ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ନାୟକଗୁଡ଼ା ଗ୍ରାମର ଯୁବକ ଲକ୍ଷ୍ମଣ ଗୌଡ଼ ତୀର ମାଡ଼ ଘଟଣାରେ ସୋମବାର ରାତିରେ ଗୁରୁତର ଅବସ୍ଥାରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇଥିବାବେଳେ ସଫଳତାର ସହ ତାଙ୍କର ଅସ୍ତ୍ରୋପଚାର କରାଯାଇଛି।

ସର୍ଜରୀ ବିଭାଗ ପ୍ରଫେସର ଡାକ୍ତର ଅଭିଷେକ ପାତ୍ରଙ୍କ ନେତୃତ୍ବରେ ଡାକ୍ତର ମୃତ୍ୟୁଞ୍ଜୟ ମଲ୍ଲିକ, ନିସ୍ତେଶକ ବିଶେଷଜ୍ଞ ସହକାରୀ ପ୍ରଫେସର ଡାକ୍ତର ଗୋପାଳ ନାୟକ ଏବଂ ଓଟି କର୍ମଚାରୀ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଅପରେସନ କରିଥିଲେ।

ରାତି ୧୦ ଘଣ୍ଟାରୁ ଅପରେସନ ଆରମ୍ଭ ହୋଇ ରାତି ଗୋଟାଏ ବେଳେ ଶେଷ ହୋଇଥିବା ପ୍ରଫେସର ଅଭିଷେକ ପାତ୍ର କହିଛନ୍ତି। ଅପରେସନ ବହୁତ ଜଟିଳ ଥିଲା, ଲକ୍ଷ୍ମଣଙ୍କ ଶରୀର ଭିତରେ ତୀର ପ୍ରାୟ ୮ ଇଞ୍ଚ ପଶି ଥିବାବେଳେ ଶରୀରରୁ ପ୍ରାୟ ଦେଢ ଲିଟର ରକ୍ତ ବୋହି ଯାଇଥିଲା। କୋରାପୁଟ ମେଡ଼ିକାଲ କଲେଜରେ ଏହା ବିରଳ ଘଟଣା ବୋଲି ସାଧାରଣରେ ମତ ପ୍ରକାଶ ପାଇଥିବାବେଳେ ଲକ୍ଷ୍ମଣଙ୍କ ଭାଇ ଗଣେଶ ଗୌଡ଼ ଡାକ୍ତରୀ ଦଳକୁ କୃତଜ୍ଞତା ଜଣାଇଛନ୍ତି ।