହି ଘର ପାଇଁ ନକ୍ସା ଇଂରେଜ ସ୍ଥପତି କ୍ଲାଇଡ ବେଟେଲ ତିଆରି କରିଥିଲେ, ଯିଏ ସେତେବେଳେ ଇଣ୍ଡିଆନ ଇନିଷ୍ଟେଚ୍ୟୁଟ ଅଫ ଆର୍କିଟେକ୍ଟର ମୁଖ୍ୟ ଥିଲେ। ଏହା ଛଡା ଏହି ଘରର ନିର୍ମାଣ ପାଇଁ ଇଟାଲୀରୁ କାରିଗରମାନଙ୍କୁ ମଧ୍ୟ ଅଣାଯାଇଥିଲା। ସେତେବେଳ ସମୟରେ ଏହି ଘର ତିଆରି ପାଇଁ ୨ଲକ୍ଷ ଟଙ୍କା ଲାଗିଥିଲା ଓ ଏହାର ମୂଲ୍ୟକୁ ଏପରି ବୁଝାଯାଇ ପାରେ ଯେ ୧୯୪୭ରେ ଗୋଟିଏ ଡଲାରର ମୂଲ୍ୟ ଏକ ଟଙ୍କା ଥିଲା। ଏହି ବଙ୍ଗଳାଟି ଅଢେଇ ଏକର ଜମି ଉପରେ ତିଆରି ହୋଇଥିବା ବେଳେ ଏହା ସମୁଦ୍ରକୁ ମୁହଁ କରି ରହିଛି। ଇଟାଲିୟାନ ମାର୍ବଲରେ ତିଆରି ଏହି ବଙ୍ଗଳାର କେତେକ କାନ୍ଥ ଏବେ ଖରାପ ହୋଇଗଲାଣି ଓ ଏହା ମରାମତି ଆବଶ୍ୟକ କରୁଛି।
ଭାରତ ବିଭାଜନ ପରେ ଏହି ବଙ୍ଗଳାକୁ ଶତ୍ରୁ ସମ୍ପତ୍ତି ଘୋଷଣା କରାଯାଇଥିଲା। ତେବେ ଜବାହାରଲାଲ ନେହେରୁ ଏହି ବଙ୍ଗଳାକୁ ଜିନ୍ନାଙ୍କୁ ଫେରାଇ ଦେବାକୁ ଚାହୁଁଥିଲେ। ହେଲେ ୧୯୪୮ ମସିହାରେ ଜିନ୍ନାଙ୍କର ମୃତ୍ୟୁ ପରେ ନେହେରୁ ଏହା ଉପରେ କୌଣସି ନିଷ୍ପତ୍ତି ନେଇ ପାରିନଥିଲେ। ଶେଷରେ ୧୯୪୯ ମସିହାରେ ଭାରତ ସରକାର ବଙ୍ଗଳାଟିକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ୧୯୮୧ ମସିହା ପର୍ଯ୍ୟନ୍ତ ଏଠାରେ ବ୍ରିଟିଶ ହାଇ କମିଶନଙ୍କ କାର୍ଯ୍ୟାଳୟ ଚାଲୁଥିଲା। ଏଠାରୁ ବ୍ରିଟିଶ ହାଇକମିଶନ ସିଫ୍ଟ ହେବା ପରେ ପାକିସ୍ତାନ ଚାହୁଁଥିଲା ଏଠାରେ ତାର କନସୁଲେଟ କାର୍ଯ୍ୟାଳୟ ସ୍ଥାପନା କରିବାକୁ, ହେଲେ ଦିଆଯାଇ ନଥିଲା।
ମୃତ୍ୟୁ ପୂର୍ବରୁ ଜିନ୍ନା ୧୯୩୯ ମସିହାରେ ତାଙ୍କର ଉତ୍ତରାଧିକାରୀ ଘୋଷଣା କରିଥିଲେ। ଏଥିରେ ସେ ତାଙ୍କର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ଫାତିମା ଜିନ୍ନାଙ୍କୁ ଘୋଷଣା କରିଥିଲେ। କାରଣ ତାଙ୍କ ଝିଅ ଦିନା ବାଡିଆ ପାରସୀଙ୍କୁ ବିବାହ କରିଥିବାରୁ ଜିନ୍ନା ଅସନ୍ତୁଷ୍ଟ ଥିଲେ। ତେବେ ଫାତିମା ମଧ୍ୟ ଜିନ୍ନାଙ୍କ ସାଙ୍ଗରେ ପାକିସ୍ତାନ ଚାଲି ଯାଇଥିଲେ। ଏଣୁ ବଙ୍ଗଳା ଶତ୍ରୁ ସମ୍ପତ୍ତି ଘୋଷଣା ହେବାର ଥିଲା। ହେଲେ ଜିନ୍ନାଙ୍କ ଝିଅ ଦିନା ବାଡିଆ ଏହି ସମ୍ପତ୍ତି ପାଇବା ପାଇଁ ଆଇନଗତ ଲଢେଇ ଲେଢିଥିଲେ। ସେ ତର୍କ ରଖିଥିଲେ ଜିନ୍ନାଙ୍କ ଝିଅ ହୋଇଥିବାରୁ ସେ ସମ୍ପତ୍ତିର ଆଇନତଃ ଉତ୍ତରାଧିକାରୀ। ଏପରିକି ସେ ଜିନ୍ନାଙ୍କ ସମ୍ପତ୍ତିରେ ହିନ୍ଦୁ ଉତ୍ତରାଧିକାର ଲାଗୁ କରିବା ପାଇଁ ମଧ୍ୟ ସେ ଚାହୁଁଥିଲେ। କାରଣ ଦୁଇ ପିଢୀ ପୂର୍ବରୁ ଜିନ୍ନାଙ୍କ ପରିବାର ହିନ୍ଦୁ ଥିଲା।