LIVE TV

H-1B ଭିସାରେ ପାଞ୍ଚ ଗୁଣା ବୃଦ୍ଧିକୁ ନେଇ ଚିନ୍ତା, ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ଭାରତ ଫେରିଆସିବାକୁ ଜୋହୋ ପ୍ରତିଷ୍ଠାତାଙ୍କୁ ପରାମର୍ଶ

NEWS7
Zoho founder advised to bring Indian IT professionals back to India

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଭିସାରେ ପାଞ୍ଚ ଗୁଣା ବୃଦ୍ଧି ଘୋଷଣା କରିବା ପରେ ଏହାକୁ ନେଇ ସମଗ୍ର ପ୍ରଯୁକ୍ତିବିଦ୍ୟା ଏବଂ ଆଇଟି ଶିଳ୍ପରେ ଚିନ୍ତାର ମାହୋଲ ଦେଖିବାକୁ ମିଳିଛି। ସଂଶୋଧିତ ନିୟମ ଅନୁଯାୟୀ, ବିଦେଶୀ ପ୍ରଫେସନାଲଙ୍କୁ ନିଯୁକ୍ତି ଦେଉଥିବା କମ୍ପାନିଗୁଡ଼ିକୁ ପ୍ରତ୍ୟେକ H-1B ଆବେଦନ ପାଇଁ ୧ ଲକ୍ଷ ଡଲାର ଦାଖଲ କରିବାକୁ ପଡ଼ିବ। ଏହି ଘୋଷଣା ପରେ ମାଇକ୍ରୋସଫ୍ଟ, ଆମାଜନ, ମେଟା ଏବଂ ଅନ୍ୟାନ୍ୟ ଭଳି ଟେକ୍ ଜାଏଣ୍ଟ ସେମାନଙ୍କର କର୍ମଚାରୀମାନଙ୍କୁ ସେପ୍ଟେମ୍ବର ୨୧ ସୁଦ୍ଧା ଆମେରିକା ଫେରିବାକୁ କହିଛନ୍ତି।

ତେବେ ଏହାରି ମଧ୍ୟରେ ଜୋହୋର ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ ମଧ୍ୟ ଭାରତୀୟ ଟେକ୍ନିସିଆନମାନଙ୍କୁ 'ପୁନର୍ନିମାଣ ପାଇଁ ଭାରତ ଫେରି ଆସନ୍ତୁ' ବୋଲି ପରାମର୍ଶ ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ସେୟାର କରିଥିବା ଏକ ପୋଷ୍ଟରେ ଭେମ୍ବୁ ବର୍ତ୍ତମାନର H-1B ପରିସ୍ଥିତିକୁ ଭାରତ ବିଭାଜନ ସହ ତୁଳନା କରିଛନ୍ତି। ଏହି ପୋଷ୍ଟରେ ସିନ୍ଧୀ ବନ୍ଧୁମାନଙ୍କ କାହାଣୀ ଉଲ୍ଲେଖ କରିଛନ୍ତି, ଯେଉଁମାନଙ୍କ ପରିବାର ସବୁକିଛି ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ହେଲେ ପୁଣି ଥରେ କାମ ଆରମ୍ଭ କରିବା ସହ ସଫଳ ହୋଇଥିଲେ।

ସେ ପରାମର୍ଶ ଦେଇଛନ୍ତି ଯେ ବର୍ତ୍ତମାନର ଭିସା ଅସ୍ଥିରତା ଭାରତୀୟ ପ୍ରତିଭାଙ୍କ ପାଇଁ ଏକ ନୂଆ ମୋଡ଼ ହୋଇପାରେ। ଭେମ୍ବୁ କହିଛନ୍ତି ଭାରତ ପୂର୍ବ ତୁଳନାରେ ଆଜି ଅନେକ ସୁଯୋଗ ପ୍ରଦାନ କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ଏହି ଲମ୍ଫ ନେବାକୁ ଇଚ୍ଛୁକ ସେମାନେ ଶେଷରେ ଏହାର ଲାଭ ପାଇବେ। ସୂଚନାଥାଉକି, ଭେମ୍ବୁ ନିଜେ ଆମେରିକାରେ କାମ କରିଥିଲେ ଏବଂ ତା’ପରେ ଜୋହୋକୁ ଏକ ବିଶ୍ୱସ୍ତରୀୟ SaaS ପାୱାରହାଉସରେ ପରିଣତ କରିବା ପାଇଁ ଭାରତ ଫେରି ଆସିଥିଲେ।

କ’ଣ ରହିଛି ଶ୍ରୀଧରଙ୍କ ପୋଷ୍ଟରେ ?

ଶ୍ରୀଧର ଭେମ୍ବୁ କହିଛନ୍ତି ‘‘ ମତେ ଏହା କହିବାକୁ ଦୁଃଖ ଲାଗୁଛି, କିନ୍ତୁ ଆମେରିକାରେ H1-B ଭିସାରେ ଥିବା ଭାରତୀୟମାନଙ୍କ ପାଇଁ ଏହା ସେହି ସମୟ ହୋଇପାରେ। ଘରକୁ ଫେରି ଆସନ୍ତୁ। ଆପଣଙ୍କ ଜୀବନକୁ ପୁନଃନିର୍ମାଣ କରିବାକୁ ୫ ବର୍ଷ ଲାଗିପାରେ କିନ୍ତୁ ଏହା ଆପଣଙ୍କୁ ଅଧିକ ଶକ୍ତିଶାଳୀ କରିବ। ଭୟରେ ବଞ୍ଚନ୍ତୁ ନାହିଁ। ସାହସିକ ପଦକ୍ଷେପ ନିଅନ୍ତୁ। ଆପଣ ଭଲ କରିବେ।’’