LIVE TV

ତିଳକ ପିନ୍ଧାଇଲେ ବିଜୟ ତିଳକ, ୯ମ ଥର ଟିମ୍ ଇଣ୍ଡିଆ ଜିତିଲା ଏସିଆ କପ୍ ଟାଇଟଲ୍

NEWS7
IND vs PAK

ଦୁବାଇ: ଅପରେସନ ସିନ୍ଦୂର ପରେ ଟିମ୍ ଇଣ୍ଡିଆ ବି ନେଲା ବଦଲା।  ଏସିଆ କପ୍ ୨୦୨୫ର ଫାଇନାଲର ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବାଜି ମାରିଲା ଭାରତ। ତିଳକ ବର୍ମାଙ୍କ ସ୍ମରଣୀୟ ଅର୍ଦ୍ଧଶତକୀୟ ଇନିଂସ ସହ ଶିବମ ଦୁବେଙ୍କ ସାହସିକ ବ୍ୟାଟିଂ ବଳରେ ଭାରତ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇ ଏସିଆ କପ୍ ୨୦୨୫ର ବିଜୟ ମୁକୁଟ ପିନ୍ଧିଛି। ଭାରତ ନବମ ଥର ଟାଇଟଲ୍ ଜିତିଥିବା ବେଳେ ପାକିସ୍ତାନର ସ୍ଵପ୍ନ ଧୂଳିସାତ ହୋଇଛି। ଚାମ୍ପିଅନ ହେବା ସହ ଭାରତୀୟବାସୀଙ୍କୁ ପୂଜା ଭେଟି ଦେଇଛନ୍ତି ସୂର୍ଯ୍ୟବାହିନୀ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୪୬ ରନ କରିଥିଲା। ଜବାବରେ ଭାରତ ୧୯. ୪ ଓଭରରେ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ତିଳକ ବର୍ମା ଅପରାଜିତ ୬୯ ରନ ଖେଳି ଭାରତକୁ ଜିତାଇଛନ୍ତି। ଦୁବେ ୩୩ ରନ ଦମଦାର ଇନିଂସ ଖେଳିଛନ୍ତି। ଆଉ ୧୪ ଦିନରେ ପାକିସ୍ତାନକୁ ତୃତୀୟ ଥର ହରାଇଛି ଭାରତ। ଏହା ପୂର୍ବରୁ ଭାରତ ୨୦୨୩, ୨୦୧୮,  ୨୦୧୬,  ୨୦୧୦, ୧୯୯୫,  ୧୯୯୦, ୧୯୮୮, ୧୯୮୪ରେ ଏସିଆ କପ୍ ଜିତିଥିଲା।​​​​​​​​​​​​​​

୧୪୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଆରମ୍ଭ ପୂରା ନୈରାଶ୍ୟଜନକ ଥିଲା। ପ୍ରତିଟି ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରି ଭାରତକୁ ଦମଦାର ଆରମ୍ଭ ଦେଇ ଆସିଥିବା ଅଭିଷେକ ଶର୍ମା(୫ ରନ) ଆଉଟ୍ ହୋଇଥିଲେ। ଆଉ ତାଙ୍କ ଆଉଟ୍ ପରେ  ହିଁ ଭାରତ ଚାପର ବଶବର୍ତ୍ତୀ ହୋଇଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜର ଖରାପ ଫର୍ମ ବଜାୟ ରଖି ମାତ୍ର ଏକ ରନ କରି ଆଉଟ୍ ହୋଇଥିଲେ।  ପୁଣି ଉପ ଅଧିନାୟକ ଶୁଭମନ ଗିଲ୍(୧୨ ରନ) ପୁଣି ନିରାଶ କରିଥିଲେ। ୨୦ ରନରେ ୩ ଓ୍ଵିକେଟ୍ ହରାଇ ପୂରା ମୁସ୍କିଲ ସ୍ଥିତିରେ ଥିଲା ଭାରତ। ପାକିସ୍ତାନ ବୋଲର ଶାଣିତ ବୋଲିଂ କରି ଭାରତୀୟ ବ୍ୟାଟରଙ୍କ ବ୍ୟାଟ୍ ବାନ୍ଧି ରଖିଥିଲେ।

ଏହି ସମୟରେ ତିଳକ ବର୍ମା ଓ ସଞ୍ଜୁ ସାମସନ ଧୈର୍ଯ୍ୟ ଏବଂ ସଂଯମତାର ସହ ବ୍ୟାଟିଂ କରିଥିଲେ। ଦୁହେଁ ଚତୁର୍ଥ ଓ୍ଵିକେଟ୍ ପାଇଁ ୫୭ ରନ ଯୋଡ଼ି ଦଳର ସ୍ଥିତି ସୁଧାରିଥିଲେ। ତେବେ ୭୭ ରନ ସ୍କୋରରେ ଭାରତକୁ ଚତୁର୍ଥ ଝଟକା ଲାଗିଥିଲା। ସଞ୍ଜୁ ୨୪ ରନର ଉପଯୋଗୀ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ତିଳକ ବର୍ମା ନିଜର ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ। ଏହି କ୍ରମରେ ସେ ଦମଦାର ଅର୍ଦ୍ଧଶତକ ପୂରଣ କରିଥିଲେ।  ଅନ୍ୟପଟେ ଶିବମ ଦୁବେ ତିଳକଙ୍କୁ ଉତ୍ତମ ସହଯୋଗ ଦେଇଥିଲେ।

