News7 Logo

ଗାଁରୁ ଜଳ ନିଷ୍କାସନ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ, ସେପଟେ ପାଣିଘେରରେ ଫକୀରପୁର ଗାଁର ଦୁଇଟି ଓ୍ବାର୍ଡ

NEWS7
Waterlogged

ଆନନ୍ଦପୁର ୨: ଗାଁରେ ପସିଲା ପାଣି, ଏହା ଦିନେ କି ଦୁଇ ଦିନର ସମସ୍ୟା ନୁହଁ, ବର୍ଷ ବର୍ଷ ଧରି ଏପରି ସମସ୍ୟାରେ ଘାଣ୍ଟି ହେଉଥିବା ଗ୍ରାମବାସୀ ମାନେ ଆଜି ରାସ୍ତାରୋକ କରି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଏଭଳି ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଜଳ କଳଙ୍ଗ ଗ୍ରାମରେ । ଗ୍ରାମକୁ ଯିବାକୁ ଦୁଇଟି ରାସ୍ତା ଥିବାବେଳେ ଦୁଇଟି ଯାକ ରାସ୍ତା ପାଣିରେ ବୁଡ଼ି ରହୁଛି । ବର୍ଷା ଜଳ ନିଷ୍କାସନର ସମସ୍ତ ବାଟ ବନ୍ଦ ହୋଇଯାଇ ଥିବାରୁ ବର୍ଷା ପାଣି ନିଷ୍କାସନ ହୋଇନପାରି ଦୀର୍ଘଦିନ ଧରି ଜମି ରହୁଛି । ଫଳରେ ଗାଁ ଲୋକେ ବାହାରକୁ ବହାରି ପାରୁନାହାନ୍ତି । ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଯାଇ ପାରୁନାହାନ୍ତି । ଏହାକୁ ନେଇ ଗ୍ରାମବାସୀ ମାନେ ବାରମ୍ବାର ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀ ମାନେ ଆନନ୍ଦପୁର ଭଦ୍ରକ ରାସ୍ତାକୁ ହାଟଡିହି ଠାରେ ଅବରୋଧ କରି ପ୍ରତିବାଦ କରିଛନ୍ତି । ଖବର ପାଇ ତହସିଲଦାର ଓ ପୋଲିସ  ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଛନ୍ତି । ତେବେ ତହସିଲଦାର, ମେସିନ ଲଗାଇ ଖୁବଶୀଘ୍ର ଜଳ ନିଷ୍କାସନର ବ୍ୟବସ୍ଥା କରାଯିବା ସହ ସ୍ଥାୟୀ ପ୍ରତିକାର ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଛି ।

ସେହିଭଳି ପାଣିଘେରରେ ଆନନ୍ଦପୁର ପୌରପାଳିକା ଫକୀରପୁର ଗାଁର ୨ଟି ଓ୍ବାର୍ଡ । ଗତରାତିରେ ବାଦଲଫଟା ବର୍ଷା ଯୋଗୁଁ ୮ନଂ ଓ ୯ନଂ ଓ୍ବାର୍ଡର ଅନେକ ଘର ଜଳବନ୍ଦୀ ଅବସ୍ଥାରେ ରହିଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୫ଟି କଚ୍ଚାଘର ବର୍ଷା ପାଣିରେ ଭାଙ୍ଗି ଯାଇଛି । ମଙ୍ଗଳବାର ସକାଳୁ ଖବର ପାଇ ଉଭୟ ଓ୍ବାର୍ଡର କାଉନସିଲର ମାନେ ପହଞ୍ଚିବା ପରେ ଅଗ୍ନିଶମ ବିଭାଗ ସହାୟତାରେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ହୋଇଛି । ଓ୍ବାର୍ଡ ନଂ ୯ରେ ଅଗ୍ନିଶମ ବିଭାଗର ଦୁଇଟି ମଟର ପମ୍ପ  ଓ ୮ ଠାରେ ଗୋଟିଏ ମଟର ପମ୍ପ ମାଧ୍ୟମରେ ଜଳନିଷ୍କାସନ କାର୍ଯ୍ୟ ଚାଲିଛି । ଘର ଭାଙ୍ଗିଯାଇ  କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ ନିକଟସ୍ଥ  ସ୍କୁଲକୁ ସ୍ଥାନାନ୍ତର କରାଯିବାକୁ ସ୍ଥିର କରାଯାଇଛି  ।  ତେବେ ପାଣିପାଗ ବିଭାଗ ପୂର୍ବନୁମାନ ଅନୁସାରେ ଆହୁରି ୪ ଦିନ ବର୍ଷା ଲାଗିରହିବ, ଯାହାକି ଏବେ ଲୋକଙ୍କ ଚିନ୍ତା ବଢାଇଛି ।

ସେପଟେ ଶୌଚ ହେବା ସମୟରେ ନଦୀରେ ଭାସିଯାଇ ବୃଦ୍ଧ ନିଖୋଜ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟରେ ଲାଗିଛି ଅଗ୍ନିଶମ ବିଭାଗ । ଆନନ୍ଦପୁର କୂଶେଇ ନଦୀର ଟୋଲଙ୍କପଡା ଘାଟରେ ଘଟିଛି ଏଭଳି ଏକ ଅଘଟଣ । ଗାଁର ୭୦ ବର୍ଷୀୟ ବୃଦ୍ଧ ରାମଚନ୍ଦ୍ର ସାହୁ ଆଜି କୂଶେଇ ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ହଠାତ ଗୋଡଖସଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଛନ୍ତି । ପାଖରେ ଉପସ୍ଥିତ ଥିବା ଲୋକେ ପରିବାର ଲୋକଙ୍କୁ ଖବର କରିବା ପରେ ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଷିପୁରା ଅଗ୍ନିଶମ ବିଭାଗ ଓ ଗ୍ରାମବାସୀ ମାନେ ମିଳିତ ହୋଇ ନିଖୋଜ ବୃଦ୍ଧଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି ।