ଅନୁଗୁଳ: ଦୋକାନ ଭିତରେ ଜଳିଗଲେ ଯୁବକ। ନିଆଁରେ ପୋଡ଼ିଗଲା ଯୁବକଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ କରଡ଼ାଖମଣ ଗାଁରେ ଅଘଟଣ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ବି, ଦୋକାନରେ ଥିବା ପେଟ୍ରୋଲ ଢାଳି ଯାଇ ସେଥିରେ ନିଆଁ ଲାଗିବାରୁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି। ତେବେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ, ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, କରଡ଼ାଖମଣର ବନୋଜ ସାହୁ (୨୦) ଗାଁରେ ଏକ ଦୋକାନ ଦେଇଥିଲେ। ହେଲେ ଶନିବାର ସନ୍ଧ୍ୟାରେ କୌଣସି କାରଣରୁ ଦୋକାନରେ ନିଆଁ ଲାଗିଯାଇଥିଲା, ଯେଉଁଥିରେ ସେ ପୋଡ଼ିହୋଇଯାଇଛନ୍ତି। ତାଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଛି।

ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡ଼ିନଥିବାବେଳେ, ବନୋଜଙ୍କ ବାପାଙ୍କ କହିବା କଥା ଦୋକାନରେ ଥିବା ପେଟ୍ରୋଲ ଢାଳି ଯାଇଥିଲା। ଆଉ ସେଥିରେ କୌଣସିମତେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଛି। ଗୁରୁତର ଅବସ୍ଥାରେ ପ୍ରଥମେ ଖମାର ଡାକ୍ତରଖାନା ଓ ପରେ ଅନୁଗୁଳ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ନେବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର। ସେପଟେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବାକୁ ରେଙ୍ଗାଲି ଥାନା ପୋଲିସ ତଦନ୍ତ କରୁଛି। ​​​​​​​