ଶେଷ ଆଡ଼କୁ ମ୍ୟାଚ୍ ରୋମାଞ୍ଚକର ମୋଡ଼ ନେଇଥିଲା। ପ୍ରତିଟି ରନ ପାଇଁ ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା  ଲାଗି ରହିଥିଲା। ତିଳକ ଓ ଶିବମ ଦମଦାର ବ୍ୟାଟିଂ କରି ଭାରତର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍ ପାଇଁ ୬୦ ରନ ଯୋଡ଼ି ଭାରତକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ମ୍ୟାଚ୍ ଜିତିବା ପାଇଁ ୧୦ ରନ ଦରକାର ଥିବା ବେଳେ ଦୁବେ ଆଉଟ୍ ହୋଇଥିଲେ। ହେଲେ ସେ ୨୨ ବଲରୁ ୨ ଚୌକା ଓ ୨ ଛକା ସହ ୩୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଆଉ ତିଳକ ବର୍ମା ଶେଷ ପର୍ଯ୍ୟନ୍ତ ରହି ଦଳକୁ ରୋମାଞ୍ଚକର ମ୍ୟାଚରେ ଜିତାଇଛନ୍ତି। ଏହି ବାମହାତୀ ବ୍ୟାଟର ୫୩ ବଲରୁ ୩ ଚୌକା ଓ ୪ ଛକା ସହ ୬୯ ରନରେ ଅପରାଜିତ ଥିଲେ। ରିଙ୍କୁ ସିଂ ବିଜୟ ସୂଚକା ଚୌକା ମାରିଥିଲେ।

ବୋଲିଂରେ ପାକିସ୍ତାନ ପକ୍ଷରୁ ଫହୀମ ଅସରଫ ୪ ଓଭରରେ ୨୯ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଅବରାର ଅହମ୍ମଦ ଓ ଶାହୀନ ଆଫ୍ରିଦି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇ ଶାଣିତ ବୋଲିଂ କରିଥିଲେ ହେଁ ଦଳକୁ ପରାଜୟରୁ ରକ୍ଷା କରି ପାରି ନାହାନ୍ତି।

ପାକିସ୍ତାନ ଇନିଂସ​​​​​​​

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନର ଦୁଇ ଓପନର  ସାହିବଜାଦା ଫରହାନ ଓ ଫଖର ଜମାନ  ଦମଦାର ବ୍ୟାଟିଂ ଆରମ୍ଭ ଦେଇଥିଲେ।  ବିଶେଷ କରି ସାହିବଜାଦା ଫରହାନ ଭାରତୀୟ ବୋଲରଙ୍କୁ ପ୍ରହାର କରିଥିଲେ। ଏହି କ୍ରମରେ ସାହିବଜାଦା ଚଳିତ ଏସିଆ କପରେ ଭାରତ ବିପକ୍ଷରେ କ୍ରମାଗତ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ୯.୪ ଓଭରରେ ଦୁଇ ଓପନର ୮୪ ରନ ଯୋଡ଼ି ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ସାହିବଜାଦାଙ୍କୁ ଆଉଟ୍ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ ବରୁଣ ଚକ୍ରବର୍ତ୍ତୀ। ସାହିବଜାଦା ୩୮  ବଲରୁ ୫ ଚୌକା ଓ ୩ ଛକା ସହ ୫୭ ରନ କରିଥିଲେ।

ଏହା ପରେ ଦିଗହରା ହୋଇ ଯାଇଥିଲା ପାକିସ୍ତାନ ଇନିଂସ। ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ଓ ଅକ୍ଷର ପଟେଲ୍ ପାକ୍ ବ୍ୟାଟରଙ୍କୁ ଜାଲରେ ଫସାଇ ରନ ଗତି ଉପରେ ଅଙ୍କୁଶ ଲଗାଇଥିଲେ। ଫଖର ଜମାନ  ୪୬ ରନ କରିଥିବା ବେଳେ ସାଇମ ଆୟୁବ ୧୪ ରନ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଏହା ପରେ କୁଲଦୀପ ଯାଦବ ୪ ପାକିସ୍ତାନ ବ୍ୟାଟରଙ୍କୁ ପାଭିଲିୟନ ପଠାଇଥିଲେ। ଅଧିନାୟକ ସଲମାନ ଆଗା(୮) ପୁଣି ଥରେ ନିରାଶ କରିଥିଲେ।   ମହମ୍ମଦ ହାରିସ ଖାତା ଖୋଲି ପାରି ନ ଥିଲେ। ଶେଷ ଦୁଇଟି ଓ୍ଵିକେଟ୍ ବୁମରା ନେଇ ପାକିସ୍ତାନ ଇନିଂସକୁ ୧୪୬ ରନରେ ଅନ୍ତ ଘଟାଇଥିଲେ।

ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ ୪ ଓଭରରେ ୨୬ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି। ଅକ୍ଷର ପଟେଲ ମଧ୍ୟ ଶାଣିତ ବୋଲିଂ କରି ୪ ଓଭରରେ ମାତ୍ର ୨୬ ରନ ଦେଇ ୨ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ। ବରୁଣ ଚକ୍ରବର୍ତ୍ତୀ  ଓ ଯଶପ୍ରୀତ ବୁମରାଙ୍କୁ ଦୁଇଟି ଲେଖାଏଁ ଓ୍ଵିକେଟ୍ ମିଳିଛି।